ଆଦିବାସୀଙ୍କ ରୋଜଗାର ସାଜିଛି କେନ୍ଦୁପତ୍ର, ଜାଣନ୍ତୁ କେମିତି ଏଥିରୁ ଗୁଜୁରାଣ ମେଣ୍ଟାଇଥାନ୍ତି କନ୍ଧମାଳ ଜିଲ୍ଳାର ଅଧିବାସୀ

କନ୍ଧମାଳ(କେନ୍ୟୁଜ): ଜଙ୍ଗଲ ଓ ପାହାଡରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଳା । ଋତୁ ଅନୁଯାୟୀ ଜଙ୍ଗଲରେ ରହିଥିବା ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ଏହି ଜିଲ୍ଳାର ଅଧିବାସୀ । ସେଥି ମଧ୍ୟରୁ କେନ୍ଦୁପତ୍ର ଅନ୍ଯତମ । ପ୍ରତି ବର୍ଷ ଏପ୍ରେଲ୍‌ ମାସରୁ ମେ ମାସ ଯାଏ ପ୍ରାୟ ଏକ ମାସ ଧରି ଜଙ୍ଗଲରୁ କେନ୍ଦୁ ପତ୍ର ତୋଳି ନିକଟସ୍ଥ ଫଡିକୁ ଆଣି ବିକ୍ରୟ କରିଥାନ୍ତି ।

ଛୋଟ ଛୋଟ କେନ୍ଦୁ ଗଛରୁ ଗୋଟି ଗୋଟି କରି ନିଖୁଣ ପତ୍ର ତୋଳି ପତ୍ର ଗୁଡିକୁ ଏକତ୍ରିତ କରି ମୁଣାରେ ପୁରାଇ ଜଙ୍ଗଲରୁ ଘରକୁ ଆଣିଥାନ୍ତି । ପରବର୍ତି ସମୟରେ ଘରେ କେନ୍ଦୁ ପତ୍ର ଗୁଡିକୁ ଗଣିଗଣି ବିଡା ବାନ୍ଧିଥାନ୍ତି। ଯାହାକୁ ଚଟ୍ଟା ବା କେରି କୁହାଯାଏ । ଗୋଟିଏ କେରିରେ ୨୦ ଗୋଟି ପତ୍ର ରହିଥାଏ । କେରି ବାନ୍ଧିବା ପରେ ନିକଟ ଫଡିକୁ ଆଣି ଫଡିରେ ନିୟୋଜିତ ଥିବା ମୁନ୍‌ସି ଓ ଚପରାଶି ମାନଙ୍କୁ ହିସାବରେ କେରି ଗୁଡିକୁ ଗଣି ଗଣି ଦେଇଥାନ୍ତି ଓ କଚାଁ ଭାବେ ବନ୍ଧା ଯାଇଥିବା କେରିର ପତ୍ରକୁ ଫଡିରେ ରଖିଥାନ୍ତି ।

patra

ଏହିପରି ନିୟମିତ ଭାବେ ପ୍ରତି ବର୍ଷ ଏପ୍ରିଲ୍‌ ମାସରୁ ମେ ମାସ ଦୀର୍ଘ ଏକ ମାସ ଧରି ପଞ୍ଜିକୃତ କେନ୍ଦୁପତ୍ର ତୋଳାଳି ମାନେ ଭୋର ସକାଳୁ ସକାଳୁ ନିକଟ ଜଙ୍ଗଲକୁ ଯାଇ କେନ୍ଦୁ ପତ୍ର ସଂଗ୍ରହ କରି ବିଡା ବାନ୍ଧି ଫଡିରେ ଦେଇଥାନ୍ତି । ପରବର୍ତି ସମୟରେ କେତେ ପରିମାଣର କେରି ଦେଇଛନ୍ତି ତାହା ହିସାବ ନିକାସ କରି ସମୁଦାୟ ଅର୍ଥ ପଞ୍ଜିକୃତ ହିତାଧିକାରୀଙ୍କ ବ୍ଯାଙ୍କ୍‌ ଆକାଉଣ୍ଟରେ ଅର୍ଥ ଜମା କରାଯାଇଥାଏ । କନ୍ଧମାଳ ଜିଲ୍ଳାରେ ବସବାସ କରୁଥିବା ଅନୁସୁଚିତ ଜାତି ଓ ଜନଜାତି ବର୍ଗର ମହିଳା ଓ ପୁରୁଷ ମାନେ ଋତୁ ଅନୁସାରେ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ଯ ଯେମିତିକି ମହୁଲ,ଗରା,ଆମ୍ବ ଓ ପଣସ ଭଳି ସଂଗ୍ରହ କରି ବଜାରରେ ବିକ୍ରୟ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ବିଶେଷ କରି ପୁରୁଷ ମାନଙ୍କ ଅପେକ୍ଷା ବହୁ ସଂଖ୍ଯାରେ ମହିଳା ମାନେ କେନ୍ଦୁପତ୍ର ସଂଗ୍ରହ କରି ଆତ୍ମ ନିର୍ଭରଶୀଳ ହୋଇଥାନ୍ତି।

ଏହି ଜିଲ୍ଲାର ଅନେକ ଅଧିବାସୀ ଗରିବ ଶ୍ରେଣୀର ହୋଇଥିବାରୁ ନିଜ ପିଲାଙ୍କୁ କିପରି ଭଲ ପାଠ ପଠାଇବେ ସେ ନେଇ ବିଭିନ୍ନ କ୍ଷେତ୍ରରେ ଦିନ ମଜୁରିଆ ଭାବେ କାମ କରିବା ସହ ଋତୁ ଜନିତ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ନିର୍ଭର କରିଥାନ୍ତି । ସେହିପରି ଛାତ୍ରୀ ମାନେ ମଧ୍ୟ ପରିବାରକୁ ଆର୍ଥିକ କ୍ଷେତ୍ରରେ ସାହାଯ୍ଯ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ କାମରେ ନିୟୋଜିତ ହେଉଥିବା ଦେଖିବାକୁ ମିଳିଥାଏ । କିନ୍ତି ଚଳିତ ବର୍ଷ ଜଙ୍ଗଲରେ କେନ୍ଦୁ ପତ୍ର କମ୍‌ ପରିମାଣରେ ରହିଥିବାରୁ ଭଲ ରୋଜଗାର ହୋଇପାରିବ ନାହିଁ ବୋଲି କହିଛନ୍ତି କିଛି କେନ୍ଦୁପତ୍ର ତୋଳାଳି । ଅନ୍ଯ ପକ୍ଷରେ କେନ୍ଦୁଲିଫ୍‌ ବନଖଣ୍ଡ ବିଭାଗ ପକ୍ଷରୁ ମାର୍ଚ୍ଚ ମାସରୁ ବିଭିନ୍ନ ସରକ୍ଷିଂତ ଜଙ୍ଗଲରେ ବୁସ୍‌ କଟିଙ୍ଗ୍‌ କରି କିପରି ଭଲ ପତ୍ର ସଂଗ୍ରହ କରିପାରିବେ ହିତାଧିକାରୀ ସେନେଇ ସମସ୍ତ ବ୍ଯବସ୍ଥା କରାଯାଇଛି । କନ୍ଧମାଳ ଜିଲ୍ଲାରେ ପ୍ରାୟ ୪୦ ହଜାର ୩୫୦ଜଣ ପଞ୍ଜିକୃତ କେନ୍ଦୁ ପତ୍ର ତୋଳାଳି ରହିଛନ୍ତି । ଚଳିତ ବର୍ଷ ରଜ୍ଯ ସରକାର କେନ୍ଦୁପତ୍ର ତୋଳାଳି ମାନଙ୍କ ଆର୍ଥିକ ପରିସ୍ଥିତି କିପରି ସ୍ୱଛଳ ହେବ ସେ ନେଇ ୫୦ ପ୍ରତିଶତ ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ସହ ଛତା,ଚପଲ,ପାଣି ବୋତଲ,କେରି ବ୍ଯାଗ୍‌ ପ୍ରଦାନ କରାଯାଇଛି । ଆମ୍‌ ଆଦ୍‌ମୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ବସୁଧା ଯୋଜନାରେ ହିତାଧିକାରୀ ମାନଙ୍କ ସାଧାରଣ ମୃତ୍ୟୁ ନିମନ୍ତେ ୩୦ ହଜାର ଟଙ୍କା,ଦୁର୍ଘଟଣା ମୃତ୍ୟୁ ନିମନ୍ତେ ୭୫ ହଜାର ଟଙ୍କା ରହିଥିବା ବେଳେ ଶିକ୍ଷାବୃତି ଯୋଜନାରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପଯନ୍ତ ପ୍ରତି ୬ ମାସରେ ଥରେ ୬ଶହ ଟଙ୍କା ଛାତ୍ର ବୃତି ମିଳିବା ଭଳି ଅନେକ ସୁବିଧା ବଜାୟ ରହିଥିବାରୁ ରାଜ୍ଯ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦୁପତ୍ର ତୋଳାଳି ମାନେ ।

ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ ପକ୍ଷରୁ କେନ୍ଦୁ ପତ୍ର ତୋଳାଳି ଓ କର୍ମଚାରୀଙ୍କ ବୋନସ୍‌ ବୃଦ୍ଧି କରିବା ସହ ଅନ୍ଯ ମାନଙ୍କ ପରି ସମସ୍ତ ସରକାରୀ ସୁବିଧା କିପରି ପାଇବେ ସେ ନେଇ ବାରମ୍ବାର ବିକ୍ଷୋଭ କରିଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ଯ ସରକାର କେନ୍ଦୁ ପତ୍ର ତୋଳାଳି,ମୁନ୍‌ସି ଓ କର୍ମଚାରୀଙ୍କୁ ବୋନସ୍‌ ପ୍ରଦାନ କରିଛନ୍ତି । ଅନେକ ସମୟରେ କେନ୍ଦୁ ପତ୍ର ତୋଳଳି ମାନେ ନିଜ ବ୍ଯାଙ୍କ୍‌ ଖାତାକୁ ଠିକ୍‌ ଭାବରେ ଟଙ୍କା ଚଢୁ ନଥିବାରୁ ଅନେକ ସମୟରେ ନିକଟ କେନ୍ଦୁଲିଫ୍‌ ରେ୍‌ ଅଫିସ୍‌ କୁ ଆସି ନିଜର ଦୁଃଖ ଜଣାଇଥାନ୍ତି । କେନ୍ଦୁପତ୍ର ତୋଳଳି ମାନଙ୍କ ଏହିପରି ସମସ୍ଯାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ଓଡିଶା କେନ୍ଦୁ ପତ୍ର କର୍ମଚାରୀ ସଂଘର ଡିଭିଜନ ସମ୍ପାଦକ ସରୋଜ କର୍ଣ୍ଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.