Below header

ଅସହାୟ ମା’ ଝିଅଙ୍କ ପାଇଁ ଆକାଶ ପାଲଟିଛି ଛାତ, ରାତି ବିତାଇବାକୁ ପ୍ରତିଦିନ ଖୋଜି ବୁଲନ୍ତି ସୁରକ୍ଷିତ ସ୍ଥାନ

ରାଜନଗର(କେନ୍ୟୁଜ୍): ଦୁଃଖ ସାଗରରେ ଭସାଇ ଦେଇ ସ୍ଵାମୀ ଆରପାରିକୁ ଚାଲିଗଲେ । ଏବେ ଅସହାୟ ଅବସ୍ଥାରେ ସ୍ତ୍ରୀ ସୁଲୋଚନା ଓ ଅନ୍ଧୁଣୀ ଝିଅ ସଶ୍ମିତା । ଏ ମା ଝିଅ ଙ୍କ କରୁଣ ଅବସ୍ଥା ଦେଖିଲେ ଆଖିରୁ ଲୁହ ଝରି ଆସିବ । ସ୍ଵାମୀଙ୍କୁ ହରାଇବା ପରେ ବୟସରେ ଅପରାହ୍ନରେ ଥିବାବେଳେ, ଏବେ ଅନ୍ଧୁଣୀ ଝିଅ ତାଙ୍କ ଉପରେ ବୋଝ ଉପରେ ନଳିତା ବିଡା ପାଲଟିଛି । ଏହି ଅସହାୟ ମା,ଝିଅ ଙ୍କ ପାଇଁ ଆକାଶ ଯେମିତି ଛାତ ପାଲଟି ଯାଇଛି । ମୁଣ୍ଡ ଗୁଞ୍ଜିବାକୁ ଘର ବଖରାଏ ନାହିଁ । ଖରା ବର୍ଷା ଶୀତ କାକରରେ ସ୍କୁଲ ବାରଣ୍ଡା ଏମାନଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଛି । ଏ ଦୁଇ ଅସହାୟ ମା ଓ ଝିଅ ଙ୍କ ଜୀବନ ଅନ୍ୟମାନଙ୍କ ପାଇଁ ଅଲୋଡା ପାଲଟି ଯାଇଛି ।

ସମୟ ସୁଅରେ ମଣିଷ ଅସହାୟ ହୋଇପଡେ । ପ୍ରତିକୂଳ ପରିବେଶରେ ଜୀବନ ଯନ୍ତ୍ରଣା ଭୋଗୁଥିବା ମଣିଷକୁ ଆହା କହିବାକୁ କେହି ଆସନ୍ତି ନାହିଁ । ସରକାରୀ ବାବୁଙ୍କ କଥା ତ ନିଆରା । ଲୋକ ପ୍ରତିନିଧିମାନେ ବି ଏହି ଦୁଃଖୀ ମଣିଷର ବିପଦରେ ସାହା ହୁଅନ୍ତି ନାହିଁ । ଇଶ୍ୱରଙ୍କ ଉପରେ ଭରଷା ରଖି ଜୀବନ ଜିଉଁଥାଏ ଦୁଃଖୀ ମଣିଷଟିଏ । ଏହି କାହାଣୀକୁ ଆପଣଙ୍କ ଆଖିବି ଛଳଛଳ ହୋଇଯିବ । ବାସଗୃହ ମଣିଷର ମୌଳିକ ଆବଶ୍ୟକତା ହୋଇଥିବା ବେଳେ ଆଜିବି ମଣିଷଟି ମୁଣ୍ଡ ଗୁଂଜିବା ପାଇଁ ଅନ୍ୟ ଓଳିତଳେ ଆଶ୍ରୟ ନେଉଛି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଦିଘୀ ଗାଁର ସୁଲୋଚନା ମଲିକ । ପରିବାର କହିଲେ ଅନ୍ଧୁଣୀ ଝିଅଟିଏ । ଅନେକ ଦିନ ତଳୁ ସ୍ୱାମୀ ଆରପାରିକୁ ଚାଲିଯିବା ପରେ ସୁଲୋଚନା ତାଙ୍କର ଏକ ମାତ୍ର ଝିଅକୁ ନେଇ ଜୀବନ ଜିଇଁ ଆସୁଛନ୍ତି । ମୁଣ୍ଡ ଗୁଂଜିବା ପାଇଁ ଘର ଖଣ୍ଡିଏ ନାହିଁ । ଭିକ୍ଷାବୃତି କରି ଦିନକୁ ଦି’ଓଳି ଦାନା ସିନା ଯୋଗାଡ ହୋଇଯାଉଛି, ରାତି ହେଲେ ମାଆ ଝିଅଙ୍କର ଚିନ୍ତା ବଢିଯାଏ । ରାତି ଯେତିକି ବଢିଚାଲେ ସେମାନଙ୍କ କଷ୍ଟ ଯନ୍ତ୍ରଣା ସେତିକି ବଢିଯାଏ । ମାଆ ଝିଅ ଦୁଇ ଜଣ ରାତି ଅତିବାହିତ କରିବା ପାଇଁ କୌଣସି ଏକ ସୁରକ୍ଷିତ ସ୍ଥାନ ଖୋଜି ବୁଲନ୍ତି । ଆଜି ଏ ପିଣ୍ଡା ତ କାଲି ସେ ପିଣ୍ଡା । ଶୀତ କାକରରେ ପଡି ରୁହନ୍ତି ସୁଲୋଚନା ଓ ତାଙ୍କ ଅନ୍ଧୁଣୀ ଝିଅ ସଶ୍ମିତା । କିଛି ନହେଲେ ଗାଁରେ ଥିବା ସ୍କୁଲ ପିଣ୍ଡାରେ ମାଆ ଝିଅଙ୍କର ରାତି ପାହିଯାଏ ।

poor familyମାଆ ଶୋଇଲେ ଝିଅ ମାଆକୁ ଜଗେ । ଝିଅ ଶୋଇଗଲେ ମଆ ଝିଅକୁ ଜଗି ବସେ । ପୁଣି ରାତି ପାହିଲେ ପେଟକୁ ଦାନା ଯୋଗାଡ ପାଇଁ ଝିଅକୁ ପରପିଣ୍ଡାରେ ଛାଡି ମାଆ ଚାଲିଯାଏ ଭିକ୍ଷା ବୃତି କରିବା ପାଇଁ । ନିଜର ଦୁଃଖ କହିବା ବେଳେ ସୁଲୋଚନାଙ୍କ ଅନ୍ତରର ବେଦନା ଆଖିର ଲୁହ ହୋଇ ବୋହି ଆସେ । ଘର ଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠୁଁ ଆରମ୍ଭ କରି ନେତାମନ୍ତ୍ରୀଙ୍କୁ ଗୁହାରି କରିଥିଲେ ବି ତାଙ୍କ ଦୁଃଖ କାହାରି ଆଖିରେ ପଡିନି ।

ଗରିବ ଲୋକଙ୍କ ଦୁଃଖ ଶୁଣିବା ପାଇଁ ସରକାର ବିଭିନ୍ନ ପନ୍ଥା ଆପଣେଇ ଚାଲିଛନ୍ତି । ବିଭିନ୍ନ ପଂଚାୟତ ମାନଙ୍କରେ ପଲ୍ଲୀର ପ୍ରଶାସନ ମାଧ୍ୟମରେ ପ୍ରଶାସନିକ ଅଧିକାରୀମାନେ ଗାଁକୁ ଯାଇ ଲୋକଙ୍କ ଅଭିଯୋଗ ସଂଗ୍ରହ କରିଥାନ୍ତି । ମାତ୍ର ସୁଲୋଚନାଙ୍କ ଦୁଃଖ ଦେଖିଲେ ସରକାରଙ୍କ ଏହି ଯୋଜନା ସତେ ଯେପରି ପ୍ରହସନ ଭଳି ମନେହେଉଛି ।

କିନ୍ତୁ ସୁଲୋଚନାଙ୍କର ଏହି ଦୁଃଖ କାହାଣୀ ରାଜନୈତିକ ପଶାପାଲି ଭିତରେ ପେଶି ହୋଇଯାଉଛି । ଖାଦ୍ୟ, ବସ୍ତ୍ର, ବାସଗୃହ ପ୍ରତିଟି ମଣିଷର ମୌଳିକ ଆବଶ୍ୟକତା । ଏଥିରେ କୌଣସି ବ୍ୟକ୍ତି ବାଦ୍ ପଡିବା ଉଚିତ୍ ନୁହେଁ । ଆଜିକୁ ଅନେକ ବର୍ଷ ଧରି ଏହି ଦୁଃଖୀ ପରିବାର ମୁଣ୍ଡ ଗୁଂଜିବା ପାଇଁ ବାରଓଳି ଶୁଣ୍ଡିପିଣ୍ଡା ହେଉଥିବା ବେଳେ କାହିଁକି ତାଙ୍କୁ ମୌଳିକ ଅଧିକାରରୁ ବଂଚିତ କରାଯାଇଛି, ସେ ନେଇ ପ୍ରଶ୍ନ ଉଠିଛି ।

ଅନ୍ୟଘରୁ ପାଇଟି କରି ସୁଲୋଚନା ଓ ତାଙ୍କ ଅନ୍ଧୁଣୀ ଝିଅ, ପିନ୍ଧିବା ଓ ଖାଇବା ସିନା କଷ୍ଟେ ମଷ୍ଟେ ଯୋଗାଡ କରି ନେଉଛନ୍ତି । ହେଲେ କାଳରାତ୍ରୀର ଅନ୍ଧାର ଘୋଟି ଆସିଲେ ସେଥିରୁ ବର୍ତିବା ପାଇଁ ମା ଝିଅ କଣ କରିବେ ସେହି କଥା ଭାବି ଭାବି ଆଖିର ଲୁହ ଓ ଛାତିର କୋହକୁ ନିଜ ଭିତରେ ଚାପି ରଖି ଦିନ ବିତାଇ ଚାଲିଛନ୍ତି । ଅନ୍ୟପଟେ ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.