ଢେଙ୍କାନାଳ:ଡାକ୍ତରଖାନା ବାରଣ୍ଡାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା, ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ରିପୋର୍ଟ ମାଗିଲେ NHRC

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଥିବା କୋଭିଡ ହସ୍ପିଟାଲରେ  ବାରଣ୍ଡାରେ ରୋଗୀ ମୃତ୍ୟୁ ଘଟଣା, ସ୍ବାସ୍ଥ୍ୟ ବିଭାଗ ପ୍ରିନ୍‌ସିପାଲ୍‌ ସେକ୍ରେଟେରିଙ୍କ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ। ଏଭଳି ସାଙ୍ଘାତିକ ମାନବିକ ଅଧିକାର ଉଲ୍ଲଂଘନ ମାମଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ରିପୋର୍ଟରେ ଉଲ୍ଲେଖ କରି ଚାରି ସପ୍ତାହ ମଧ୍ୟରେ ପଠାଇବା ଲାଗି ନିର୍ଦେଶ ଦିଆଯାଇଛି।

ଏହି ମାମଲାର ଆବଦେନକାରୀ ସୁପ୍ରିମ୍ କୋର୍ଟର ଓକିଲ ତଥା ମାନବ ଅଧିକାର ସାମାଜିକକର୍ମୀ ରାଧାକାନ୍ତ ତ୍ରିପାଠୀ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରୀଙ୍କ ଅବହେଳା କାରଣରୁ ଦୁହିଁଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି।

ଗତ ସେପ୍ଟେମ୍ବର ୧୫ ତାରିଖରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀଙ୍କ ଅବହେଳା କାରଣରୁ  ଓଡ଼ପଡ଼ା ବ୍ଲକ୍‌ ଅନ୍ତର୍ଗତ ନଧରା ଗ୍ରାମର ସୁଶାନ୍ତ ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସେ  କରୋନା ଆକ୍ରାନ୍ତ  ହୋଇଥିବା ଜାଣିବା ପରେ ହୃଦ୍‌ଘାତରେ ଡାକ୍ତରଖାନା ବାରଣ୍ଡାରେ  ମୃତ୍ୟୁବରଣ କରିଥିଲେ। କାଳେ ଜୀବନ ଫେରି ଆସିବ ତେଣୁ ତାଙ୍କ ସ୍ତ୍ରୀ ଡାକ୍ତରଖାନା କର୍ମଚାରୀମାନଙ୍କୁ ଚିକିତ୍ସା କରିବା  ପାଇଁ କାକୁତି ମୀନତି ହୋଇ  ଡାକୁଥିଲେ । ଯେହେତୁ ସୁଶାନ୍ତ ପୃଷ୍ଟି କରୋନାରେ ଆକ୍ରାନ୍ତ ଥିଲେ  ସେଥିପାଇଁ  କେହି ବି କର୍ମଚାରୀ ଜୀବନ ରକ୍ଷା କରିବା  ପାଇଁ ଆଗେଇ ଆସିନଥିଲେ। ତେଣୁ  ବଧ୍ୟ ହୋଇ ଶ୍ବାସକ୍ରିୟା ଫେରାଇ ଆଣିବାକୁ ତାଙ୍କ ସ୍ତ୍ରୀ ବାରମ୍ବାର ସୁଶାନ୍ତଙ୍କ ଛାତିକୁ ଚାପୁଥିଲେ। ଘଟଣା ସ୍ଥଳରେ ସମସ୍ତେ ନିର୍ବାକ ହେଇ ଚାହିଁ ରହିଥିଲେ ।  ତାଙ୍କ ଶବ ୪ ଘଣ୍ଟା କାଳ ବାରଣ୍ଡାରେ ପଡ଼ିରହିଲା।

ସେହିଭଳି  ଏପ୍ରିଲ୍ ୨୯ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଚିକିତ୍ସା କରିବାକୁ ମନା କରିବାରୁ ଢେଙ୍କାନାଳ ସହରର କିଶୋର ଚନ୍ଦ୍ର ସାହୁଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଶ୍ବାସପ୍ରଶ୍ବାସ ଜନିତ ସମସ୍ୟା ଥିଲା ଏବଂ ଅମ୍ଳଜାନ ଯୋଗାଣରେ ବିଳମ୍ବ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.