Below header

କହି କହି ଶୁଣୁନି ପ୍ରଶାସନ ତେଣୁ ବାଧ୍ୟହୋଇ ପିଲାଠୁ ବଡ ସମସ୍ତେ ଲାଗି ତିଆରି କଲେ କାଠ ପୋଲ

ନାଳର ଆରପଟେ ରହିଛି ସ୍କୁଲ, ଅଙ୍ଗନବାଡି, ପଂଚାୟତ । ନାଳ ଏପଟେ ରହିଯାଇଛନ୍ତି ଲୋକେ କିନ୍ତୁ ଯିବାଆସିବା ପାଇଁ ନାଳ ଉପରେ ନାହିଁ ପୋଲଟିଏ । ଖରାଦିନେ ଯେମିତି ସେମିତି ଚଳିଯା’ନ୍ତି କିନ୍ତୁ ବର୍ଷାଦିନ ଆସିଲେ ଏହି ନାଳ ପାଲଟିଯାଏ ଅଭିଶାପ । ଯିବାଆସିବା ପାଇଁ ଭୋଗିବାକୁ ପଡେ ଅନେକ ସମସ୍ୟା । ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ନାହିଁ । କହି କହି ଶୁଣିଲାନି ପ୍ରଶାସନ ତେଣୁ ଯିବାଆସିବା କରିବା ପାଇଁ ନିଜେ ତିଆରି କଲେ ଅସ୍ଥାୟୀ ପୋଲ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ଲାଞ୍ଜିରମାହା ୱାର୍ଡରେ । ଯୁଗାମୁଣ୍ଡା ନାଳ ଉପରେ ଏକ ବ୍ରିଜ କରିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହା ସରକାରଙ୍କ ଦୃଷ୍ଟିଗୋଚର ହେଲାନାହିଁ ।

କନ୍ଧମାଳ ଲେତିଙ୍ଗିଆ ପଂଚାୟତର ଲାଞ୍ଜିରମାହା ୱାର୍ଡ । ଯେଉଁଠି ବାସ କରନ୍ତି 30ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର କିନ୍ତୁ ଏହି ଗ୍ରାମକୁ ବିଛିନ୍ନ କରୁଛି ଯୁଗାମୁଣ୍ଡା ନାଳ । ଯାହାକୁ ଅତିକ୍ରମ କଲେହିଁ ସ୍କୁଲ, ପଂଚାୟତ, ତହସିଲ ଓ ମେଡିକାଲ ଭଳି ଅତ୍ୟାବଶ୍ୟକ ସ୍ଥାନକୁ ଯାଇପାରନ୍ତି ଗ୍ରାମବାସୀ । ଛୋଟ ପିଲାଠୁ ବଡ଼ ସମସ୍ତେ ଏଥିପାଇଁ ପ୍ରଭାବିତ । ତେଣୁ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ଜଙ୍ଗଲରୁ କାଠ ସଂଗ୍ରହ କରି ଏହି କାଠର ପୋଲ ନିର୍ମାଣ କରିଛନ୍ତି । କାରଣ ଆଗକୁ ଆସୁଛି ବର୍ଷାଦିନ । ଯଦି ଏବେଠୁ କିଛି ପ୍ରସ୍ତୁତି ନ କରୁଛନ୍ତି ତାହେଲେ ପ୍ରତିବର୍ଷ ଭଳି ଏବର୍ଷ ବି ହଇରାଣ ହେବାକୁ ପଡିବ । ସେଥିପାଇଁ ଗାଁ ର ପିଲାଠୁ ବଡ଼ ସମସ୍ତେ ଲାଗି ଏହି କାଠର ପୋଲ ଛିଡା କରିପାରିଛନ୍ତି । ତେବେ ଲାଞ୍ଜିରମାହା ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ଏମାନେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସେପଟେ ଏନେଇ ବାଲିଗୁଡା ଉପଜୀଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ଏଥିପାଇଁ ସ୍ଥାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.