ଗଜପତି: ଅବକାରୀ ଓ ଗୁଇନ୍ଦା ବିଭାଗର ମିଳିତ ଚଢ଼ାଉ,ବିପୁଳ ଚୋରା ମଦ ଜବତ,ଦୁଇ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳ ଯେମିତି ମାଦକ ଦ୍ରବ୍ୟ ଉତ୍ପାଦନର କେନ୍ଦ୍ର ବିନ୍ଦୁ ପାଲଟିଛି। କିଛି ଦିନଧରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ ହେବା ପରେ ଏବେ ପାଳିପଡିଛି ମଦ ମାଫିଆଙ୍କର। ଅବକାରୀ ଉପଆୟୁକ୍ତ ବ୍ରହ୍ମପୁରଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଗୁଇନ୍ଦା ବିଭାଗ ଏବଂ ଆର. ଉଦୟଗିରି ଅବକାରୀ ବିଭାଗ ମିଳିତ ଭାବେ ମୋହନା ଏବଂ ଅଡବା ଥାନା ଅଞ୍ଚଳର ଟିଆମା,ରାମଚନ୍ଦ୍ରପୁର,ଶ୍ୟାମସୁନ୍ଦରପୁର ଏବଂ ପାଦ୍ରିମା ଆଦି ଗ୍ରାମରେ ଚଢ଼ାଉ କରିଥିଲେ ।
ଚାଢାଉବେଳେ ଚୋରାରେ ପ୍ରସ୍ତୁତ ହେଉଥିବା ୨୨୦୦ ଲିଟର ମହୁଲି ପୋଚ ନଷ୍ଟ କରିବା ସହ ୧୯୦ ଲିଟର ମହୁଲି ମଦ ଜବତ କରିଛି ଅବକାରୀ ବିଭାଗ l ଜବତ ମଦର ମୂଲ୍ୟ ଏକଲକ୍ଷ ଅଣତିରିଶ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି l ବେଆଇନ ମଦ ପ୍ରସ୍ତୁତି ଅଭିଯୋଗରେ ଅଡବା ନୁଆସାହିର ମଦନ ମୋହନ ନାୟକ ଏବଂ ଆନନ୍ଦପୁରର ରୁଷାନ୍ତ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଏ. ଏସ. ଆଇ ଘନଶ୍ୟାମ ଜେନା ସୂଚନା ଦେଇଛନ୍ତି l ମୋହନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦବିକ୍ରି କାରବାର ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଆଗାମୀଦିନ ମାନଙ୍କରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଜ଼ିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l