Below header

ବାଲେଶ୍ୱରରେ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁବର୍ଣ୍ଣରେଖା ବନ୍ଦର

ବାଲେଶ୍ୱର (କେନ୍ୟୁଜ୍‌ ) : ବାଲେଶ୍ୱରରେ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁବର୍ଣ୍ଣରେଖା ବନ୍ଦର । ଏହି ବନ୍ଦରକୁ ନେଇ ବାଲେଶ୍ୱର ଜନସାଧାରଣଙ୍କ ମଧ୍ଯରେ ଖୁବ୍‌ ଉତ୍କଣ୍ଠା । ମୁଖ୍ଯମନ୍ତ୍ରୀ ନବୀନ ପଟନାୟକ ୨୦୧୯ ସମିହାରେ ଏହି ପ୍ରକଳ୍ପର ଶୀଳନ୍ଯାସ କରିଥିଲେ । ଗୋଟିଏ ପଟେ ବନ୍ଦର ପାଇଁ ଜମି ଅଧିଗ୍ରହଣ ହୋଇଥିବା ବେଳେ ଅନ୍ଯପଟେ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଜମି ହସ୍ତାନ୍ତରକୁ ବିରୋଧ କରାଯାଉଛି । ତେବେ ବନ୍ଦର ସପକ୍ଷବାଦୀମାନେ ସ୍ପଷ୍ଟ ଯୁକ୍ତି ବାଢ଼ିଛନ୍ତି, ବନ୍ଦର ହେବ ଆଉ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ନିଯୁକ୍ତିର ନୂଆ ଅଧ୍ଯାୟ ସୃଷ୍ଟି ହେବ । ଆଉ ପ୍ରଶାସନର ଦାବି ହେଉଛି କେବଳ ସରକାରୀ ଜାଗାରେ ହିଁ ବନ୍ଦର ହେବ । କାହାର ବ୍ୟକ୍ତିଗତ ଜମି ଦଖଲ ହେବ ନାହିଁ ।

ବାଲେଶ୍ୱରରେ ହେବ ଆଉ ଏକ ବନ୍ଦର । ବନ୍ଦରକୁ ନେଇ ରହିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ ଠାରେ ନିର୍ମାଣ ହେବ ଶିଳ୍ପ ଭିତ୍ତିକ ବନ୍ଦର । ପ୍ରସ୍ତାବିତ ବନ୍ଦର ଆସନ୍ତା ୪ରୁ ୫ ବର୍ଷ ମଧ୍ଯରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ୨୦୧୯ରେ ମୁଖ୍ଯମନ୍ତ୍ରୀ ନବୀନ ପଟନାୟକ ଏହି ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବନ୍ଦର ନିର୍ମାଣର ଉଦ୍ଦେଶ୍ଯ ଥିଲା ଏହା ଦ୍ୱାରା ପୂର୍ବ ତଟର ବୃହତ୍ତମ ବନ୍ଦର ଭାବେ ସୁବର୍ଣ୍ଣରେଖାକୁ ବିକଶିତ କରାଯିବ । ଯେଉଁଥିରେ ୫ ହଜାର କୋଟି ଟଙ୍କା ବିନିଯୋଗ ହେବା ସହ ୧୨ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଧାମରା ଓ ଗୋପାଳପୁର ବନ୍ଦର ପରେ ସୁବର୍ଣ୍ଣରେଖା ବନ୍ଦର ପୂର୍ବତଟର ତୃତୀୟ ବନ୍ଦର ଭାବେ ଉଭା ହେବ । ଯାହାର କ୍ଷମତା ପ୍ରାଥମିକ ପର୍ଯ୍ୟାୟରେ ୨୫ ମେଟ୍ରିକ ଟନ ଓ ପରବର୍ତ୍ତୀ ସମୟରେ ୮୦ ମେଟ୍ରିକ ଟନ୍‌କୁ ବୃଦ୍ଧି ହୋଇପାରିବ । ଖାଲି ସେତିକି ନୁହଁ ଏହି ପୋର୍ଟ ଦ୍ୱାରା ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଓ ଉତ୍ତର ପ୍ରଦେଶର ଶିଳ୍ପମାନଙ୍କୁ ସେବା ଯୋଗାଇ ହେବ ।

ପୂର୍ବରୁ ବନ୍ଦର ନେଇ ୨୦୦୮ ମସିହାରେ ଚେନ୍ନାଇର କ୍ରିଏଟିଭ ପୋର୍ଟ ଡେଭଲେପମେଣ୍ଟ ଲିମିଟେଡ ସହ ଚୁକ୍ତି କରିଥିଲେ ରାଜ୍ଯ ସରକାର । ପରେ ୨୦୧୭ରେ ପ୍ରକଳ୍ପରେ ଟାଟା ଷ୍ଟିଲ ୫୧ ପ୍ରତିଶତ ଅଂଶୀଦାର ହେବାକୁ ଚୁକ୍ତି କରିଥିଲା । ଗୋଟିଏ ପଟେ ବନ୍ଦର କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ଵିତ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତୃପକ୍ଷଙ୍କ ସହ ସ୍ଥାନୀୟ ଲୋକଙ୍କ ସହ ବାରମ୍ବାର ବିଚାର ଆଲୋଚନା ଚାଲିଛି । ଅନ୍ଯପଟେ ବିସ୍ଥାପିତଙ୍କ ବିରୋଧ ଓ ପ୍ରଜାମେଳି ବନ୍ଦର କାର୍ଯ୍ୟକୁ ମନ୍ଥର କରିଦେଉଛି ।

subarnrekhaaପ୍ରସ୍ତାବିତ ବନ୍ଦର ଚୌମୁଖ ଅଞ୍ଚଳରେ ରହି ପିଢି ପରେ ପିଢି ଚଳି ଆସୁଛନ୍ତି ସ୍ଥାନୀୟ ଅଧିବାସୀ । ଏମାନଙ୍କର ଆୟର ପ୍ରମୁଖ ମାଧ୍ଯମ ହେଉଛି ଚାଷ । ତେଣୁ ବନ୍ଦର ହେବା ନେଇ ଏକ ପ୍ରକାର ସ୍ଥିର ହୋଇ ସାରିଥିବାରୁ ଲୋକଙ୍କ ଭିତରେ ଭିଟାମାଟି ଛାଡି ଯିବାକୁ ନେଇ ବିରୋଧାଭାସ ଆସୁଛି । କାରଣ ଭିବଷ୍ୟତ ଜୀବନକୁ ନେଇ ସେମାନେ ସନ୍ଦେହ ଭିତରେ ଅଛନ୍ତି । ସେଥିଲାଗି ବିଭିନ୍ନ ସମୟରେ ବିଦ୍ରୋହ , ବିକ୍ଷୋଭ ଆଦି ଜାରି ରହିଛି ।

ସୁବର୍ଣ୍ଣରେଖା କୂଳରେ ଥିବା ଚୌମୁଖ ଅଞ୍ଚଳ ଜମି ଦୃଷ୍ଟିରୁ ବେଶ୍‌ ଉର୍ବର । ସ୍ଥାନୀୟ ଲୋକମାନେ ଏହି ମାଟିରେ ପାନ ଚାଷ ମଧ୍ୟ କରନ୍ତି । ଯାହା ରାଜ୍ଯ ତଥା ରାଜ୍ଯ ବାହାର ଦିଲ୍ଲୀ, ମୁମ୍ବଇ, ଉତ୍ତର ପ୍ରଦେଶ ଆଦି ଅଞ୍ଚଳକୁ ରପ୍ତାନି କରାଯାଏ । ସେହିଭଳି ଚିନାବାଦାମ, କାଜୁ, ନଡିଆ, ଗୁଆ ଭଳି ଅନେକ ଅର୍ଥକରୀ ଫସଲ ମଧ୍ୟ ଲୋକେ ଏଇ ଜମିରୁ ଫଳାଇଥାନ୍ତି । ତେଣୁ ଜମି କି ଘରଦ୍ୱାର ଚାଲିଗଲେ କେମିତି ଚଳିବେ ? ବୋଲି ଆଶଙ୍କା ପ୍ରକଟ କରୁଛନ୍ତି । ତେଣୁ ସେମାନେ ଗାଁରେ ସରକାରୀ ବାବୁ କି ବନ୍ଦର ଅଧିକାରୀଙ୍କୁ ଦେଖିଲେ ଭୟ ଓ ଆଶଙ୍କିତ ହେବା ସହ ଅସନ୍ତୁଷ୍ଟ ହୋଇପଡୁଛନ୍ତି । ପୁଣି ଅନ୍ୟକୁ ସତର୍କ କରିବା ପାଇଁ ଶଂଖ ଫୁଙ୍କି ବିରୋଧ ଲାଗି ହୋଇ ଯାଉଛନ୍ତି ତୟାର । ଅନ୍ୟପଟେ ଅନେକ ସ୍ଥାନୀୟ ବାସିନ୍ଦା ବନ୍ଦରକୁ ନେଇ ବଡ଼ ଆଶା ପ୍ରକଟ କରିଛନ୍ତି ।

subarnarekhaaସୁବର୍ଣ୍ଣରେଖା ବନ୍ଦରରେ ହେଲେ ବାଲେଶ୍ୱର ଜିଲ୍ଲାର ନାଁ ବିକାଶ କ୍ଷେତ୍ରରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ସେମାନେ କହିଛନ୍ତି । ବିସ୍ଥାପନ ବାବଦରେ କ୍ଷତିପୂରଣ ମିଳିବ ଏବଂ ନୂଆ ଭାବରେ ଜୀବନ ଗଢ଼ି ହେବ । ଏହା ସହିତ ସ୍ଥାନୀୟ ଅଂଚଳରେ ଅନେକ ଛୋଟ କଡ ଶିଳ୍ପାନୁଷ୍ଠାନ ଗଢି ଉଠିବ । ବନ୍ଦରକୁ ରେଳ ପଥ, ପ୍ରଶସ୍ତ ରାସ୍ତା, ସ୍କୁଲ କଲେଜ ଓ ହୋଟେଲ ଶିଳ୍ପ ପ୍ରତିଷ୍ଠା ହେବା ସହ ପର୍ଯ୍ୟଟନର ବିକାଶ ହେବ । ଏଥିରେ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଯାହାକି ସୀମିତ ସ୍ୱାର୍ଥଠାରୁ ଅଧିକ । ବ୍ଯାପକ ଉନ୍ନତିରେ ସହାୟକ ହୋଇପାରିବ ବୋଲି ଦାବି କରିଛନ୍ତି ସ୍ଥାନୀୟ ବନ୍ଦର ସପକ୍ଷବାଦୀ ।

ବନ୍ଦର ନିର୍ମାଣକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଭିନ୍ନମତ ରହିଛି । ତେବେ ବନ୍ଦର ନିର୍ମାଣକୁ ନେଇ କିଛି ଲୋକଙ୍କୁ ଭ୍ରମିତ କରାଯାଉଥିବା ଅଭିଯୋଗ ବି ରହିଛି । ଆହୁରି ମଧ୍ୟ ସ୍ଥାନୀୟ ଚୌମୁଖ ଅଞ୍ଚଳରେ ଅନେକ ଜାଗା କିଛି ଦଲାଲଙ୍କ କବଜାରେ ରହିଥିବା କୁହାଯାଉଛି । ଯାହାକି ସମ୍ପୂର୍ଣ୍ଣ ଭାବେ ସରକାରୀ ପଟ୍ଟା ଅନ୍ତର୍ଭୁକ୍ତ । ବନ୍ଦର ହେଲେ କାଳେ ଜାଗା ଚାଲିଯିବ ତେଣୁ ବିଭିନ୍ନ ସମୟରେ ପ୍ରଜାମେଳିକୁ ଉସୁକାଉଥିବା ଅଭିଯୋଗ ହୋଇଛି । ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଠିକ ତଥ୍ଯ ଓ ବନ୍ଦର ସଂପର୍କିତ ସମସ୍ତ ବିବରଣୀ ଦେବା ପାଇଁ ଉଦ୍ୟମ ଜାରି ରହିଛି । ଅନ୍ୟପକ୍ଷରେ ବନ୍ଦରକୁ ନେଇ ପ୍ରଶାସନ ପକ୍ଷରୁ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ନେଇ ଜନମତ ଗ୍ରହଣ କରାଯାଇଛି । ଲୋକଙ୍କ ମନରୁ ସନ୍ଦେହ ଦୂର କରି ସେମାନଙ୍କ ବିଶ୍ୱାସ ଜିତିବା ପାଇଁ ଉଦ୍ୟମ ହେଉଛି । ବନ୍ଦର ପାଇଁ କୌଣସି ଲୋକଙ୍କ ଜମି ନିଆଯିବ ନାହିଁ । ଏହା ସରକାରୀ ଜାଗାରେ ହେବ ।

ବନ୍ଦର ନିର୍ମାଣ ପାଇଁ ଆବଶ୍ଯକ ରହିଛି ୧୩୯୮ ଏକର ଜମି । ସେଥିମଧ୍ଯରୁ ୪୩୬ ଏକର ୮୪ ଡେସିମିଲ ଜାଗା ସମୁଦ୍ର କୂଳ ଓ ପାଣି ମଧ୍ଯରେ ରହିଛି । ବାକି ସରକାରୀ ଜାଗା ୬୯୨ ଏକର ୬୮ ଡେସିମିଲକୁ ବାଲିଆପାଲ ତହସିଲ ପକ୍ଷରୁ ବାଣିଜ୍ଯ ଓ ପରିବହନ ବିଭାଗ ଅଧୀନକୁ ହସ୍ତାନ୍ତର କରାଯାଇଛି । ସେହିଭଳି ସ୍ଥାନୀୟ ଅଂଚଳରେ ୧୩୯ ଏକର ୭୦ ଡେସିମିଲ ଭୂଦାନ ଜମି ରହିଛି । ବନ୍ଦର ନିର୍ମାଣ ପାଇଁ ଅତିରିକ୍ତ ଆବଶ୍ଯକତା ରହିଥିବା ୧୨୮ ଏକର ୮୦ ଡେସିମିଲ ସରକାରୀ ଜାଗା ଜବର ଦଖଲରେ ଥିବା ଜଣାପଡ଼ିଛି । ତେବେ ବନ୍ଦର ପାଇଁ କାହାର ବ୍ଯକ୍ତିଗତ ସମ୍ପତ୍ତି ଯିବାର ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ଯାହା ଫଳରେ କୌଣସି ଲୋକ ବାସଚ୍ୟୁତ ହେବେ ନାହିଁ । ସେହିଭଳି ବନ୍ଦର ପାଇଁ ରାସ୍ତା ପ୍ରଶସ୍ତୀକରଣ ଓ ରେଲୱେ ଟ୍ରାକ ନିର୍ମାଣ ଲାଗି ମାଚ ଚୁପ ସରିଛି। ଏଥିରେ କିଛି ବ୍ଯକ୍ତିଗତ ଲୋକଙ୍କର ଜମି ଆସୁଥିବାରୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ । ତେଣୁ ଲୋକେ ଡରିବା କିମ୍ବା ସନ୍ଦେହ କରିବାର କିଛି କାରଣ ନାହିଁ ବୋଲି କୁହାଯାଇଛି ।

ସୁବର୍ଣ୍ଣରେଖା ବନ୍ଦର ପାଇଁ ଯଦି କୌଣସି ବ୍ୟକ୍ତିଗତ ଜାଗା ଯାଉନାହିଁ ତ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ତା ସହିତ ଭଲ ଭାବେ ସଚେତନ ହେଲେ ସ୍ଥାନୀୟ ଲୋକେ ଆପେ ଆପେ ଏହି ବିକାଶ ଧାରାରେ ସାମିଲ ହୋଇଯିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.