Below header

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ଅଭିଯୁକ୍ତଙ୍କ ଗିରଫ ଦାବିରେ କୁଆଖିଆ ଥାନା ଘେରାଉ କଲେ ଗ୍ରାମବାସୀ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା କୁଆଖିଆ ଥାନା ଗନ୍ଧଣ ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳ ଘଟଣା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଆଖିଆ ଥାନା ସମ୍ମୁଖରେ ଗ୍ରାମବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ଗ୍ରାମର ଉଭୟ ପୁରୁଷ ଓ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସୂଚନା ମୁତାବକ ଗନ୍ଧଣ ଗ୍ରାମରେ ଅନାବାଦି ଗୋଚର ଜମିକୁ ନେଇ ସେହି ଗ୍ରାମର ଅନାଦି ରାୟ ସାମନ୍ତଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ତିକ୍ତତା ଲାଗି ରହିଥିଲା। ତେବେ ଏହି ଜମିବାଡି ବିବାଦକୁ ନେଇ ଗତ ୯ ତାରିଖ ଦିନ ଗ୍ରାମର ମନୋଜ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଅନାଦି ରାୟ ସାମନ୍ତ ଓ ତାଙ୍କର ୨ ପୁଅ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଏନେଇ କୁଆଖିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ତେବେ ଏହି ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଅଭିଯୁକ୍ତମାନେ ଗାଁ ରେ ଖୁଲମଖୁଲା ବୁଲୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଦାବିରେ ଗନ୍ଧଣ ଗ୍ରାମବାସୀମାନେ କୁଆଖିଆ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି।  ଗ୍ରାମବାସୀମାନେ ୩ଘଣ୍ଟା କାଳ ଥାନା ଫାଟକ ସମ୍ମୁଖରେ ପ୍ରତିବାଦ କରିବା ସହ ଧାରଣାରେ ବସି ରହିଥିଲେ। ଖବର ପାଇ ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଘଟଣାର ମୁଖ୍ୟ ଅଭିଯୁକ୍ତ ଅନାଦି ରାୟ ସାମନ୍ତଙ୍କୁ ଗିରଫ କରାଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.