କାଜୁ ବଗିଚାରୁ କଲରାପତରିଆ ବାଘର ମୃତ ଦେହ ଉଦ୍ଧାର
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ମିଣ୍ଡୋଳ ଗାଁ ନିକଟ ଏକ କାଜୁ ବଗିଚାରୁ କଲରାପତରିଆ ବାଘର ଗଳିତ ଶବ ମିଳିଛି। ବାଘଟି ଫାଶରେ ପଡି ମରିଥିବା ଅନୁମାନ କରାଯାଉଛି ।

ଅନୁଗୁଳ(କେନ୍ୟୁଜ) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ମିଣ୍ଡୋଳ ଗାଁ ନିକଟ ଏକ କାଜୁ ବଗିଚାରୁ କଲରାପତରିଆ ବାଘର ଗଳିତ ଶବ ମିଳିଛି। ବାଘଟି ଫାଶରେ ପଡି ମରିଥିବା ଅନୁମାନ କରାଯାଉଛି । କାରଣ ବାଘର ମୃତଦେହ ପଚି ଶଢ଼ି ଗଲାଣି। ବାଘଟି କେମିତି ମଲା ? କିଏ ମାରିଲା ନା ସ୍ଵାଭାବିକ ମୃତ୍ୟୁ ? ତାହା ଜଣାପଡ଼ିନାହିଁ । କଲରାପତରିଆ ବାଘଟିର ସ୍ଵାଭାବିକ ଭାବେ ମୃତ୍ୟୁ ହୋଇଛି କି ତାକୁ ଶିକାରୀ ମାରିଛନ୍ତି ତାହା ଜଣାପଡୁ ନାହିଁ। ଝାଡ଼ି ଭିତରେ ଫସି ଯାଇ ବାଘଟି ମୁକୁଳି ପାରି ନଥିବା ବି ଅନୁମାନ କରାଯାଉଛି। କାରଣ ଫାଶ ଭିତରେ ବାଘର ବେକ ଓ ଦେହ ଚାପି ହୋଇ ରହିଛି।
ବାଘର ଶବ ପଚି ଯାଇଥିବାରୁ ୩/୪ ଦିନ ତଳୁ ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଅନୁଗୁଳ ଜିଲ୍ଲାରେ କଲରାପତରିଆ ବାଘର ମୃତ୍ୟୁ କିଛି ନୂଆ ନୁହେଁ । ଗତବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ସାତକୋଶିଆ ଅଭୟାରଣ୍ୟ କୁଲାଙ୍ଗୀ ଗାଁ ପାଖରେ ଫାସରେ ପଡ଼ି ମା’ ଓ ଛୁଆ ବାଘ ପ୍ରାଣ ହରାଇଥିଲେ। ୨୦୨୨ ନଭେମ୍ବର ମାସରେ ଆଠମଲ୍ଲିକ ବାମୁର ବନାଞ୍ଚଳରେ କଲରାପତରିଆ ବାଘର ଶିକାର ହୋଇଥିଲା । ଖେସରା ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାଘ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସେତେବେଳେ ୪ଜଣଙ୍କୁ ବନବିଭାଗ ଗିରଫ କରିଥିଲା । ୨୦୧୯ ଜାନୁଆରି ପ୍ରଥମ ସପ୍ତାହରେ ରେଙ୍ଗାଳି ଜଳପ୍ରପାତ ନିକଟରେ ଏକ କଲରାପତରିଆ ବାଘର ଶବ ମିଳିଥିଲା । ଏବେ ଶିକାରୀଙ୍କ ନଜର ପଡ଼ିଛି କଲରାପତରିଆଙ୍କ ଉପରେ
ସୂଚନାଯୋଗ୍ୟ ଯେ, ମହାବଳଶୂନ୍ୟ ଜଙ୍ଗଲରେ ଉପରେ ଜିଲ୍ଲା ଭିତରେ ଯାଉଥିବା ଅନୁଗୁଳ, ସାତକୋଶିଆ, ଆଠମଲ୍ଲିକ ଓ ଦେବଗଡ଼ ବନଖଣ୍ଡ (ଅଂଶ)ରେ କଲରାପତରିଆ ବାଘ ରହିଥିବାବେଳେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।