Below header

ପଞ୍ଚଭୂତରେ ଲୀନ ହେଲା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ମରଶରୀର, ରାଜ୍ୟ ସମ୍ମାନ ସହ ପୁରୀ ସ୍ୱର୍ଗଦ୍ୱାରରେ ଦିଆଗଲା ଶେଷ ବିଦାୟ

ପୁରୀ: ପଞ୍ଚଭୂତରେ ଲୀନ ହେଲା ମନମୋହନ ମହାପାତ୍ରଙ୍କ ପାର୍ଥିବ ଶରୀର । ପୁରୀ ସ୍ୱର୍ଗଦ୍ୱାରରେ ରାଜ୍ୟ ସମ୍ମାନ ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ମନମୋହନଙ୍କ ବଡ଼ ପୁଅ ଆଶୁତୋଷ ମହାପାତ୍ର ମୁଖାଗ୍ନି ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍‌ପି ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଉପସ୍ଥିତ ଥିଲେ । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ସେ ଏକାଧାରରେ ଥିଲେ ଜଣେ ଫିଲ୍ମ ପ୍ରଯୋଜକ, ନିର୍ଦେଶକ ଓ ଲେଖକ । ତାଙ୍କର ଅନକେ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଛି । ନିକଟରେ ସେ ଭିଜା ମାଟିର ସ୍ୱପ୍ନ ଚଳଚ୍ଚିତ୍ର ଲାଗି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଶୀତରାତି, ନିରବ ଝଡ଼, କ୍ଳାନ୍ତ ଅପରାହ୍ନ, ଭିଜା ମାଟିର ସ୍ୱର୍ଗ ଭଳି ଫିଲ୍ମ ନିର୍ମାଣ କରି ବହୁ ପ୍ରଶଂସା ସାଉଁଟିବା ସହ ପୁରସ୍କାର ପାଇଛନ୍ତି । ସେ ବିଜେବି କଲେଜରେ ପାଠ ପଢ଼ିବା ପରେ ଫିଲ୍ମ ଓ ଟେଲିଭିଜନ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରେ ନାଁ ଲେଖାଇଥିଲେ । ୧୯୫୧ରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଗଭୀର ଶୋକ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.