ଅସାବଧାନତା ପାଇଁ ପୁଅକୁ ହରାଇଲା ମା’, ବର୍ଜ୍ୟ ପାଣିକୁଣ୍ଡରେ ପଡ଼ି ଚାଲିଗଲା ଜୀବନ

ଜଣେ ମା’ ନିଜର ଅସାବଧାନତା ପାଇଁ ତାଙ୍କ ୧୩ ମାସର ଛୁଆକୁ ହରାଇଛନ୍ତି । ପିଲାଟିକୁ ଏକା ଛାଡ଼ି ଘର କାମରେ ବ୍ୟସ୍ତ ଥିଲେ । ଆଉ ଏହି ସମୟରେ ପିଲାଟି ଗୁରୁଣ୍ଡି ଗୁରୁଣ୍ଡି ଯାଇ ପହଞ୍ଚିଥିଲା ଘର ପାଖରେ ଥିବା ନଳକୂପ ନିକଟରେ ।

ଉଦଳା (କେନ୍ୟୁଜ୍‌): ଅଧିକାଂଶ ସମୟରେ ଛୋଟ ପିଲାମାନଙ୍କୁ ଏକା ଛାଡ଼ି ବାପା ମା’ ମାନେ ନିଜ ନିଜ କାମରେ ବ୍ୟସ୍ତ ହୋଇଯାନ୍ତି । କୁନି କୁନି ପିଲାଙ୍କୁ ଘର ବାରଣ୍ଡାରେ ବସାଇ ନିଜ କାମ କରନ୍ତି ଅନେକ ମା’ । ଯଦି ଆପଣ ବି ଏଭଳି କିଛି କାମ କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ସାମାନ୍ୟ ଅବହେଳା ଆପଣଙ୍କ ଛୁଆର ଜୀବନ ନେଇପାରେ । ଆମେ ଏଭଳି କହିବା ପଛର କାରଣ ହେଉଛି ନିକଟରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଜଣେ ମା’ ନିଜର ଅସାବଧାନତା ପାଇଁ ତାଙ୍କ ୧୩ ମାସର ଛୁଆକୁ ହରାଇଛନ୍ତି । ପିଲାଟିକୁ ଏକା ଛାଡ଼ି ଘର କାମରେ ବ୍ୟସ୍ତ ଥିଲେ । ଆଉ ଏହି ସମୟରେ ପିଲାଟି ଗୁରୁଣ୍ଡି ଗୁରୁଣ୍ଡି ଯାଇ ପହଞ୍ଚିଥିଲା ଘର ପାଖରେ ଥିବା ନଳକୂପ ନିକଟରେ । ଗରମ ଦିନ ହୋଇଥିବାରୁ ପିଲାଟି ପାଣି ଦେଖି ହୁଏତ ଖୁସି ହୋଇଥିଲା । ପରେ ସେଠାରେ ଥିବା ବର୍ଜ୍ୟ ପାଣି ସଂଗ୍ରହ କୁଣ୍ଡରେ ପଡ଼ି ଯାଇଥିଲା କୁନି ପୁଅ ।

ଏଭଳି ଅଭାବନୀୟ ଘଟଣା ଘଟିଛି ଉଦଳା ଥାନା ବହୁବନ୍ଧ କଲୋନୀସାହି ଗ୍ରାମରେ । ଗତକାଲି ସନ୍ଧ୍ୟା ସମୟରେ ଗ୍ରାମର ମୋଚିରାମ ହୋଙ୍କ ୧୩ ମାସର ଶିଶୁପୁତ୍ରଟରି ବର୍ଜ୍ୟ ପାଣିକୁଣ୍ଡରେ ପଡି ଜୀବନ ଯାଇଛି । ସନ୍ଧ୍ୟାରେ ମୋଚିରାମଙ୍କ ସ୍ତ୍ରୀ ଘର କାମରେ ବ୍ୟସ୍ତ ଥିବା ବେଳେ ତାଙ୍କର ୧୩ ମାସର ଶିଶୁ ପୁତ୍ର ବିକାଶ ହୋ ଘର ବାରଣ୍ଡାରେ ଥିଲା, ତେବେ ଛୁଆଟି ଗୁରୁଣ୍ଡି ଗୁରୁଣ୍ଡି ବାରଣ୍ଡାରୁ ଯାଇ ଘରକୁ ଲାଗିଥିବା ଥିବା ନଳକୂପ ନିକଟରେ ପହଞ୍ଚିଥିଲା। ନଳକୂପରୁ ବାହାରୁଥିବା ବର୍ଜ୍ୟ ପାଣିକୁ ରଖିବା ପାଇଁ ଏକ କୁଣ୍ଡ କରାଯାଇଥିବା ବେଳେ ଶିଶୁ ପୁତ୍ର ଉକ୍ତ କୁଣ୍ଡ ଭିତରେ ପଡି ଯାଇଥିଲା । ପରିବାର ଲୋକେ ଛୁଆକୁ ନପାଇ ଏଣେ ତେଣେ ଖୋଜାଖୋଜି କରିଥିଲେ । ଶେଷରେ ଉକ୍ତ ବର୍ଜ୍ୟ ପାଣି ସଂଗୃହିତ କୁଣ୍ଡରୁ ଶିଶୁ ପୁତ୍ରକୁ ପାଇଥିଲେ ପରିବାର ଲୋକେ । ଶିଶଟିକୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ଛୋଟ ଛୋଟ ପିଲାମାନଙ୍କ ଉପରେ ସବୁବେଳେ ନଜର ରଖାଯାଏ । କାରଣ ପିଲାମାନେ ଛୋଟ ହୋଇଥିବାରୁ ଏଣେତେଣେ ପଳାଇ ଯାଆନ୍ତି । ଯାହା ଫଳରେ ଏମିତି ଅନେକ ଦୁର୍ଘଟଣାର ଖବର ସାମ୍ନାକୁ ଆସେ । ପ୍ରତ୍ୟେକ ଅଭିଭାବକମାନେ ପିଲାଙ୍କ ଉପରେ ସବୁବେଳେ ଧ୍ୟାନ ରଖିବା ଉଚିତ୍‌ । ନିଜ କାମ ପାଇଁ ପିଲାରମାନଙ୍କୁ ଅଣଦେଖା କଲେ ଆପଣ ନିଜ ଛୁଆଙ୍କୁ ହରାଇ ବସିବେ । ତେଣୁ ସବୁବେଳେ ଏଥିପାଇଁ ସତର୍କ ରୁହନ୍ତୁ । ପିଲାମାନଙ୍କୁ ଆଖି ସାମ୍ନାରେ ରଖି କାମ କରନ୍ତୁ । ନଚେତ ଘରର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପିଲାଙ୍କ ଉପରେ ନଜର ରଖିବାକୁ କହି ନିଜ ନିଜ କାମ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣ ନିଜ ପିଲାମାନଙ୍କୁ ସୁରକ୍ଷିତ ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.