ଟିଭି ଧାରାବାହିକ ଦେଖି ପ୍ରସ୍ତୁତ ହୋଇଥିବା ଲୁଟ୍ ଯୋଜନା ଫେଲ୍, ଘରୋଇ ଫାଇନାନ୍ସ କମ୍ପାନୀର ଯୁବତୀଙ୍କ ସମେତ ୩ ଗିରଫ

କଟକ(କେନ୍ୟୁଜ୍‌): ଟିଭି ଧାରାବାହିକ “କ୍ରାଇମ ପେଟ୍ରୋଲ” କୁ ଅନୁକରଣ କରି ପ୍ରସ୍ତୁତ ହେଲା ଲୁଟ୍ ଯୋଜନା। ଲୁଟ୍ କରି ଗିରଫ ହୋଇଛନ୍ତି ଏକ ଘରୋଇ ଫାଇନାନ୍ସ କମ୍ପାନୀର ଜଣେ ଯୁବତୀ। ଯିଏ କି ଜଣେ ଏଜେଣ୍ଟ ଭାବରେ କାମ କରୁଛନ୍ତି। ଯୁବତୀ ଙ୍କ ସହ ତାଙ୍କ ସହଯୋଗୀ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି ଲାଲବାଗ ଥାନା ପୋଲିସ୍।

ଗିରଫ ଅଭିଯୁକ୍ତ ହେଲେ ପିଙ୍କି ଓରଫ ପ୍ରିୟଙ୍କା ସାହୁ ଓ ତାଙ୍କ ସହଯୋଗୀ ପୁଚୁ ଓରଫ ଅରବିନ୍ଦ ନାୟକ। ପୋଲିସ ସୂଚନା ଅନୁଯାୟୀ ପିଙ୍କି ଓରଫ ପ୍ରିୟଙ୍କା ଏକ ଘରୋଇ ଫାଇନାନ୍ସ କମ୍ପାନୀରରେ ଏଜେଣ୍ଟ ଭାବେ କାମ କରନ୍ତି। ତେବେ ପିଙ୍କିଙ୍କର ଟଙ୍କା ଆବଶ୍ଯକ ପଡିବାରୁ ସେ ନିଜ ବନ୍ଧୁଙ୍କ ସହ ମିଶି ଲୁଟ୍ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ପିଙ୍କି ଟିଭିରେ ଦେଉଥିବା ’କ୍ରାଇମ ପେଟ୍ରୋଲ’ ଦେଖିବା ସହ ଏହି ଲୁଟ୍ ପାଇଁ ଯୋଜନା କରିଥିଲେ। ଦୁଇ ଦିନ ତଳେ ଅର୍ଥାତ ଗତ ଦୁଇ ତାରିଖରେ ପିଙ୍କି ନିଜ ଅଫିସର ସୁପରଭାଇଜର ସାଦିୟା ଖାତୁନ କୁ ଟଙ୍କା ନେବା ପାଇଁ ସୂତାହାଟ ଚର୍ଚ୍ଚ ନିକଟକୁ ଡକାଇଥିଲା। ସାଦିୟା ସେଠାରେ ପହଞ୍ଚିବା ପରେ ଦୁଇ ଜଣ ବ୍ୟକ୍ତି ହଠାତ ବାଇକରେ ଆସି ସଦିୟାଙ୍କ ପାଖରେ ଥିବା ଟଙ୍କା ବ୍ଯାଗ ଲୁଟ୍ କରି ନେଇଥିଲେ।

ତେବେ ଲୁଟ୍ ନେଇ ସଦିୟା ଲାଲବାଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ତଦନ୍ତ ସମୟରେ ପୋଲିସ ପିଙ୍କିଙ୍କ ଉପରେ ସନ୍ଦେହ କରିବା ସହ ସେ ଦିଗରେ ତଦନ୍ତ କରିବାରୁ ଲୁଟ କଥା ମାନି ନେଇଥିଲେ ପିଙ୍କି। ତେବେ ଏହି ଘଟଣାରେ ପିଙ୍କି ଙ୍କ ସମେତ ଟଙ୍କା ଲୁଟ କରିଥିବା ତାଙ୍କ ସହଯୋଗି ବନ୍ଧୁ ପୁଚୁ ଓ ଅନ୍ୟ ଜଣେ ନାବାଳକ କୁ ଗିରଫ କରିବା ସହ ପିଙ୍କି ଙ୍କ ଠାରୁ ୩୫ ହଜାର ଟଙ୍କା ଜବତ କରିଛି।ତେବେ ପିଙ୍କି ଙ୍କର ଟଙ୍କା ଆବଶ୍ଯକ ଥିବାରୁ ଏଭଳି ଲୁଟ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ପିଙ୍କି। ପୋଲିସ୍ ଅଭିଯୁକ୍ତ ତିନି ଜଣଙ୍କୁ ଆଜି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।