ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବନ ପାହାଡ ଘେରା କନ୍ଧମାଳରେ ଫଳିଛି ଶିମିଳା ଲଙ୍କା କ୍ୟାପ୍ସିକମ୍
କନ୍ଧମାଳରେ ଆଇଟିଡ଼ିଏ ପକ୍ଷରୁ ଆରମ୍ଭ କରାଯାଇଛି କ୍ୟାପସିକମ ଚାଷ, ପରୀକ୍ଷା ମୂଳକ ଭାବେ କନ୍ଧମାଳର ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡା ବ୍ଲକର ୧୦ ଏକର ଜାଗାରେ ଚାଷ କରାଯାଇଛି କ୍ୟାପସିକମ ।

କନ୍ଧମାଳ : ସମସ୍ତଙ୍କର ପ୍ରିୟ ପରିବା କ୍ୟାପ୍ସିକମ୍। ଯାହା ଦେଶ ଅପେକ୍ଷା ବିଦେଶରେ ଏହାର ଚାହିଦା ବେଶୀ ରହିଛି । ତେବେ ଏହି କ୍ୟାପ୍ସିକମ୍ ଚାଷ ଓଡ଼ିଶାରେ ବହୁଳ ମାତ୍ରାରେ ଦେଖିବାକୁ ମିଳିଛି । ବନ ଜଙ୍ଗଲ ଓ ପର୍ବତ ପାହାଡ ଘେରା କନ୍ଧମାଳ ଜିଲ୍ଲା । ଅଦା, ହଳଦୀ ଓ ସୋରିଷ ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି । ଏହି ଜିଲ୍ଲାରେ ପରୀକ୍ଷା ମୂଳକ ଭାବେ ଡ୍ରାଗନ ଫୁଡ, ସୂର୍ଯ୍ୟମୁଖୀ, ଷ୍ଟ୍ରବେରି ଚାଷ କରିଥିବା ବେଳେ ବର୍ତ୍ତମାନ କ୍ୟାପ୍ସିକମ୍ ଚାଷ କରି ଚର୍ଚ୍ଚାକୁ ଆସିଛି ।
କନ୍ଧମାଳରେ ଆଇଟିଡ଼ିଏ ପକ୍ଷରୁ ଆରମ୍ଭ କରାଯାଇଛି କ୍ୟାପ୍ସିକମ୍ ଚାଷ, ପରୀକ୍ଷା ମୂଳକ ଭାବେ କନ୍ଧମାଳର ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡା ବ୍ଲକର ୧୦ ଏକର ଜାଗାରେ ଚାଷ କରାଯାଇଛି କ୍ୟାପ୍ସିକମ୍ । କନ୍ଧମାଳ ଥଣ୍ଡା ଜଳବାୟୁ ହୋଇଥିବାରୁ ଫୁଲବାଣୀ ସରକାରଙ୍କ ଜୀବିକା ମିସନ ଜରିଆରେ କନ୍ଧମାଳର ତିନୋଟି ବ୍ଲକ ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡାର ୮୦ ଜଣ ଉପଯୁକ୍ତ ଚାଷୀଙ୍କୁ ଚୟନ କରି ସେମାନଙ୍କୁ ଆଇଟିଡ଼ିଏ ପକ୍ଷରୁ ତାଲିମ ଦେଇ ମାଗଣାରେ ମଞ୍ଜି, ସାର ଓ ଔଷଧ ଯୋଗାଇ ଦେଇ ନିଜସ୍ଵ ତତ୍ବାବଧାନରେ କ୍ୟାପସିକମ ଚାଷ ଆରମ୍ଭ କରିଛି ।
କ୍ୟାପ୍ସିକମ୍ ଏକ ଲାଭଜନକ ଫସଲ ହୋଇଥିବାରୁ ସେଥିରେ ଆକ୍ରୁଷ୍ଟ ହୋଇ କନ୍ଧମାଳର ଚାଷୀ ମାନେ ପ୍ରଥମ ଥର ପାଇଁ ଆଇଟିଡ଼ିଏର ସହାୟତାରେ ଆରମ୍ଭ କରିଛନ୍ତି କ୍ୟାପ୍ସିକମ୍ ଚାଷ । ଅକ୍ଟୋବର ମାସରେ କ୍ୟାପ୍ସିକମ୍ ଚାଷ ପାଇଁ ଜମିକୁ ହଳ କରି ସେଥିରେ ଜୈବିକ ଖତ ପକାଇ ଜମିକୁ ପ୍ରସ୍ତୁତ କରାଯାଏ । ତାପରେ ଏକ ଫୁଟ ଅନ୍ତରରେ ଧାଡି ଧାଡି କରି ମଞ୍ଜିକୁ ପୋତାଯାଏ । ୧୫ ଦିନ ପରେ ଗଛ ଟିକେ ବଡ ହୋଇ ସାରିଲା ପରେ କୋଡ ଖୋସା କରି ଜମିରେ ହୁଡା ବନ୍ଧାଯାଏ ଏବଂ ପ୍ରତି ସପ୍ତାହ ରେ ପାଣି ଦିଆଯାଏ, ତିନି ମାସ ପରେ ଗଛରେ ଫୁଲ ଆସେ , ଫୁଲ ଆସିଲେ ଗଛରେ ପୁଣି ସାର ଦିଆଯାଏ ଏବଂ ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗଛରେ ଫଳ ଆସେ । ଏବଂ ଦିନକୁ ୪୦ ରୁ ୫୦ କିଲୋ କ୍ୟାପସିକମ୍ ଅମଳ ହୁଏ ।
କ୍ୟାପ୍ସିକମ୍ ଫଳ ଆସିବା ପରେ ପୁଣି କୋଡ ଖୋସା କରି କ୍ୟାପ୍ସିକମ୍ ତୋଳିବା ଆରମ୍ଭ କରନ୍ତି, ଗୋଟିଏ କ୍ୟାପସିକମ ୨୦୦ ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । କ୍ୟାପ୍ସିକମ୍ ତୋଳି ନିକଟସ୍ଥ ବଜାର ଫୁଲବାଣୀକୁ ବିକ୍ରି ପାଇଁ ନେଇଥାନ୍ତି । ଆଇଟିଡ଼ିଏ ମଧ୍ୟ ବିକ୍ରି ବଟାରେ ସାହାଯ୍ୟ କରି ବିଭନ୍ନ ଭେଣ୍ଡର ଓ ଉତ୍ପାଦକ ଗୋଷ୍ଠୀଙ୍କୁ ବିକ୍ରି କରିବାରେ ସାହାଯ୍ୟ କରେ । ତେବେ ଏହି କ୍ୟାପ୍ସିକମ୍ କିଲୋପ୍ରତି ୮୦ ରୁ ୧୦୦ ଟଙ୍କା ପାଉଥିବାରୁ ଚାଷୀ ମାନେ ମଧ୍ୟ ଖୁସି ହେଉଛନ୍ତି ।