Below header

ବାର୍‌ ଭାବି ଫାଣ୍ଡିରେ ବସି ମଦ ପିଉଥିଲେ, ୪ ଜଣ ପୋଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଦେଲେ ଯାଜପୁର ଏସ୍‌ପି

ଯାଜପୁର(କେ ନ୍ୟୁଜ): ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମହଙ୍ଗା। ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରୀ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଏସ.ପି ରାହୁଲ ପି.ଆର। ସେମାନଙ୍କ ମଧ୍ୟରେ ୨ ଜଣ କନଷ୍ଟେବଳ ତପନ ଦାସ, ସଞ୍ଜୟ ଭୋଳ ଅଛନ୍ତି । ଏହାବ୍ୟତୀତ ଅନ୍ୟ ୨ଜଣ ଓଏପିଏଫ ଯବାନ ହେଉଛନ୍ତି ବେଣୁଧର ଖଟୁଆ ଓ ଅନନ୍ତ ଚରଣ ସାମଲ। ଫାଣ୍ଡିରେ ଡ୍ୟୁଟି କରୁଥିବା ସମୟରେ ମଦ୍ୟପାନ କରିଥିବାରୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟା ନୁଷ୍ଠାନ ନିଆଯାଇଥିବା ଜଣାପଡିଛି।

ସୂଚନା ମୁତାବକ ଗତ ୧୯ ତାରିଖ ସନ୍ଧ୍ୟାରେ ଯାଜପୁର ଏସ.ପି ରାହୁଲ ପି.ଆର କଟକରୁ ଯାଜପୁର ଫେରୁଥିବା ସମୟରେ ଜାରକା ନିକଟରେ ରାସ୍ତାରେ ପ୍ରବଳ ଭିଡ ଥିବାରୁ ତାଙ୍କୁ ଅଟକିବାକୁ ପଡିଥିଲା। ରାସ୍ତା କଡରେ ଥିବା ଜାରକା ଫାଣ୍ଡିକୁ ଏସ.ପି ଅଚାନକ ପଶି ଯାଇଥିଲେ। ସେ ସମୟରେ ଫାଣ୍ଡିରେ ଉପସ୍ଥିତ ଥିବା ୨ ଜଣ କନେଷ୍ଟବଳ ଓ ୨ ଜଣ ଓଏପିଏଫ୍ ଯବାନ ମଦ୍ୟପାନ କରିଥିବା ଏସ.ପି ସେମାନଙ୍କ କଥାବାର୍ତ୍ତା ଓ ମଦଗନ୍ଧରୁ ଜାଣି ପାରିଥିଲେ।

ଏହାପରେ ଏସ.ପି ସେମାନଙ୍କୁ ଧର୍ମଶାଳା ଥାନାକୁ ପଠାଇବା ସହ ସେମାନଙ୍କର ମେଡ଼ିକାଲ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେମାନେ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଥିଲା। ତେବେ ଏହି ଆଧାରରେ ଗତକାଲି ଏହି ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଯାଜପୁର ଏସ.ପି ରାହୁଲ ପିଆର ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.