Below header

ନିର୍ଯାତନା ଦେଉଥିବା ମା’ ପାଖରେ ନୁହେଁ ବାପା ପାଖରେ ରହିବ ଶିଶୁ: ଓଡିଶା ହାଇକୋର୍ଟ

କଟକ(କେ ନ୍ୟୁଜ):  ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । କୋମଳମତି ଶିଶୁକୁ ନିର୍ଯାତନା ଦେଉଥିବା ମା ପାଖରେ ନୁହେଁ ବାପା ପାଖରେ ରହିବ ଶିଶୁ । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଘଟିଥିବା ଏଭଳି ଏକ ଘଟଣା ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଶିଶୁର ମାନସିକ ଓ ଶାରୀରିକ ବିକାଶ ପାଇଁ ମାଡ଼ ମାରୁଥିବା ମା’ ପାଖରେ ଶିଶୁ ରହିବା ଉଚିତ ନୁହେଁ । ଏଭଳି ସ୍ଥିତିରେ ଶିଶୁର ମନସ୍ତତ୍ତ୍ୱ ଉପରେ କୁପ୍ରଭାବ ପଡିବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି । ଗୋପ ଅଞ୍ଚଳର ଚକ୍ରଧର ନାୟକଙ୍କ ବିରୋଧରେ ତାଙ୍କ ପତ୍ନୀ ରୋଜାଲିନ ନାୟକ ଯୌତୁକ ର୍ନିର୍ଯାତନା ଅଭିଯୋଗ ଆଣିଥିଲେ । ସ୍ୱାମୀ ସ୍ତ୍ରୀ ଏବେ ଅଲଗା ଅଲଗା ରହୁଛନ୍ତି । ରୋଜାଲିନ ନିଜ ଶିଶୁପୁତ୍ରକୁ ଅତି ନିର୍ଦୟ ଭାବେ ମାଡ଼ ମାରୁଥିବାର ଭିଡ଼ିଓ ସୋସିଆଲ ମେଡ଼ିଆରେ ଭାଇରାଲ ହୋଇଥିଲା । ପୁରୀ ସିଡ଼ବ୍ଲୁସି ଶିଶୁକୁ ଉଦ୍ଧାର କରି ଅନ୍ୟତ୍ର ଥଇଥାନ କରିଥିଲା ।

ତେବେ ଶିଶୁର ମା’ ରୋଜାଲିନ ନାୟକ ଭିଡ଼ିଓ କନଫରେସିଂ ମାଧ୍ୟମରେ ଅଦାଲତରେ ହାଜର ହୋଇ ନିଜ ଶିଶୁକୁ ପିଟିବାର ଅଧିକାର ଅଛି ବୋଲି ହାଇକୋର୍ଟଙ୍କୁ ଯୁକ୍ତି ଦର୍ଶାଇଥିଲେ । ଗତ ୧୫ ତାରିଖରେ ଏହି ମାମଲାର ଶୁଣାଣି କରି ୭ ଦିନ ମଧ୍ୟରେ ଶିଶୁକୁ ତାର ବାପା ଚକ୍ରଧର ନାୟକଙ୍କୁ ହସ୍ତାନ୍ତର କରିବାକୁ ରୋଜାଲିନ ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ ଶିଶୁକୁ ହସ୍ତାନ୍ତର ନ କଲେ ଗୋପ ଥାନା ଆଇଆଇସି ଏଥିରେ ହସ୍ତକ୍ଷେପ କରି ଶିଶୁକୁ ମା ନିକଟରୁ ଆଣି ଆବେଦନ କରିଥିବା ବାପା ଚକ୍ରଧର ନାୟକଙ୍କୁ ହସ୍ତାନ୍ତର କରିବେ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଶିଶୁକୁ ହସ୍ତାନ୍ତର କରାଯାଇନଥିବା କହିଛନ୍ତି ଚକ୍ରଧର ନାୟକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.