ଇମ୍ଫାର ସରକାରୀ ଜମିରେ ପାଚେରୀ ନିର୍ମାଣ ନେଇ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ, ଥାନାରେ ଦେଲେ ଏତଲା

କଟକ ଜିଲ୍ଲା ଚୌଦ୍ୱାର ସ୍ଥିତ ଇମ୍ଫା କମ୍ପାନୀ ବେଆଇନ ଭାବରେ ସରକାରୀ ଜମିରେ ପାଚେରୀ ନିର୍ମାଣ କରିଥିବା ଅଭିଯୋଗ । ଏନେଇ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି ଅଞ୍ଚଳବାସୀ। ଅଭିଯୋଗ ହୋଇଛି, କପାଳେଶ୍ୱର ମୌଜାର ୧୦ଟି ପ୍ଲଟରେ ଥିବା ୩ ଏକର ୭ ଡେସିମିଲ୍‌ ସରକାରୀ ଜମିକୁ ଚଞ୍ଚକତା କରି ଇମ୍ଫା କମ୍ପାନୀ ନିଜ ନାଁରେ କରାଇ ନେଇଥିଲା। ଏନେଇ ଉପଜିଲ୍ଲାପାଳଙ୍କ ନିକଟରେ ମ୍ୟୁଟେସନ୍‌ ଅପିଲ୍‌ କରିବାରୁ ସରକାରୀ ଖାତାକୁ ଫେରିଥିଲା ଜମି। ପରେ ଜିଲ୍ଲାପାଳ ଓ ରାଜସ୍ୱ ପର୍ଷଦଙ୍କ ଦ୍ୱାରସ୍ଥ ହୋଇଥିଲେ ବି ଇମ୍ଫାକୁ ଆଶ୍ୱସ୍ତି ମିଳି ନଥିଲା। ଏବେ ଇମ୍ଫା ପୁଣି ଥରେ ସରକାରୀ ଜମିରେ ପାଚେରୀ ନିର୍ମାଣ କରୁଥିବାରୁ ଥାନାରେ ଏତଲା ଦେଇଛନ୍ତି ଚୌଦ୍ୱାର ବାସିନ୍ଦା। କାମ ବନ୍ଦ ନକଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚୌଦ୍ୱାର ବାସୀ ଚେତେଇ ଦେଇଛନ୍ତି। ସେପଟେ ଏସମ୍ପର୍କରେ ଇମ୍ଫା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।