ଅଭିଯୁକ୍ତଙ୍କୁ ଧରି ହରଡ଼ଘଣାରେ ପୋଲିସ, ତିନି ମାସ ପରେ ଜୀବିତ ଫେରିଲେ ମୃତ ମହିଳା

ମୟୂରଭଞ୍ଜ(କେନ୍ୟୁଜ୍): ହରଡ଼ଘଣାରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ପୋଲିସ । ଜଣେ ମହିଳାଙ୍କ ହତ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଥିଲା ପୋଲିସ । କିନ୍ତୁ ଏ ଘଟଣାର ତିନି ମାସ ପରେ ମହିଳା ଜଣକ ଜୀବିତ ଥିବା ପୋଲିସ ଜାଣିବାକୁ ପାଇଛି । ଗତ ଏପ୍ରିଲ ୨୧ରେ ବାଦାମପାହାଡ଼ ଥାନାର ସଞ୍ଜୟ ନାୟକ ଓ ତାଙ୍କ ସ୍ତ୍ରୀ ରାୟମଣି ବାଙ୍କିରାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ୨୨ ତାରିଖରେ ଘର ଛାଡି ପଳାଇଥିଲେ ରାୟମଣି । ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ ସ୍ୱାମୀ ସଞ୍ଜୟ ଓ ମହିଳାଙ୍କ ବଡ଼ବାପା ମୋହନ ବାଙ୍କିରା । ଏପ୍ରିଲ ୨୭ରେ ପାହାଡ଼ପୁର ଜଙ୍ଗଲରୁ ଜଣେ ଅର୍ଦ୍ଦଦଗ୍ଧ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ସେହି ମହିଳା ଜଣଙ୍କ ରାୟମଣି ବୋଲି ସନ୍ଦେହ କରି ପୋଲିସ ସଞ୍ଜୟ ଓ ତାଙ୍କ ବାପା ମଙ୍ଗଳ ନାଏକଙ୍କୁ ଗିରଫ କରିଥିଲା । ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ଡିଏନ୍‌ଏ ମ୍ୟାଚ୍‌ ଉଦ୍ଦେଶ୍ୟରେ ଜୁଲାଇ ୧୭ରେ ପୋଲିସ କେନ୍ଦୁଝର ଯାଇଥିଲା । ରାୟମଣିଙ୍କ ମାଆ କେନ୍ଦୁଝରରେ ରହୁଥିଲେ । କିନ୍ତୁ ସେଠାରେ ପୋଲିସ ପହଞ୍ଚିବା ପରେ ଜାଣିବାକୁ ପାଇଲା, ରାୟମଣି ତାଙ୍କ ମାଆଙ୍କ ପାଖରେ ରହୁଛନ୍ତି । ଯେଉଁ ମହିଳାଙ୍କୁ ମୃତ ବୋଲି ଭାବିଥିଲା, ତାଙ୍କୁ ଜୀବିତ ଦେଖି ପୋଲିସ ହତଚକିତ ରହିଯାଇଥିଲା । ଏହି ଖବର ଜଣାପଡିବା ପରେ ସଞ୍ଜୟଙ୍କ ପରିବାର ଏବେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବେ ପ୍ରଶ୍ନ ଉଠୁଛି ବାଦାମପାହଡ଼ ପୋଲିସର କାହିଁକି ତ୍ରୁଟି ହେଲା? ପୋଲିସର ତ୍ରୁଟିରୁ ୨ ନିରିହ କାହିଁକି ୩ ମାସରୁ ଅଧିକ ସମୟ ହେବ ଜେଲରେ ଅଛନ୍ତି ? ଏଥିପାଇଁ ପୋଲିସ ଉତ୍ତରଦାୟୀ ନୁହଁ କି ? କେବେ ମୁକୁଳିବେ ବାପା-ପୁଅ ? ସେପଟେ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତ ଦେହ କାହାର ? ପୋଲିସ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.