ପାରିବାରିକ କଳହ ପାଇଁ ଦେଢ ମାସର ଶିଶୁ କନ୍ୟାକୁ ଧରି କୂଅକୁ ଡେଇଁଲା ମା

ଟାଙ୍ଗୀ (କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମପୁର ସାହିରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହ ପାଇଁ ମାନସିକ ଭାରସାମ୍ୟ ହରାଇ ଦେଢ ମାସର ଶିଶୁ କନ୍ୟା ସହ କୂଅକୁ ଡେଇଁ ପଡିଲା ମା । ଟାଙ୍ଗୀ ପ୍ରଧାନ ସାହିର ମାନସ ଦାସ ନାମକ ଜଣେ ଯୁବକ ତପସ୍ୱିନୀ ବେହେରା ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ତାଙ୍କର ଏକ କନ୍ୟା ସନ୍ତାନ ଦେଢ ମାସ ତଳେ ଜନ୍ମ ହୋଇଥିଲା । ଏହା ପରେ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହେବାରୁ କନ୍ୟାକୁ ଭୁବନେଶ୍ୱର ଏକ ମେଡିକାଲରେ ଆଇ ସି ୟୁ ରେ ରଖିଥିଲେ । ଗତ କିଛି ଦିନ ତଳେ ମେଡିକାଲରୁ ଡିସଚାର୍ଜ ହେବା ପରେ ଶିଶୁ କନ୍ୟା ସହ ତପସ୍ୱିନି ଟାଙ୍ଗୀ ବଳରାମ ପୁର ସାହିରେ ଥିବା ନିଜ ବାପ ଘରେ ରହି ଆସୁଥିଲେ ।

ତେବେ ଏ ନେଇ ତପସ୍ୱନୀ ଓ ସ୍ୱାମୀ ମାନସଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଗତ କାଲି ରାତିରେ ସ୍ୱାମୀଙ୍କ ସହ ଝଗଡା ଲାଗିବାରୁ ଆଜି ତପସ୍ୱିନୀ ନିଜର ମାନସିକ ଭାରସାମ୍ୟ ହରାଇ ନିଜ ଦେଢ ମାସର ଛୁଆକୁ ଧରି ଘର ନିକଟରେ ଥିବା ଏକ ଖୋଲା ଗଭୀର କୂଅକୁ ଡେଇଁ ପଡିଥିଲେ । ହେଲେ ମା ମନ କିପରି ବୁଝନ୍ତା ନିଜ ଝିଅର ମୃତ୍ୟୁ ନିଜ ଆଖି ଆଗରେ ହେଉଥିବାରୁ ମା ଗଭୀର କୁଅ ମଧ୍ୟ୍ୟରେ ନିଜେ ପଡିଥିଲେ ମଧ୍ୟ୍ୟ ନିଜ ଜୀବନକୁ ବାଜି ଲଗାଇ ନିଜ ଝିଅକୁ ଟେକି ଧରି କୂଅରୁ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ଏକ ବାଲ୍ଟି ପକାଇ ଶିଶୁ କନ୍ୟାକୁ କୁଅରୁ ଉଦ୍ଧାର କରିଥିଲେ ।

ହେଲେ ଗାଁ ଲୋକେ ମା କୁ ଉଦ୍ଧାର କରିବାରେ ବିଫଳ ହେବାରୁ ଟାଙ୍ଗୀ ଅଗ୍ନୀଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ଗଭୀର କୂଅରୁ ତପସ୍ୱନୀକୁ ତୁରନ୍ତ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତି କରିଛନ୍ତି । ପରେ ଅଧିକ ଚିକିତ୍ସା ପାଇଁ ମା ଓ ଝିଅଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.