Below header

ମାମଲାର ଫଇସଲା ହେଲା ୩୨ ବର୍ଷ ପରେ, ହତ୍ୟା ଅଭିଯୁକ୍ତର ଜେଲ୍ ଦଣ୍ଡାଦେଶ କମିଲା ୫ ବର୍ଷକୁ

ରାଇରଙ୍ଗପୁର (କେ ନ୍ୟୁଜ୍‌) : ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ । ୩୨ ବର୍ଷ ପରେ ମିଳିଛି କନ୍ଧ ମାଝୀ ପରିବାରକୁ ନ୍ୟାୟ । ହେଲେ କୋର୍ଟଙ୍କ ନ୍ୟାୟ ବିଚାର ଶୁଣିବାକୁ ହିଁ କେହି ନାହାନ୍ତି ତାଙ୍କ ପରିବାରରେ । ଅନ୍ୟପଟେ ଅଭିଯୁକ୍ତ ଗୁଲାଇ ମାଝୀଙ୍କୁ ୬୫ବର୍ଷ ବୟସରେ ଦୋଷୀ ସାବ୍ୟସ୍ତ କରାଯାଇଛି । ୫ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ହାଇକୋର୍ଟ । ଏକ ହତ୍ୟା ମାମଲାରେ ନିମ୍ନ ଅଦାଲତ ଦ୍ୱାରା ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହୋଇଥିଲେ ସେ । ଏହି ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଥିଲେ ମଧ୍ୟ ଦଣ୍ଡ ସମୟକୁ ୨ବର୍ଷ କୋହଳ କରିଛନ୍ତି ।

୩୨ ବର୍ଷ ତଳର ଏହି ମାମଲାରେ ଜାମିନରେ ଥିବା ଅଭିଯୁକ୍ତ ଗୁଲାଇ ମାଝୀର ବୟସ ଏବେ ୬୫ ବର୍ଷ । ତେବେ ଅଭିଯୁକ୍ତ ନାମରେ ଅନ୍ୟ କୌଣସି କେସ୍ ନଥିବା ତଥା ବୟସାଧିକ୍ୟକୁ ଦେଖି କୋର୍ଟ ତାଙ୍କୁ ୫ବର୍ଷ ଜେଲଦଣ୍ଡ ଦେଇଛନ୍ତି । ଆସାମୀ ଗୁଲାଇ ମାଝୀର ଆବେଦନକୁ ଖାରଜ କରିବା ଅବସରରେ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।

JUSTICE-4

ମୟୁରଭଂଜ ଜିଲ୍ଲା ଗୋରୁମହିଷାଣି ଥାନା କେନ୍ଦୁଆ ଗାଁର ଘଟଣା । କେନାଲରେ ବନ୍ଧ ବାନ୍ଧିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । କନ୍ଧ ମାଝୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗୁଲାଇ ମାଝିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୟୁରଭଂଜ ଜିଲ୍ଲା ଦୌରାଜଜ୍ ୧୯୮୮ ମସିହା ଅକ୍ଟୋବର ୩ ତାରିଖରେ ମାମଲାର ରାୟ ପ୍ରକାଶ କରି ଗୁଲାଇଙ୍କୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଗୁଲାଇ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ସେହି ବର୍ଷ ନଭେମ୍ବର ୧୫ତାରିଖରେ ଗୁଲାଇଙ୍କୁ ଜାମିନ ପ୍ରଦାନ କରିଥିଲେ । ସେବେଠାରୁ ଏହି ମାମଲା କୋର୍ଟରେ ଗଡି ଆସୁଥିଲା । ଘଟଣା ପରଠାରୁ ଜାମିନ ମିଳିବା ଭିତରେ ଗୁଲାଇ ମାଝୀ ମୋଟ ୪ମାସ ଜେଲ ଦଣ୍ତ ଭୋଗି ସାରିଛନ୍ତି । ଏବେ ଜୀବନର ଶେଷ ଭାଗରେ ତାଙ୍କୁ ଭୋଗିବାକୁ ବଡ଼ିବ ୫ ବର୍ଷ ଜେଲ୍‌ଦଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.