ଆସନ୍ତାକାଲି ଯାଏଁ ବଢିବ ବର୍ଷାର ପରିମାଣ: ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ବାୟୁମଣ୍ଡଳରେ ସକ୍ରିୟ ରହିଥିବାରୁ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ମଧ୍ୟ ହୋଇଛି। ୧୪ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା। ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ କେନ୍ଦ୍ର। ବିଜୁଳି ଓ ଘଡ଼ଘଡ଼ିର ମଧ୍ୟ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ବର୍ଷାର ପରିମାଣ ବୃଦ୍ଧି ପାଇବ।
ମଧ୍ୟମ ଧରଣର ବର୍ଷା ସହ କୁଆପଥର ମାଡ଼ ପାଇଁ ଆଜି ଆସନ୍ତାକାଲି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ୧୪ ତାରିଖର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ସହ ଘଡ଼ଘଡ଼ିର ଆଶଙ୍କା ରହିଛି। ୧୫ ତରିଖରେ କମିବ ବର୍ଷାର ପରିମାଣ। ୧୬ରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ଅଦିନିଆ ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧିଛି। ବର୍ଷା ଓ କୁଆପଥର ମାଡରେ ଫସଲ ନଷ୍ଟ ହେବା ସହ ମଣ୍ଡିରେ ଭିଜୁଛି ଧାନ। ରାଜ୍ୟରେ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି।