ଶିକ୍ଷାର ବିକାଶରେ ଆଉ ଏକ ସଫଳତା ରଚିଲା କିଟ୍, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ସହ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର

ଭୁବନେଶ୍ବର (କେନ୍ୟୁଜ୍):କିଟ୍ ବିଶ୍ୱବିଦ୍ୟାଳୟ ଓ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶିକ୍ଷା କ୍ଷେତ୍ରରେ ସହଯୋଗ ଦିଗରେ କିଟ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଆର୍କିଟେକ୍ ଓ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଲ୍ୟାଣ୍ଡ ଇକୋନୋମି ଆଣ୍ଡ ସେଣ୍ଟର ଅଫ୍ ଡେଭଲପମେଣ୍ଟ ଷ୍ଟଡିଜ୍ ବିଭାଗ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କିଟ୍ ପକ୍ଷରୁ ସ୍କୁଲ ଅଫ୍ ଆର୍କିଟେକ୍ର ନିର୍ଦ୍ଦେଶକ ପ୍ରଫେସର ଏସ୍. ଏସ୍. ରାୟ ଓ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ଶୈଳଜା ଫେନେଲ୍ ଏହି ବୁଧାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଓ ଉପକୁଳାଧିପତି ପ୍ରଫେସର ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହି ବୁଝାମଣାପତ୍ର ଅନୁସାରେ, ଉଭୟ ଅନୁଷ୍ଠାନ ମିଳିତ ଭାବରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ଶୈଖିକ କାର୍ଯ୍ୟକ୍ରମ ବିକଶିତ କରିବେ।
ଆହୁରି ପଢନ୍ତୁ: ମାଲକାନଗିରି ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଭିଜିଲାନ୍ସ ଦ୍ୱାରା ଗିରଫ
ଏହା ବ୍ୟତୀତ ଉଭୟ ବିଶ୍ୱବିଦ୍ୟାଳୟ ମିଳିତ ଗବେଷଣା, ସାଂସ୍କୃତିକ ବିନିମୟ ଓ ମିଳିତ ଭାବେ ପାଠ୍ୟକ୍ରମ ବିକଶିତ କରିବା ସହ ଶିକ୍ଷାଦାନ, ଆଲୋଚନାଚକ୍ର, କର୍ମଶାଳା ଆୟୋଜନ କରିବେ। ଏହି ଦୁଇ ବିଶ୍ୱବିଦ୍ୟାଳୟ ଶୈଖିକ ବିକାଶ ଓ ସାଂସ୍କୃତିକ ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବେ। ଏହି ଅବସରରେ ଡକ୍ଟର ଫେନେଲ କହିଛନ୍ତି, ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କ ବିକାଶ ପାଇଁ ସ୍ମାର୍ଟ ସିଟି ଭିଲେଜ୍ ଭଳି ସ୍ମାର୍ଟ ଭିଲେଜ୍ର ଆବଶ୍ୟକତା ରହିଛି। ଏହି ଦୁଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ଗ୍ରାମାଞ୍ଚଳଗୁଡ଼ିକର ବିକାଶ ପାଇଁ ସ୍ଥାୟୀ ସ୍ମାର୍ଟ ସଲ୍ୟୁସନ୍ ଉପରେ ଗୁରୁତ୍ୱ ଦିଆଯିବ। ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା ଏହି ବୁଝାମଣା ଯୋଗୁ ଉଭୟ ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଲାଭବାନ ହୋଇପାରିବ।