ନିକୋବର ଦ୍ୱୀପ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ୪ଦିନ ବିଳମ୍ବରେ ଆସିବ
ଆସନ୍ତା ୩ରୁ ୪ଦିନ ମଧ୍ୟରେ ଏହା ଦକ୍ଷିଣ ଆଣ୍ଡାମାନ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆହୁରି କିଛି ଅଂଶକୁ ବଢିବା ପାଇଁ ପାଗ ଅନୁକୂଳ ରହିଛି
କେନ୍ୟୁଜ୍(ବ୍ୟୁରୋ):ମୌସୁମୀ ପାଇଁ ଅନୁକୂଳ ରହିଛି ପାଗ। ଆଜି ନିକୋବର ଦ୍ୱୀପ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକୋବର ଦ୍ୱୀପ ଅଞ୍ଚଳରେ ପ୍ରବେଶ କରିଛି ମୌସୁମୀ ବାୟୁ। ଆସନ୍ତା ୩ରୁ ୪ଦିନ ମଧ୍ୟରେ ଏହା ଦକ୍ଷିଣ ଆଣ୍ଡାମାନ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆହୁରି କିଛି ଅଂଶକୁ ବଢିବା ପାଇଁ ପାଗ ଅନୁକୂଳ ରହିଛି। ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୪ଦିନ ବିଳମ୍ବରେ ଆସିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ସେପଟେ ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ। ଗରମ ସାଙ୍ଗରୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ଆଗାମୀ ପାଞ୍ଚଦିନ ଯାଏ ପାଗରେ ପରିବର୍ତ୍ତନର ସମ୍ଭାବନା ନଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆକଳନ କରିଛି। ଆଗାମୀ ଦୁଇଦିନରେ ରାଜ୍ୟର ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ସେପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।