ପଞ୍ଚଭୂତରେ ବିଲୀନ ହେଲେ ପ୍ରଦୀପ ମହାରଥୀ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ସଂପନ୍ନ ହେଲା ଶେଷକୃତ୍ୟ

କେନ୍ୟୁଜ୍(ବ୍ୟୁରୋ): ପଞ୍ଚଭୂତରେ ବିଲୀନ ହେଲେ ପ୍ରଦୀପ ମହାରଥୀ। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ ସଂପନ୍ନ ହୋଇଛି। ମହାରଥୀଙ୍କ ମରଶରୀର ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା।

ପରେ ମେଡିକାଲରୁ ତାଙ୍କ ମରଶରୀରକୁ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ଅଣାଯାଇଥିଲା । ସେଠାରେ ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀ ତାଙ୍କୁ ଶେଷ ଦର୍ଶନ କରିଥିଲେ । ଏହା ପରେ ମହାରଥୀଙ୍କ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଧାନସଭାରୁ ତାଙ୍କ ପାର୍ଥିବ ଶରୀରକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀମାନେ ପ୍ରଦାପ ମହାରଥୀଙ୍କୁ ଶେଷ ଦର୍ଶନ କରିଥିଲେ । ବିଜେଡି କାର୍ଯ୍ୟାଳୟରୁ ପାର୍ଥିବ ଶରୀର ଯାଇଥିଲା ପିପିଲି ।

ସେଠାରେ ଉପସ୍ଥିତ ଥିବା ଦଳୀୟ କର୍ମୀ ଓ ତାଙ୍କ ସମର୍ଥକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ପ୍ରଦୀପ ମହାରଥୀ । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜଣେ ଟାଣୁଆ ନେତା ଥିଲେ । କରୋନାରେ ଆକ୍ରାନ୍ତ ହୋଇ ଗତ ମାସ ୧୪ ତାରିଖରେ ସମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ କିଛି ଦିନ ପରେ ସେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ । ଅବସ୍ଥା ଗୁରୁତର ହେବାରୁ ତିନି ଦିନ ତଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଭେଣ୍ଟିଲେଟରରେ ଥିଲେ । ଶେଷରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି ।