ବିଦ୍ୟୁତ୍ ସର୍ଟସର୍କିଟରୁ ଘରେ ଲାଗିଲା ନିଆଁ, ୧୦ ବସ୍ତା ଧାନ ଓ ଚାଉଳ ସହ ପୋଡ଼ିଗଲା ସମ୍ପୂର୍ଣ୍ଣ ଘର

ଦାରିଙ୍ଗବାଡ଼ି(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡକରବାଡ଼ି ଗ୍ରାମରେ ଗତକାଲି ଅପରାହ୍ନ ୪.୩୦ରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣ ଘର ପୋଡ଼ିଯାଇଛି। ଏଥି ସହ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ସର୍ଟସର୍କିଟରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁସାରେ ଗ୍ରାମର ମିଥୁନ ଦିଗାଲଙ୍କ ଘରେ ସର୍ଟସର୍କିଟ ଲାଗି ଅଗ୍ନିକାଣ୍ଡ ଘଟିଛି। ଘରେ ନିଆଁ ଲାଗିଥିବା ସମୟରେ ମିଥୁନ ଦିଗାଲଙ୍କ ୧୦ ବର୍ଷର ପୁଅ ଆଦିତ୍ୟ ଦିଗାଲ ଘରେ ଶୋଇଥିଲେ। ସେହିପରି ମିଥୁନ ଦିଗାଲ ଜଙ୍ଗଲକୁ ଖଲିପତ୍ର ଆଣିବା ପାଇଁ ଯାଇଥିବା ବେଳେ ମାଆ ସବିତା ଦିଗାଲ ଅନ୍ୟ ଏକ ସାହିକୁ ଯାଇଥିଲେ। ହଠାତ ଘରେ ନିଆଁ ଲାଗିବା ଦେଖି ଆଦିତ୍ୟ ଘର ବାହାରକୁ ବାହାରି ପାଖପଡୋଶୀ ଲୋକଙ୍କୁ ଡାକିଥିଲା। ଲୋକ ଆସି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଥିଲେ।

ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ଭିତରେ ସୁଦ୍ଧା ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା। ଘରେ ଥିବା ୧୦ ବସ୍ତା ଧାନ, ଦୁଇ ବସ୍ତା ଚାଉଳ, ରାସନ କାର୍ଡ, ଜରୁରୀ କାଗଜପତ୍ର, ସୁନା, ରୂପା, ନଗଦ ୨୦ ହଜାର ଟଙ୍କା, ଲୁଗାପଟା ଓ ଅନ୍ୟାନ୍ୟ ଜିନିଷ ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଯାଇଛି।