ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଂରେ କିଟ୍‌

ଭୁବନେଶ୍ବର(କେନ୍ଯୁଜ୍) :  ଟାଇମ୍‌ସ ହାୟର ଏଜୁକେସନ ବିଶ୍ୱବିଦ୍ୟାଳୟ ବିଶ୍ୱ ର‍୍ୟାଙ୍କିଂ ୨୦୧୯ରେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ‘ଦି ଟାଇମ୍‌ସ ହାୟର ଏଜୁକେସନ୍‌’ ପକ୍ଷରୁ ସେପଟେମ୍ବର ୨୬ ତାରିଖରେ ୨୦୧୯ ବର୍ଷ ପାଇଁ ପ୍ରକାଶିତ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଂ ତାଲିକାରେ କିଟ୍‌ ‘୧୦୦୧+ ତମ’ ସ୍ଥାନ ହାସଲ କରିଛି । ୧୯୯୭ରେ ପ୍ରତିଷ୍ଠିତ କିଟ୍‌ ବୃତ୍ତିଗତ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ମାତ୍ର ୨୦ ବର୍ଷର ଶିକ୍ଷାନୁଷ୍ଠାନ ହୋଇଥିବାବେଳେ ୨୦୦୪ରେ ଏହା ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା । ବିଶ୍ୱବିଦ୍ୟାଳୟ ଭାବେ କିଟ୍‌ ମାତ୍ର ୧୪ ବର୍ଷର ଅନୁଷ୍ଠାନ ହୋଇଥିବାବେଳେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଂରେ ବିଶ୍ୱର ଅନ୍ୟ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ସ୍ଥାନ ପାଇଛି । ଏଭଳି ବିଶ୍ୱସ୍ତରୀୟ ର‍୍ୟାଙ୍କିଂରେ ସ୍ଥାନ ପାଇବାରେ କିଟ୍‌ ହେଉଛି ସମଗ୍ର ପୂର୍ବ ଭାରତର ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱ ସ୍ତରୀୟ ର‍୍ୟାଙ୍କିଂରେ ଓଡ଼ିଶାର ଆଇଆଇଟି ଓ ଏନ୍‌ଆଇଟି ତଥା ଦକ୍ଷିଣ ଭାରତର କେତେକ ଲବ୍ଧ ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବାବେଳେ କିଟ୍‌ ଏହି ସମ୍ମାନଜନକ ତାଲିକାରେ ରହିଛି ।

ଟାଇମ୍‌ସ ହାୟର ଏଜୁକେସନ୍‌ ପକ୍ଷରୁ ଚଳିତବର୍ଷ କରାଯାଇଥିବା ଏହି ର‍୍ୟାଙ୍କିଂ ପ୍ରକ୍ରିୟାରେ ବିଶ୍ୱର ୮୬ଟି ଦେଶର ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଏହି ର‍୍ୟାଙ୍କିଂ ସମଗ୍ର ବିଶ୍ୱରେ ଛାତ୍ରଛାତ୍ରୀ, ଶିକ୍ଷାବିତ୍‌, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ବିଭିନ୍ନ ଶିଳ୍ପ ସଂସ୍ଥା ଏବଂ ସରକାରଙ୍କ ବିଶ୍ୱାସଭାଜନ ହୋଇ ଆସୁଛି । କିଟ୍‌ର ଏହି ସଫଳତାରେ ଆନନ୍ଦ ପ୍ରକାଶ କରି ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ନିରବଛିନ୍ନ ପରିଶ୍ରମ ଓ ସର୍ବୋପରି ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ମାତ୍ର ୫ ହଜାର ଟଙ୍କାରେ ଏକ ଭଡା ଘରେ ଆରମ୍ଭ ହୋଇଥିବା କିଟ୍‌ ଆଜି ବିଶ୍ୱସ୍ତରୀୟ ସ୍ୱୀକୃତିଲାଭ କରିଛି ଏବଂ ବିଶ୍ୱର ଶ୍ରେଷ୍ଠ ୧୦୦୧ + ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିପାରିଛି ବୋଲି  ଡକ୍ଟର ସାମନ୍ତ କହିଛନ୍ତି । ଏହି ସଫଳତା ପାଇଁ  ଡକ୍ଟର ସାମନ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ କୃତଜ୍ଞତା ଜଣାଇବା ସହ ଭବିଷ୍ୟତରେ ଟାଇମ୍‌ସ୍‌ ହାୟର ଏଜୁକେଶନ ବିଶ୍ୱବିଦ୍ୟାଳୟ ବିଶ୍ୱ ର‍୍ୟାଙ୍କିଙ୍ଗରେ କିଟ୍‌ ବିଶ୍ୱବିଦ୍ୟାଳୟ ଆହୁରି ଅଧିକ ସଫଳତା ଆଣି ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.