Below header

ବଢୁଛି କରୋନା ଆକ୍ରାନ୍ତ ସେବାୟତଙ୍କ ସଂଖ୍ୟା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସେବାରେ ଉପୁଜି ପାରେ ସଂକଟ

ପୁରୀ : ସବୁ ଆକଳନ ଭୁଲ ହେବାରେ ଲାଗିଛି । ସେ ଜ୍ୟୋତିଷ ହୁଅନ୍ତୁ କି ବିଶେଷଜ୍ଞ, ସେମାନଙ୍କ ଭବିଷ୍ୟବାଣୀକୁ ଭୁଲ ପ୍ରମାଣିତ କରି ଦିନକୁ ଦିନ କରୋନା ତାର କାୟା ମେଲାଇ ଚାଲିଛି । ଏବେ ପୁରୀ ଜିଲ୍ଲାରେ କରୋନା ଅଣାୟତ୍ତ ହୋଇଛି। କେବଳ ଶ୍ରୀମନ୍ଦିରର ୪୦୦ ସେବାୟତ କରୋନା ସଂକ୍ରମିତ ହୋଇଥିବା ବେଳେ ଏହି ମହାମାରୀ ୮ ଜଣ ସେବାୟତଙ୍କ ଜୀବନ ନେଇଛି। ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ସେବାରେ ସଂକଟ ଦେଖା ଦେଇଛି। ତେଣୁ ବିକଳ୍ପ ପାଳିଆ ସେବକ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି।

SEVAYATA-4

ସେବାୟତମାନେ କରୋନାରେ ଆକ୍ରାନ୍ତ ହେବା ଯୋଗୁଁ ଶ୍ରୀମନ୍ଦିରରେ ପାଳି ଖଟିବାକୁ ସେବାୟତଙ୍କ ସଙ୍କଟ ଦେଖା ଦେଲାଣି।୧୫ ଦିନ ତଳେ ସଂକ୍ରମିତ ସେବାୟତଙ୍କ ସଂଖ୍ୟା ୨୦୦ ଥିଲା। ଯାହା ଏବେ ବଢ଼ି ବଢ଼ି ୪୦୦ ଟପିଲାଣି। ସେହିପରି ୫୦ରୁ ଅଧିକ ଶ୍ରୀମନ୍ଦିର କର୍ମଚାରୀ ବି ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତ ସେବାୟତଙ୍କ ଭିତରୁ ଅଧିକାଂଶ ଚିକିତ୍ସାଧୀନ ଅଛନ୍ତି। ପୁଣି ସେମାନଙ୍କ ଚିକିତ୍ସା କଥା ବୁଝୁଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧ୍ୟ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ଏହା ଭିତରେ ୮ ଜଣ ସେବାୟତଙ୍କ ମୃତ୍ୟୁ ହେବା ଘଟଣା ସମସ୍ତଙ୍କ ଭିତରେ ଭୟ ସୃଷ୍ଟି କରିଛି । ଶ୍ରୀମନ୍ଦିରରେ ଦୈନିକ ୮୦ରୁ ଅଧିକ ସେବାୟତ ପାଳି ଖଟୁଛନ୍ତି। ପର୍ବ ପର୍ବାଣୀରେ ପ୍ରାୟ ୧୨୦ରୁ ଅଧିକ ସେବାୟତ ସେବାରେ ଲାଗନ୍ତି। ସଂକ୍ରମଣ ବଢି ଚାଲିଥିବାରୁ ଏବେ ଅନେକ ସେବାୟତ ପାଳି ଖଟୁ ନାହାନ୍ତି। ଆଗକୁ ଏହି ସମସ୍ୟା ଲାଗି ରହିଲେ ମହାପ୍ରଭୁଙ୍କ ସେବାପୂଜା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।

SEVAYATA-3

ମାର୍ଚ୍ଚ ୨୦ରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ବଳବତ୍ତର ରହିଛି। କେବଳ ପାଳି ସହ ସଂପୃକ୍ତ ସେବାୟତ, ଜେଟିପି, ଶ୍ରୀମନ୍ଦିର କର୍ମଚାରୀ ମନ୍ଦିର ଭିତରକୁ ଯାଉଛନ୍ତି। ସିଂହଦ୍ୱାରରେ କଟକଣା ପରେ ଥର୍ମାଲ ସ୍କ୍ରିନିଂ କରାଯାଉଥିଲା। ଏବେ ଏହି ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ସେବାୟତମାନେ ବିନା ପରୀକ୍ଷାରେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ସେପଟେ ଉପୁଜିଥିବା ସଙ୍କଟର ସମାଧାନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବିଭିନ୍ନ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରି ରେକର୍ଡ ଅଫ ରାଇଟ୍ସର ମାର୍ଗଦର୍ଶନରେ କିଭଳି ଅସୁସ୍ଥ ସେବକଙ୍କ ସ୍ଥାନରେ ବିକଳ୍ପ ପାଳିଆ ସେବକ ଦିଆଯିବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ପାଳିଆ ସେବକଙ୍କର ଏକ ୱେବ ଲିଷ୍ଟ ବି ପ୍ରସ୍ତୁତ ହୋଇଛି। ଏହା ସହିତ କେଉଁ ପାଳିଆ ସେବକ ସଂକ୍ରମିତ ହୋଇଛନ୍ତି କିଏ ସୁସ୍ଥ ହେଲେଣି ତାର ତଥ୍ୟ ଏହି ୱେବ ଲିଷ୍ଟରେ ରହୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.