Below header

ବିଧାନ ପରିଷଦ ଗଠନ ନେଇ ଓଡ଼ିଶାରୁ କୌଣସି ପ୍ରସ୍ତାବ ମିଳିନାହିଁ: କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ

କେନ୍ୟୁଜ୍(ବ୍ୟୁରୋ): ବିଧାନ ପରିଷଦ ଗଠନ ନେଇ ଓଡ଼ିଶାରୁ କୌଣସି ପ୍ରସ୍ତାବ ମିଳିନାହିଁ । ରେକର୍ଡ ହୋଇଥିବା ସୂଚନା ମୁତାବକ ଏପରି ପ୍ରସ୍ତାବ ଆସିନଥିବା କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ । ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନ ପଚାରିଥିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।  ପ୍ରଶ୍ନ ଥିଲା, କେଉଁ ରାଜ୍ୟରେ ବିଧାନପରିଷଦ ଅଛି ? କେଉଁ ରାଜ୍ୟରେ ବିଧାନପରିଷଦ ଲାଗି ବିଧାନସଭାରେ ସର୍ବ ସମ୍ମତିରେ ପ୍ରସ୍ତାବ ପାରିତ ହୋଇଛି ? ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇଛନ୍ତି କି ? ଏହାର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ରେକର୍ଡ ମୁତାବକ ଓଡ଼ିଶାରୁ କୌଣସି ପ୍ରସ୍ତାବ ଆସିନାହିଁ ।

ସର୍ବସମ୍ମିତିରେ ପ୍ରସ୍ତାବ ଗୃହୀତ ହୋଇଥିବା ସମ୍ପର୍କରେ ରାଜ୍ୟଠାରୁ ସୂଚନା ସଂଗ୍ରହ କରାଯାଉଥିବା ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ମୁତାବକ ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ବିଧାନ ପରିଷଦ ରହିଛି । ଆସାମ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ବିଧାନ ପରିଷଦ ଗଠନ ନେଇ ବିଧାନସଭାରେ ସର୍ବସମ୍ମତିରେ ପ୍ରସ୍ତାବ ଗୃହୀତ କରିଛନ୍ତି । କିନ୍ତୁ ଓଡ଼ିଶାରୁ ପ୍ରସ୍ତାବ ଆସିନଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ୨୦୧୮ ମସିହା ସେପ୍ଟେମ୍ବର ୬ ତାରିଖରେ ବିଧାନ ପରିଷଦ ନେଇ ବିଧାନସଭାରେ ସଂକଳ୍ପ ଗୃହୀତ ହୋଇଥିଲା । ତାପୂର୍ବରୁ ପ୍ରସ୍ତାବରେ ମୋହର ମାରିଥିଲା ରାଜ୍ୟ କ୍ୟାବିନେଟ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.