Below header

ଦାରିଦ୍ର୍ଯର ତାଡନା: ରାସ୍ତା ଉପରେ ବସି ତଳେ ପଡିଯାଇଥିବା ତରକାରୀ ଖାଇଲେ ବୃଦ୍ଧା, ମାଲକାନଗିରିରୁ ଆସିଲା ଏହି ହୃଦୟ ବିଦାରକ ଦୃଶ୍ୟ

ମାଲକାନଗିରି:  ମାଲକାନଗିରି ସଦର ମହକୁମାରେ ଆଜି ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ । ଜଣେ ଅସହାୟ ବୃଦ୍ଧା ତଳେ ପଡିଥିବା ତରକାରୀକୁ ଗୋଟାଇ ଖାଉଥିଲେ। ବୃଦ୍ଧାଙ୍କ ବୟସ ପାଖାପାଖି ୭୦ ଡେଇଁବଣି। ଚାଲିବା ପାଇଁ ବଳ ପାଉ ନାହିଁ। ବୃଦ୍ଧାଙ୍କୁ କେହି ଜଣେ ଟିଫିନ ଦେଇଥିଲେ। ତେବେ ସେହି ଟିଫିନକୁ ଧରି ସେ ଧିରେ ଧିରେ ଚାଲୁଥିବା ବେଳେ ହଠାତ୍ ରାସ୍ତା ଉପରେ ତରକାରୀ ଜରିଟି ଖସି ପଡିଥିଲା। ଫଳରେ ତରକାରୀ ରାସ୍ତାରେ ବଛେଇ ହୋଇ ପଡିଯାଇଥିଲା। ତରକାରୀ ଜରି ତଳେ ପଡିଯିବାରୁ ସେ ବହୁ ଦୁଃଖ ପ୍ରକାଶ କରିଥିଲେ ଏବଂ ସେଠାରେ ହିଁ ତଳେ ବସି ପଡିଥିଲେ ବୃଦ୍ଧା ଜଣକ।

ଜରିରେ ଥିବା ପୁରୀକୁ ସେହି ତଳେ ପଡିଥିବା ତରକାରୀ ସହ ଲଗାଇ ଖାଇଥିଲେ। ବୃଦ୍ଧା ଜଣକ ଠିକ ଭାବେ କଥା କହିପାରୁନଥିବା ବେଳେ ନିଜ ନାମକୁ ମଧ୍ୟ ସ୍ପଷ୍ଟ କହିପାରୁନଥିଲେ। ତେବେ ତଳେ ପଡିଥିବା ତରକାରୀକୁ ନଖାଇବା ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ଶୁଣିନଥିଲେ ।

ଅପରପଟେ ଜିଲ୍ଲାରେ ବୃଦ୍ଧାଶ୍ରମ ଥିବା ବେଳେ ଏଭଳି ଅସହାୟ ବୃଦ୍ଧାଙ୍କୁ ଚିହ୍ନଟ କରି ସେଠାରେ ରଖାଯିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବୃଦ୍ଧା ଜଣକ ଭତ୍ତା ପାଉଛନ୍ତି କି ନାହିଁ ପଚାରିବାରୁ ସେ କିଛି କହିପାରିନଥିଲେ। ପାଟି ଖନେଇ ଯାଉଥିବା ବେଳେ ହାତ ଥରୁଥିଲା। ଦୀର୍ଘ ସମୟ ଧରି ସେ ରାସ୍ତା ଉପରେ ହିଁ ବସି ରହିଥିଲେ। ଆଉ କିଛି ସମୟ ପରେ ହାତରେ ମୁଣିଟିଏ ନେଇ ଅଣ୍ଟା ନଇଁ ନଇଁ ଧିରେ ଧିରେ ସେଠାରୁ ସେ ଚାଲିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.