ରାକ୍ଷୀ ବାନ୍ଧିବା ପରେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ସୋର (କେନ୍ୟୁଜ୍‌) : ରାକ୍ଷୀ ଭିଜିଗଲା ଆଖି ଲୁହରେ । ଇଏ ସିନେମା କାହାଣୀ ନୁହେଁ । ଏଭଳି ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗାଁରେ । ଆଜି ଅପରାହ୍ନରେ ବଜ୍ରାଘାତରେ ଦୁଇ ଜଣ ପିଲାଙ୍କର ମୃତ୍ୟୁ ଘଟିଛି । ଜଣେ ପୁଅ ଓ ଜଣେ ଝିଅ । ତେବେ ଅତି ଦୁଃଖଦ ଘଟଣା ହେଉଛି ରାକ୍ଷୀ ବାନ୍ଧିବା ପରେ ବ୍ରଜାଘାତ ଯୋଗୁଁ ଏହି ସମ୍ପର୍କୀୟ ଭାଇ ଭଉଣୀଙ୍କ ଜୀବନ ଚାଲି ଯାଇଛି ।

ଆଜି ରାକ୍ଷୀ ପୂର୍ଣ୍ଣିମାରେ ମଣ୍ଡ ଗାଁର ଭାସ୍କର ବେହେରାଙ୍କର ୧୨ ବର୍ଷର ଝିଅ ଆଶା ନିଜ ଗାଁର ନିରଞ୍ଜନ ଦଳେଇଙ୍କର ୧୫ବର୍ଷର ପୁଅ ସୁଶାନ୍ତକୁ ରାକ୍ଷୀ ବାନ୍ଧିବା ପାଇଁ ତାଙ୍କ ଘରକୁ ଆସିଥିଲା । ଘରେ ଥିଲା ବେଶ୍ ଖୁସିର ପରିବେଶ । ଆଶା ସୁଶାନ୍ତକୁ ରାକ୍ଷୀ ବାନ୍ଧି ସାରିଲା ପରେ ସୁଶାନ୍ତ ପରିବାର ସହ ଏକାଠି ବସି ଖାଉଥିଲା । ତେବେ ସେତିକି ବେଳେ ହଠାତ ବଜ୍ରାଘାତ ହୋଇଥିଲା । ତାହା ପୁଣି ଘର ଭିତରେ ଏଥିରେ ଏହି ଦୁଇ ଭାଇ ଭଉଣୀ ଖାଉ ଖାଉ ସେଇଠି ଟଳି ପଡ଼ିଲେ । ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ସୁଶାନ୍ତ ଡାହାଣ ହାତରେ ସେମିତି ରହିଯାଇଥିଲା ଆଶା ବାନ୍ଧିଥିବା ରାକ୍ଷୀ ।

ଏମାନଙ୍କ ସହ ଅନ୍ୟ ଦୁଇ ଜଣ ରଙ୍ଗଲତା ପ୍ରଧାନ ଓ ତାଙ୍କ ସ୍ୱାମୀ ବିଜୟ ପ୍ରଧାନ ଆହତ ହୋଇ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏଭଳି ଏକ ମର୍ମସ୍ପର୍ଶୀ ଘଟଣା ମଣ୍ଡ ଗାଁରେ ଶୋକର ବାତାବରଣ ଖେଳାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.