ହଟ୍‌ସ୍ପଟ ବନିଛି କଟିକଟା : ତିନି ପିଲାଙ୍କ ସମେତ ୧୪ ପଜିଟିଭ ଚିହ୍ନଟ, ଯାଜପୁରରେ ଗୋଟିଏ ଦିନରେ ୧୭ ପଜିଟିଭ୍‌

ଭୁବନେଶ୍ୱର/ଯାଜପୁର ଟାଉନ୍‌ : ରାଜ୍ୟରେ ନୂଆ କରୋନା ହଟ୍‌ସ୍ପଟ ବନିଛି ଯାଜପୁରର କଟିକଟା । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଏହି ଅଞ୍ଚଳରେ ଆଜି ସାମନାକୁ ଆସିଛି ୧୪ ପଜିଟିଭ୍‌ କେସ୍‌ । ଏମାନଙ୍କ ଭିତରେ ଅଛନ୍ତି ୩ ବର୍ଷ ଲେଖାଏଁ ଜଣେ ଜଣେ ଶିଶୁ ପୁତ୍ର ଓ ଶିଶୁ କନ୍ୟା । ଜଣେ ୧୨ ବର୍ଷର ନାବାଳକ । ଜଣେ ୮୫ ବର୍ଷର ବୃଦ୍ଧା ଓ ୬୨ ବର୍ଷୀୟ ବୃଦ୍ଧ । ପୂର୍ବରୁ କଟିକଟା ଅଞ୍ଚଳରୁ ୬ ପଶ୍ଚିମବଙ୍ଗ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଏଠାରେ ରହୁଛନ୍ତି ୨୬୯ଟି ପରିବାର । ସେଥିରୁ ପ୍ରାୟ ୨ଶହ ନମୂନା ସଂଗ୍ରହ ହୋଇଛି ।

ସରକାର କହିଲେ ଡରିବାର ନାହିଁ

ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ୍‌ କେସ୍‌ ସାମନାକୁ ଆସିଥିଲେ ମଧ୍ୟ ଆଶ୍ୱସ୍ତିକର ଖବର ହେଉଛି, ଗୋଟିଏ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି ୧୪ ଜଣ ଯାକ ଆକ୍ରାନ୍ତ । ଘଟଣାକୁ ନେଇ ଛାନିଆ ହେବାର ନାହିଁ ବୋଲି ସରକାର କହିଛନ୍ତି ।
୨୪ ଘଣ୍ଟା ଭିତରେ ଯାଜପୁର ଜିଲ୍ଲାରୁ ୧୭ଟି ପଜିଟିଭ କେସ୍‌ ଆସିଛି । ପୂର୍ବରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ ଯାଜପୁର ଜିଲ୍ଲା ସକ୍ରିୟ ସଂକ୍ରମିତ ସଂଖ୍ୟାରେ ଖୋର୍ଦ୍ଧାକୁ ପଛରେ ପକାଇ ଏକ ନମ୍ବରରେ ପହଞ୍ଚି ଯାଇଛି । ବର୍ତ୍ତମାନ ଯାଜପୁର ଜିଲ୍ଲାରେ ସକ୍ରିୟ ବା ଚିକିତ୍ସାଧୀନଙ୍କ କେସ୍‌ ହେଉଛି ୩୫ । ଅଧିକାଂଶ ପଶ୍ଚିମବଙ୍ଗ ଫେରନ୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
ଗତ ଏପ୍ରିଲ ୩ ତାରିଖରେ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ପ୍ରଥମ ଆକ୍ରାନ୍ତ । ଏହାର ୧୦ ଦିନ ପରେ ୧୩ ତାରିଖରେ ଦ୍ୱିତୀୟ ପଜିଟିଭ୍‌ ଆସିଥିଲା । ୨୦ ତାରିଖରେ ଭୂତାଣୁରେ ସଂକ୍ରମିତ ହୋଇଥିଲେ ଏକାଥରକେ ୫ ଜଣ । ତାପରଠୁ ଆଜି ଭିତରେ ୩୪ ଜଣ ଆକ୍ରାନ୍ତ ହୋଇଛନ୍ତି । ପଶ୍ଚିମବଙ୍ଗ ଫେରନ୍ତା ଯାଜପୁର ଜିଲ୍ଲା ପାଇଁ ଚିନ୍ତା ବଢ଼ାଇଛନ୍ତି ।

ଦଶରଥପୁରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍‌

JAJPUR-2

ଏପଟେ ଯାଜପୁର ଜିଲ୍ଲା ପ୍ରଶାସନ ଦଶରଥପୁରରେ କଣ୍ଟେନମେଣ୍ଟ ଅଞ୍ଚଳକୁ ବଢ଼ାଇ ଦେଇଛି । ଗୋପାଳପୁର ଏବଂ ଡାହାଣଅଟା ପଂଚାୟତର ୫ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ଏଥିପାଇଁ ୨ ଜଣ ନୋଡାଲ ଅଧିକାରୀ ନିଯୁକ୍ତି ଦିଆଯାଇଛି । କଟିକଟା ଅଞ୍ଚଳରେ ପୂର୍ବରୁ ଲାଗୁ ହୋଇଥିବା କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିଛି।

Leave A Reply

Your email address will not be published.