Below header

ଦୀର୍ଘ ଦୁଇ ବର୍ଷ ପରେ କାକଟପୁର ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଦେଖିବେ ଭକ୍ତ

କାକଟପୁର (କେନ୍ୟୁଜ୍‌) : ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ କାକଟପୁର ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ବନ୍ଦ ରହିଥିଲା | ତେବେ ଚଳିତ ବର୍ଷ ଝାମୁଯାତ୍ରାର ଆୟୋଜନ କରିବା ପାଇଁ ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି | ସେଥିପାଇଁ ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ କାକଟପୁର ଠାରେ ଥିବା ଜଳସେଚନ ଡାକବଙ୍ଗଳା ଠାରେ ଝାମୁଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କାକଟପୁର ତହସିଲଦାର ଏବଂ ମଙ୍ଗଳା ମନ୍ଦିରର ଟ୍ରଷ୍ଟି ବିରଞ୍ଚି ନାରାୟଣ ବେହେରାଙ୍କ ଅଧ୍ଯକ୍ଷତାରେ କରାଯାଇଥିଲା ।

ମଙ୍ଗଳା ମନ୍ଦିର ସେବକ ସମିତିର ସଦସ୍ୟ, କାକଟପୁର ଥାନା ଅଧିକାରୀ, କାକଟପୁର ବିଡିଓ, ଦମକଳ ଅଧିକାରୀଙ୍କ ସମେତ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ | ଝାମୁଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଆଖିରେ ରଖି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ବେଢ଼ାରେ ବ୍ୟାରିକେଡ୍‌ କରାଯିବ । ସେହିପରି ଟ୍ରାଫିକ ବ୍ୟବସ୍ଥାକୁ ତ୍ବରାନିତ କରାଯିବା ସହ ଭକ୍ତଙ୍କ ସହାୟତା ପାଇଁ ସୂଚନା କେନ୍ଦ୍ର ଓ ମେଡିକାଲ କ୍ୟାମ୍ପ ରହିବ । ପାନୀୟଜଳର ସୁବନ୍ଦୋବସ୍ତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ଆସନ୍ତା କାଲି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଠାରୁ ଝାମୁଯାତ୍ରା ଆରମ୍ଭ ହେଉଛି । ରାତି ୩ଟା ଠାରୁ ମା’ଙ୍କ ନୀତିକାନ୍ତି ଆରମ୍ଭ ହୋଇ ଭୋର ପାଞ୍ଚଟା ବେଳକୁ ଦ୍ଵାର ଫିଟା ହେବ । ସେହି ସମୟରେ ସାଧାରଣ ଭକ୍ତମାନଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.