Below header

କାହିଁକି ହେଉଛି ଇସ୍ରାଏଲ-ହାମାସ ଯୁଦ୍ଧ ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଇସ୍ରାଏଲ ଏବଂ ହାମାସ ମଧ୍ୟରେ କାହିଁକି ଏ ବିବାଦ ଲାଗି ରହିଛି ? ଏମାନଙ୍କ ମଧ୍ୟରେ ବିବାଦର ପ୍ରକୃତ କାରଣ କଣ ଆସନ୍ତୁ ଜାଣିବା ।

ଚାରିଆଡ଼େ ଶବ । କେଉଁଠି ବଡ଼ ବଡ଼ ବିଲ୍ଡିଂରୁ ଧୂଆଁ ବାହାରୁଛି ତ ଆଉ କେଉଁଠି ରାସ୍ତାରେ କ୍ଷୟକ୍ଷତିରେ ଦୃଶ୍ୟ ଦେଖିବାକୁ ମିଳୁଛି । ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି । ଚାରିଆଡ଼େ ଚାଲିଛି ବୋମା ମାଡ଼ । ଉଗ୍ର ରୂପ ଧାରଣ କରିଛି ଇସ୍ରାଏଲ ଏବଂ ହାମାସ ଯୁଦ୍ଧ । ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ପକ୍ଷରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ହଜାର ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି । ଅନେକ ଲୋକ ଏବେ ବି ବନ୍ଦୀ ହୋଇ ରହିଛନ୍ତି । ଅନେକ ନିଜର ପରିବାର ହରାଇଛନ୍ତି । ଏହି ଭୟଙ୍କର ଯୁଦ୍ଧରେ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । କେତେବେଳେ ଯେ କେଉଁଠାରେ ବୋମା ବିସ୍ଫୋରଣ ହେବ ତାହା କେହି କହି ପାରିବେ ନାହିଁ । ତେବେ ଏ ଯୁଦ୍ଧ କଣ ପାଇଁ ହେଉଛି । ଏହା ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବା ।

ଗତ ଶନିବାର ସକାଳେ ପାଲେଷ୍ଟାଇନର ହାମାସ ସଂଗଠନ ୫୦୦୦ ରକେଟ୍ ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଫଳରେ ଇସ୍ରାଏଲ ମଧ୍ୟ ଯୁଦ୍ଧ ଘୋଷଣା କରିଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମୁହାଁମୁହିଁ ହୋଇଛନ୍ତି । ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଛି, ଯାହା ଶେଷ ହେବାର ନାଁ ନେଉ ନାହିଁ । ଇସ୍ରାଏଲ ଏବଂ ହାମାସ ମଧ୍ୟରେ କାହିଁକି ଏ ବିବାଦ ଲାଗି ରହିଛି ? ଏମାନଙ୍କ ମଧ୍ୟରେ ବିବାଦର ପ୍ରକୃତ କାରଣ କଣ ଆସନ୍ତୁ ଜାଣିବା ।

ମିଡିଆ ରିପୋର୍ଟ ଅନୁଯାୟୀ ଗତ ଶନିବାର ସକାଳେ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରେ ଲଗାତାର ରକେଟ୍ ଆକ୍ରମଣ ହୋଇଥିଲା । ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି ପାଲଟା ଆକ୍ରମଣ କରିଥିଲା । ଏବେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଯାଇଛି । ଇସ୍ରାଏଲ ଏପ୍ରିଲ୍ ୨୦୨୩ରେ ଗାଜା ଷ୍ଟ୍ରିପ୍ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ ହାମାସର ଯୁଦ୍ଧାସ୍ତ୍ର ନିର୍ମାଣ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା । ପାଲେଷ୍ଟାଇନ ମଧ୍ୟ ହାର ନମାନି ପାଲଟା ଆକ୍ରମଣ କରିଥିଲା ।

ଗାଜା ଷ୍ଟ୍ରିପକୁ ନେଇ ଇସ୍ରାଏଲ କାହିଁକି ଆକ୍ରମଣାତ୍ମକ ?
ଗାଜା ଷ୍ଟ୍ରିପ ପାଲେଷ୍ଟାଇନର ଏକ ଛୋଟ ଅଞ୍ଚଳ । ଏଠାରେ ‘ହାମାସ’ ଶାସନ କରେ । ଗାଜା ଷ୍ଟ୍ରିପ୍, ଇଜିପ୍ଟ ଏବଂ ଇସ୍ରାଏଲ୍ ମଧ୍ୟରେ ଭୂମଧ୍ୟସାଗରୀୟ ଉପକୂଳରେ ଅବସ୍ଥିତ । ୨୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜା ଷ୍ଟ୍ରିପକୁ ୫ଟି ପ୍ରଶାସନିକ କ୍ଷେତ୍ରରେ ଭାଗ କରାଯାଇଛି । ଯେଉଁଥିରେ ଉତ୍ତର ଗାଜା, ଗାଜା ସିଟି, ଡିଆର ଅଲ-ବାଲା, ଖାନ ୟୁନିସ ଏବଂ ରାଫା ସାମିଲ ରହିଛି । ହାମାସ ନିଜେ ଗାଜା ଷ୍ଟ୍ରିପରୁ ଇସ୍ରାଏଲ୍‌ ଉପରେ ଆକ୍ରମଣ କରେ । ଇସ୍ରାଏଲ ‘ହାମାସ’କୁ ଆତଙ୍କବାଦୀ ସଂଗଠନ ଭାବରେ ମାନିଥାଏ । ଏହି କାରଣରୁ ଇସ୍ରାଏଲ ସବୁବେଳେ ଗାଜା ଏବଂ ହାମାସ ପ୍ରତି ଆକ୍ରମଣାତ୍ମକ ରହୁଛି ।

କାହିଁକି ହେଉଛି ଏହି ଦୁଇ ଦେଶ ମଧ୍ୟରେ ବିବାଦ ?
୧୯୦୦ ମସିହାରେ ସମଗ୍ର ଇସ୍ରାଏଲ୍ ଦେଶ ପାଲେଷ୍ଟାଇନ ଭାବରେ ଜଣା ଯାଉଥିଲା । ପରେ ୟୁରୋପରେ ଅଲଗା ଅଲଗା ସ୍ଥାନରେ ରହୁଥିବା ଇହୁଦୀମାନେ ପାଲେଷ୍ଟାଇନ ଆଡକୁ ଯିବା ଆରମ୍ଭ କରିଥିଲେ । ଧୀରେ ଧୀରେ ସେମାନଙ୍କ ସଂଖ୍ୟା ପାଲେଷ୍ଟାଇନରେ ବୃଦ୍ଧି ପାଇଲା ଏବଂ ଇହୁଦୀମାନେ ପାଲେଷ୍ଟାଇନରେ ଜମି କିଣିବା ଆରମ୍ଭ କଲେ । ପାଲେଷ୍ଟାଇନରେ ଇହୁଦୀମାନଙ୍କର ପ୍ରାଧାନ୍ୟ ବଢ଼ିବାକୁ ଲାଗିଲା ଏବଂ ସେମାନେ ସେଠାରୁ ପାଲେଷ୍ଟାଇନ ଅଧିବାସୀମାନଙ୍କୁ ଘଉଡାଇବା ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ୪୨ ଲକ୍ଷ ଇହୁଦୀଙ୍କୁ ଗ୍ୟାସ୍ ଚାମ୍ବରରେ ରଖି ମାରି ଦେଇଥିବା କୁହାଯାଏ । ଏହା ପରେ ଇହୁଦୀମାନେ ପାଲେଷ୍ଟାଇନ ଛାଡି ପଳାଇବାକୁ ଲାଗିଲେ ।

ଏହା ପରେ ଇହୁଦୀ ଏବଂ ପାଲେଷ୍ଟାଇନ ଅଧିବାସୀମାନଙ୍କ ମାମଲା ମିଳିତ ଜାତିସଂଘକୁ ଯାଇଥିଲା । ମିଳିତ ଜାତିସଂଘ ନିଷ୍ପତ୍ତି ଅନୁସାରେ ଯେଉଁଠାରେ ଇହୁଦୀମାନଙ୍କ ସଂଖ୍ୟା ଅଧିକ ଥିଲା ତାହା ଇସ୍ରାଏଲକୁ ଦିଆଯାଉ ଏବଂ ଅବଶିଷ୍ଟଙ୍କୁ ପାଲେଷ୍ଟାଇନ ଦିଆଯାଉ ବୋଲି କୁହାଯାଇଥିଲା । ସେହି ସମୟ ପର ଠାରୁ ଏହି ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଯାହା ବର୍ତ୍ତମାନ ଉଗ୍ର ରୂପ ନେଇଛି ।

ଏହି ଭୟଙ୍କର ଯୁଦ୍ଧର ପରିଣାମ କଣ ହେବ ତା ନ କହିବା ଭଲ । ଦୁଇ ଦେଶର ଯୁଦ୍ଧ ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ନୀରିହ ଜନ ସାଧାରଣ । କେତେ ଲୋକଙ୍କ ଜୀବନ ଗଲାଣି । ଯଦି ଏ ଯୁଦ୍ଧ ଶୀଘ୍ର ଥମିବନି ତେବେ ଆହୁରି ଅନେକ ଲୋକଙ୍କ ପ୍ରାଣ ହାନି ଘଟିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.