ବାତ୍ୟା ‘ରିମାଲ’ ର ଓଡ଼ିଶାରେ ସିଧା ସଳଖ ପ୍ରଭାବ ନାହିଁ, ୨୫ ସନ୍ଧ୍ୟାରୁ ପ୍ରବଳ ବର୍ଷା

ଅବପାତର ରୂପ ନେଲା ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି ।

ଭୁବନେଶ୍ୱର : ଅବପାତର ରୂପ ନେଲା ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି । ଉତ୍ତର-ପୂର୍ବ ଦିଗରେ ଆଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ । କାଲି ସକାଳ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ ।

ବାତ୍ୟା ହେଲେ ଏହାର ନାଁ ରହିବ ‘ରିମାଲ’ । ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧା ସଳଖ ନାହିଁ । ହେଲେ ବି ରହିବ ପ୍ରଭାବ ।  ସମସ୍ତ ୪ଟି ଯାକ ବନ୍ଦର ଗୁଡ଼ିକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । ଓଡ଼ିଶା ଉପକୂଳରେ ୨୫ ତାରିଖରେ ୪୦ ରୁ ୫୦ କିମି ବେଗରେ ପବନ ବହିବ । ଝଟକା ପବନ ୬୦ କିମି ରହିବ । ୨୬ ସକାଳେ ବୃଦ୍ଧି ପାଇବ ପବନର ବେଗ । ୬୦ ରୁ ୭୦ ଓ ଝଟକା ପବନ ୮୦ କିମି ଘଣ୍ଟା ପ୍ରତି ରହିବ ।

୨୫ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବ । ୨୬ରେ ଭଦ୍ରକ ଓ ବାଲେଶ୍ୱରରେ ଅତି ପ୍ରବଳ ବର୍ଷା ସହ ମୟୂରଭଂଜ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ସକାଳେ ବାତ୍ୟାର ରୂପ ନେବା ପରେ ଉତ୍ତର ଦିଗରେ ଗତି କରିବା ଆରମ୍ଭ କରିବ। ୨୫ ସନ୍ଧ୍ୟାରେ ଭିଷଣ ବାତ୍ୟାରେ ପରିଣତ ହେବ। ସମାନ ଭାବେ ଉତ୍ତର ଦିଗରେ ଗତି କରି ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗର ସାଗର ଦ୍ଵିପ ଓ ଖେପୂପରା ମଧ୍ୟରେ ୨୬ ମଧ୍ୟରାତ୍ରରେ ଭୀଷଣ ବାତ୍ୟା ହେଇ ଉପକୂଳ ଅତିକ୍ରମ କରିବ ।

ରବିବାରଠୁ ରାଜ୍ୟରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୨୬ ତାରିଖରେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଏବଂ ୨୭ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି।

Leave A Reply

Your email address will not be published.