Below header

ଗତବର୍ଷର ଅଘଟଣ ପାଇଁ ଏହି ଗାଁରେ ହୋଲି ପାଲଟିଛି ରଙ୍ଗହୀନ, ଗୋଟିଏ ଦିନରେ ଆଖି ବୁଜିଥିଲେ ୬ ଭାଇ

ଗତବର୍ଷ ଆଜିର ଦିନରେ ଯାଜପୁର ମଙ୍ଗଳା ଘାଟରେ ବୁଡିଯାଇ ୬ ଭାଇଙ୍କ ମୃତ୍ୟୁ ଘଟିଥିଲା । ସେଥିପାଇଁ ଚଳିତ ବର୍ଷ ଗାଁରେ ନାଁ ହୋଲିର ରଙ୍ଗ ଅଛି ନା କାହା ମୁହଁରେ ଖୁସି । ସେହି ୬ ଭାଇଙ୍କ ସ୍ମୃତିରେ ନିର୍ମାଣ ହୋଇଛି ସ୍ମୃତି ମଣ୍ଡପ ।

ଯାଜପୁର ଟାଉନ୍ (କେନ୍ୟୁଜ):  ବର୍ଷକରେ ଥରେ ଆସେ ରଙ୍ଗର ପର୍ବ ହୋଲି । କିନ୍ତୁ ଗତବର୍ଷର ଅଘଟଣ ପାଇଁ ହୋଲି ପାଲଟିଛି ରଙ୍ଗହୀନ । ଇତି ମଧ୍ୟରେ ସେହି ଅଘଟଣକୁ ଠିକ୍ ବର୍ଷେ ବିତିଛି। ହେଲେ ସେହି ଅଘଟଣକୁ କେମିତି ଭୁଲିବେ ସେମାନଙ୍କ ପରିବାର ,ପ୍ରିୟଜନ ଓ ଗ୍ରାମବାସୀ? ଏ ହେଉଛି ଯାଜପୁର ବନ୍ଧମୁଣ୍ଡା ଗ୍ରାମବାସୀଙ୍କ କଥା ।

ଗତବର୍ଷ ଆଜିର ଦିନରେ ଗାଁ ପାଖ ମଙ୍ଗଳା ଘାଟରେ ବୁଡିଯାଇ ୬ ଭାଇଙ୍କ ମୃତ୍ୟୁ ଘଟିଥିଲା । ସେଥିପାଇଁ ଚଳିତ ବର୍ଷ ଗାଁରେ ନାଁ ହୋଲିର ରଙ୍ଗ ଅଛି ନା କାହା ମୁହଁରେ ଖୁସି । ସେହି ୬ ଭାଇଙ୍କ ସ୍ମୃତିରେ ନିର୍ମାଣ ହୋଇଛି ସ୍ମୃତି ମଣ୍ଡପ । କାନ୍ଦ ବୋବାଳିରେ ଫାଟି ପଡୁଛି  ପରିବାର ସହିତ ସମଗ୍ର ଅଂଚଳ । ଆଉ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ ।

ଯେଉଁ ହୋଲିରେ ବିଭିନ୍ନ ରଙ୍ଗରେ ରଙ୍ଗନ ହେଉଥିଲା ପୁରା ଗାଁ, ସେହି ଗାଁ ଆଜି ପାଲଟିଛି ସଂପୂର୍ଣ୍ଣ ରଙ୍ଗହୀନ । କାହା ମୁହଁରେ ଭାଷା ନାହିଁ,ସମସ୍ତଙ୍କ ଆଖିରେ ଲୁହ ଆଉ ମନରେ କୋହ । କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଂଚଳ । ଗାଁର ସବୁ ଆଡେ ଗୋଟିଏ ଚର୍ଚ୍ଚା ଗୋଟିଏ ଦିନରେ ୬ ଭାଇ କଥାବାର୍ତା ହୋଇ ଆରପାରିକୁ ଚାଲିଗଲେ କେମିତି? ଗତବର୍ଷ ହୋଲି ଖେଳିସାରି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ୬ ଭାଇ ଆଉ ଅଳ୍ପକେ ରକ୍ଷା ପାଇଯାଇଥିଲେ ଦୁଇ ଭାଇ ।

ପ୍ରତିବର୍ଷ ଭଳି ଗତବର୍ଷ ବନ୍ଧ ମୁଣ୍ଡା ଗାଁରେ ସଂକିର୍ତନ ପରଦିନ ଅର୍ଥାତ୍ ଆଜିର ଦିନରେ ଦୋଳପୂର୍ଣ୍ଣିମା ଦିନ ହୋଲି ପାଳନ କରାଯାଏ । ସେଥିପାଇଁ ହୋଲି ଖେଳି ସାରି ଗାଁର ଯୁବକ ମାନେ ଗାଧୋଇବାକୁ ପାଖ ଖରସ୍ରୋତା ନଦୀର ମଙ୍ଗଳା ଘାଟକୁ ଯାଇଥିଲେ । ସେଠି ଜଣକ ପରେ ଜଣେ ନଦୀର ପ୍ରଖର ସ୍ରୋତରେ ୬ ଜଣ ଭାସିଯାଇଥିଲେ । ସେହି ହୃଦୟ ବିଦାରକ ଦୃଶ୍ୟ ସେଦିନ ସମଗ୍ର ରାଜ୍ୟକୁ ଚହଲାଇ ଦେଇଥିଲା ।

ସେହି ସ୍ମୃତିକୁ ମନେ ରଖିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଗାଁ ମୁଣ୍ଡରେ ନିର୍ମାଣ କରାଯାଇଛି ସ୍ମୃତି ମଣ୍ଡପ । ୬ ଭାଇଙ୍କ ପ୍ରତିମୂର୍ତି ନିର୍ମାଣ କରାଯାଇଛି । ଆଉ ରିଷ୍ଟ ଖଣ୍ଡନ ପାଇଁ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ପ୍ରତିମୂର୍ତିକୁ ପୂଜାର୍ଚ୍ଚନା କଲାବେଳେ ପରିବାର ବର୍ଗଙ୍କ ବୁକୁଫଟା କାନ୍ଦରେ ଫାଟିପଡୁଥିଲା ପୁରା ପରିବେଶ । ଗତବର୍ଷ ଏହି ଗାଁକୁ ଯେଉଁଭଳି ଦୁଃଖ ଆସିଥିଲା ସେହି ଭଳି ଦୁଃଖ ଆଉ କାହାକୁ ନ ଆସୁ ବୋଲି କାମନା କରିଛନ୍ତି ଗ୍ରାମବାସୀ । ଚଳିତ ବର୍ଷ ଏହି ଛଅ ଭାଇଙ୍କ ଅକାଳ ବିୟୋଗ ପାଇଁ ସଂକିର୍ତନକୁ ମଧ୍ୟ ବାତିଲ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.