ଭୁବନେଶ୍ୱର କିସ୍‌ କ୍ୟାମ୍ପସରେ ଆୟୋଜିତ ହେଉଛି ‘କଳାକୁମ୍ଭ’

ଭୁବନେଶ୍ୱର : କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଏନଜିଏମଏ ଆନୁକୂଲ୍ୟରେ କିଟ୍‌ ଓ କିସ୍‌ରେ କଳାକୁମ୍ଭ ଆରମ୍ଭ । ନିକଟରେ କିଟ୍‌-କିସ୍‌ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ-NGMA ସହ ନୂଆଦିଲ୍ଲୀରେ ଜନଜାତି କଳା, ସଂସ୍କୃତି ଓ ପରମ୍ପରା ସୁରକ୍ଷା ପାଇଁ ଏକ ବୁଝାମଣା ହୋଇଥିଲା । ଏହି ବୁଝାମଣା ଅନୁସାରେ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପକ୍ଷରୁ କିଟ୍‌ ଓ କିସ୍‌ ସହଯୋଗରେ କିସ୍‌ ପରିସରରେ କଳାକୁମ୍ଭ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ଯାଏ ଚାଲିବ ।

KALAKUMBHA-2

ପ୍ରଥମ ଥର ପାଇଁ ସାରା ଭାରତରେ ଏତେ ବଡ଼ ଆକାରରେ କଳାକୁମ୍ଭ ଓଡ଼ିଶାର କିଟ୍‌ ଓ କିସରେ ଅନୁଷ୍ଠିତ ହେଉଛି । ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୬ ଦିନ ଧରି ଚାଲିବାକୁ ଥିବା କଳାକୁମ୍ଭରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ୨ଶହରୁ ଊର୍ଦ୍ଧ୍ୱ କଳାକାର ଯୋଗ ଦେଇଛନ୍ତି ।

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଏହି କଳାକୁମ୍ଭ ଅନୁଷ୍ଠିତ ହେଉଛି । ଏହି କଳାକୁମ୍ଭରେ ଯୋଗ ଦେଇଥିବା କଳାକାରମାନେ ୭୫୦ ମିଟର ଲମ୍ବ ବିଶିଷ୍ଟ ଏହି ବିଶାଳ କଳାକୃତି ପ୍ରସ୍ତୁତ କରିବେ । ଏହା ୨୦୨୨ ସ୍ୱାଧୀନତା ଦିବସ ପାଳନର ଏକ ଅଂଶବିଶେଷ ରୂପେ ନୂଆଦିଲ୍ଲୀର ଇଣ୍ଡିଆ ଗେଟଠାରେ ପ୍ରଦର୍ଶନ କରାଯିବ । ଏହି କଳାକୁମ୍ଭ ଆୟୋଜନ ପାଇଁ କିଟ୍‌ ଓ କିସ୍‌ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛି । ଏହା ଓଡ଼ିଶା ପାଇ ଗର୍ବ ଓ ଗୌରବ ।

ସମସ୍ତ କଳାକାରଙ୍କୁ କିଟ୍‌ ଓ କିସରେ ରହିବା, ଖାଇବା ଏବଂ ପରିବହନ ଆଦି ବ୍ୟବସ୍ଥା କରାଯାଇ କିଟ୍‌ ଓ କିସ୍‌ ପକ୍ଷରୁ ଆତିଥ୍ୟ ଯୋଗାଇ ଦିଆଯାଇଛି । ଏହି ଅବସରରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଗଡ଼ନାୟକ କହିଲେ, ଭାରତର ବିବିଧ ଭୌଗୋଳିକ ସ୍ଥାନ ଉପରେ ଆଲୋକପାତ କରି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସମସାମୟିକ ଚିତ୍ରକଳା ଆଦି ପ୍ରଦର୍ଶନ କରିବା ଏହି କଳାକୁମ୍ଭର ଲକ୍ଷ୍ୟ । ଏହି କଳାକୁମ୍ଭରେ ଆଜାଦୀ କା ଅମୃତ ମହୋତ୍ସବ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଜଣା ବୀରଙ୍କ ଜୀବନୀ ଓ ସେମାନଙ୍କ ସଂଗ୍ରାମ ଉପରେ ମେଗା କର୍ମଶାଳା ମଧ୍ୟ ଆୟୋଜନ କରାଯାଇଛି ।

 ଏହି କଳାକୁମ୍ଭରେ କଳାକାରମାନେ ବିଭିନ୍ନ ପ୍ରକାର ଦେଶୀୟ କଳା ପଟ୍ଟଚିତ୍ର, ତାଳ ପଟ୍ଟଚିତ୍ର, ମଞ୍ଜୁଷା, ମଧୁବନୀ ଓ ଯଦୁ ପାଟୁଆ ଆଦି ଉପରେ ସେମାନଙ୍କ କଳାତ୍ମକ ଭାବ ପ୍ରଦର୍ଶନ କରିବେ ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି । NGMA ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହର୍ଷବର୍ଦ୍ଧନ ଶର୍ମା, ରାମହରି ଜେନା ଓ ବିଜୟନ୍ତ ଦାସଙ୍କ ଭଳି ବିଶିଷ୍ଟ ଶିଳ୍ପୀମାନେ ଏହି କାର୍ଯ୍ୟକୁ ମଧ୍ୟ ସଂଯୋଜନା ଓ ତଦାରଖ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.