ଘରେ ପହଞ୍ଚିଲେ ସିକ୍କିମ୍ ରେ ଫସି ରହିଥିବା ଗୋପ ବ୍ଳକର ନଫିଶା ଜାହଁ, ବଖାଣିଲେ ଛାତିଥରା କାହାଣୀ
ରବିବାର ସିକ୍କିମ୍ ରୁ ବହୁ କଷ୍ଟରେ ଆସି ଗୋପରେ ପହଞ୍ଚିଥିବା ୨୫ ବର୍ଷିୟା ନଫିଶା ଜାହଁ ବଖାଣିଛନ୍ତି ସିକ୍କିମ୍ ରେ ତାଣ୍ଡବ ରଚିଥିବା ସେହି ବାଦଲ ଫଟାର ବର୍ଷା ସମୟରେ ନିଜର ଅନୁଭୂତି ।
ଗୋପ(କେନ୍ୟୁଜ୍): କି ଭୟଙ୍କର ଥିଲା ସେ ସମୟ । ମୋ ସମ୍ମୁଖରେ ଖାଲି ଭାସିଯାଉଥାନ୍ତି ଶବ ଗୁଡାକ । ଲୋକଙ୍କ ଜୀବନ ବିକଳ ଚିତ୍କାର ଶୁଣି ମୁଁ ହତବାକ୍ ହୋଇଯାଉଥାଏ । ତା ସାଙ୍ଗକୁ ବାଦଲ ଫଟା ବର୍ଷାର କରାଳ ରୂପ । ଲାଗୁନଥିଲା ବଞ୍ଚିବି ବୋଲି । କେବେ ବି ଜୀବନରେ ଭୂଲି ପାରିବି ନାହିଁ ସେହି ଛାତିଥରା ଦୃଶ୍ୟକୁ । ମୋ ସାଙ୍ଗ ଭୂମିକା ମହନ୍ତର ଗୋଟେ କଲ୍ ଆଜି ମତେ ବଞ୍ଚାଇ ଦେଇଛି । ଗତକାଲି ରବିବାର ସିକ୍କିମ୍ ରୁ ବହୁ କଷ୍ଟରେ ଆସି ଗୋପରେ ପହଞ୍ଚିଥିବା ୨୫ ବର୍ଷିୟା ନଫିଶା ଜାହଁ ବଖାଣିଛନ୍ତି ସିକ୍କିମ୍ ରେ ତାଣ୍ଡବ ରଚିଥିବା ସେହି ବାଦଲ ଫଟାର ବର୍ଷା ସମୟରେ ନିଜର ଅନୁଭୂତି ।
ସୂଚନା ଥାଉକି, ଗୋପ ବ୍ଳକର ତିନି ଜଣଙ୍କ ମଧ୍ୟରୁ ବସ୍ତିର ମୂର୍ତ୍ତୁତାଜା ଫଜଲ୍ ଅଲ୍ଲୀ ଖାଁଙ୍କ ସାନ ଝିଅ ନଫିଶା ଦୀର୍ଘ ୩ ବର୍ଷ ଧରି ସିକ୍କିମ୍ ର ରମ୍ପୋ ସହରରେ ଥିବା ଘରୋଇ ମେଡ଼ିସିନ୍ କମ୍ପାନୀରେ କିୟୁସ୍ ଅଫିସର ଭାବେ କାର୍ଯ୍ୟ କରିଆସୁଥିଲେ । ଗତ ୩ ତାରିଖ ରାତି ୩ ଟା ସମୟରେ ହଠାତ୍ ବାଦଲ ଫଟା ବର୍ଷା ସାଙ୍ଗକୁ ଡ଼୍ୟାମ ପାଣି ମାଡ଼ି ଆସିବାରୁ ସିକ୍କିମ୍ ସହର ଜଳମଗ୍ନ ହୋଇଗଲା । ଅନେକ ଲୋକଙ୍କ ପ୍ରାଣ ହାନୀ ଘଟିଥିଲା ।
ସେହି ଦିନ ରାତି ପାଖାପାଖି ୩ ଟା ସମୟରେ ସେଠାରେ ରହୁଥିବା ମୟୂରଭଞ୍ଜ ଅଞ୍ଚଳର ତାଙ୍କର ଜଣେ ସାଙ୍ଗ ଏଭଳି ପାଣି ମାଡି ଆସିବା ଖବର ସଂପର୍କରେ ନଫିଶାଙ୍କୁ ଖବର ଦେଇଥିଲେ । ଯାହାଫଳରେ ନଫିଶା ତୁରନ୍ତ ତଳ ମହଲାରୁ ଉପର ମହଲାକୁ ପଳାଇଯାଇଥିଲେ । ଯାହାଫଳରେ ତାଙ୍କର ଜୀବନ ବଞ୍ଚିଯାଇଥିବା ସେ କହିଛନ୍ତି । ପରେ ଦୁଇ ଦିନ ଧରି ବିସ୍କୁଟ ଖାଇ ଜୀବନ ବଞ୍ଚାଇବା ପରେ ମାଟି କାଦୁଅରେ ଚାଲି ଚାଲି ଦୁଇ କିଲୋମିଟର ଆସି ସିକ୍କିମ୍ ସିଲିଗୁଡ୍ ରୁ ଟ୍ରେନ୍ ଯୋଗେ ଘରେ ପହଞ୍ଚି ପାରିଛନ୍ତି ନଫିଶା। ହେଲେ ଏପରି ଏକ ଅବର୍ଣ୍ଣନୀୟ ଘଟଣା ତାଙ୍କ ମନ ରୁ କେବେ ବି ଯିବ ନାହିଁ ବୋଲି କହିଛନ୍ତି।
ବାଦଲଫଟା ବର୍ଷା ଓ ଭୂସ୍ଖଳନ ସାଙ୍ଗ କୁ ଡ୍ୟାମ୍ ପାଣି ମାଡି ଆସିବା ପରେ ସବୁ ଆଡେ କେବଳ ଜୀବନ ବଞ୍ଚାଇବାର ଚିତ୍କାର ଓ ପାଣି ଛାଡିବା ପରେ ଶବ ସହିତ ଘର ର ଆସବାବପତ୍ର ଦେଖି ଭୟଭୀତ ହୋଇ ପଡ଼ିଥିଲେ ନଫିଶା। ସେ ଯାହାବି ହେଉ ତାଙ୍କ ସାଙ୍ଗର ଫୋନ ତାଙ୍କ ଜୀବନ ବଞ୍ଚାଇ ଦେଇଥିବା ବେଳେ ସେ ଘରେ ପହଁଚିବା ସହିତ ତାଙ୍କ ପରିବାର ନିକଟରେ ପହଞ୍ଚି ପାରିଥିବା ତାଙ୍କ ଲାଗି ବଡ଼ କଥା ବୋଲି କହିଛନ୍ତି ନଫିଶା । ଏବେବି ଗୋପ ବ୍ଳକ ର ଆଉ ଦୁଇଜଣ ଯୁବକ ଘରେ ପହଞ୍ଚି ନଥିବା ସୂଚନା ମିଳିଛି ଦୁଇଜଣ ଯୁବକ ନାମ ଆଶିଷ ସାହୁ ସେ କୁଷୁପୁରୁର ହୋଇଥିବା ବେଳେ ଆଉ ଜଣେ ବିଷରପୁର ଗାଁର ସଞ୍ଜୟ ବେହେରା ବୋଲି ଜଣାପଡିଛି।