Below header

ଆସୁଛନ୍ତି ମୋଦି, ୧୯ ପାଇଁ ଖୋର୍ଦ୍ଧାଗଡ଼ରୁ ବଜାଇବେ ବିଗୁଲ୍‌

ଖୋର୍ଦ୍ଧା : ଖୋର୍ଦ୍ଧାଗଡ଼ରୁ ୧୯ ପାଇଁ ବିଗୁଲ୍‌ ବଜାଇବେ ପ୍ରଧାନମନ୍ତ୍ରୀ । ସରିଛି ସମସ୍ତ ପ୍ରସ୍ତୁତି। ଆଜି ଅପରାହ୍ଣ ୧ଟା ୫ରେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧ଟା୪୦ରେ ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ପହଞ୍ଚିବେ। ନରେନ୍ଦ୍ର ମୋଦି ସାଢ଼େ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଗ୍ୟାସ ପାଇପଲାଇନଠାରୁ ଆରମ୍ଭ କରି ଜାତୀୟ ରାଜପଥ ଲାଗି ଶୁଭ ଦେବେ । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ନିତିନ ଗଡକରୀ, ପ୍ରକାଶ ଜାଭଡେକର, ମହେଶ ଶର୍ମା ଏପରି ୭ କେନ୍ଦ୍ର ମନ୍ତ୍ରୀ। ଆଇଆଇଟି କ୍ୟାମ୍ପସରେ ରହିବେ ୪୫ ମିନିଟ। ଏହାପରେ ବିଏସ୍‌ଏଫ ପଡ଼ିଆରେ ରହିଛି ମୋଦିଙ୍କ ଦଳୀୟ କାର୍ଯ୍ୟକ୍ରମ। ସଭାସ୍ଥଳଠାରୁ ଆରମ୍ଭ କରି ଜଟଣି ଯାଏ ରାସ୍ତାକଡରେ ଲାଗି ପୋଷ୍ଟର ବ୍ୟାନର। ୨ ଲକ୍ଷ ଲୋକଙ୍କ ସମାବେଶ ହେବ ବୋଲି ଦଳୀୟ ନେତା ଆଶା ରଖିଛନ୍ତି ।

ସେପଟେ ବିଜେପି କର୍ମୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ। ସଭାସ୍ଥଳକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ, ଦଳର ବହୁ ବରିଷ୍ଠ ନେତା। ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି, ଏହାସହ ଆଗକୁ ନିର୍ବାଚନର ବର୍ଷ। ତେଣୁ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଅଧିକ ରହିଛି।

ଅପରାହ୍ନ ୨ଟା ୩୦ରୁ ୩ଟା ୧୫ ଯାଏ ସାଧାରଣ ସଭାରେ ଉପସ୍ଥିତ ରହିବେ ମୋଦି। ୪ଟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଦିନିକିଆ ଗସ୍ତ ପରେ ପୁଣି ଜାନୁଆରୀ ୫ ଓ ଜାନୁଆରୀ ୧୬ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ।  ଆଗକୁ ବାରମ୍ବାର ଆସିବେ ବୋଲି ଦଳୀୟ ନେତା କହୁଛନ୍ତି। ଆଜିର ଗସ୍ତରୁ ସୂଚନା ମିଳିବ, ରାଜ୍ୟ ସରକାର ଓ ବିଜେଡ଼ି ପ୍ରତି କଣ ରହିବ ଆଭିମୁଖ୍ୟ। କଣ କହିବେ? ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବେ? ନା ନବୀନଙ୍କୁ ନେଇ ସଫ୍ଟ ଆପ୍ରୋଚ୍‌ ରଖିବେ? ଚଳିତ ବର୍ଷ ମୋଦି ଦି ଥର ଓଡ଼ିଶା ଆସିଛନ୍ତି। କଟକ ଆସି ମହାନଦୀ କଥା ଉଠାଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତି କୌଣସି କଟୁ ମନ୍ତବ୍ୟ ଦେଲେ ନାହିଁ। ଏହାପରେ ତାଳଚେର-ଝାରସୁଗୁଡ଼ା ଗସ୍ତ ଥିଲା। ତାଳଚେରରେ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ଆହ୍ଵାନ କରି, ନବୀନଙ୍କୁ ମିତ୍ର ବୋଲି କହିଥିଲେ। କିନ୍ତୁ ଝାରସୁଗୁଡ଼ାରେ ଉଠିଥିଲା ପିସି କଥା। ଏବେ ଖୋର୍ଦ୍ଧାରେ ମୋଦି କଣ କହିବେ।

ତିନି ହିନ୍ଦୀ ଭାଷୀ ରାଜ୍ୟରେ ବିଜେପିର ପରାଜୟ ପରେ ଦଳ ୨୦୧୪ ସଫଳତା ୨୦୧୯ରେ ପୁନାରବୃତି କରିବ, ସେ ଆଶା କ୍ଷୀଣ। ତେଣୁ ପୂର୍ବ ଭାରତ ଉପରେ ରହିଛି ମୋଦିଙ୍କ ନଜର। ଏବେଠାରୁ ରାଜ୍ୟ ସରକାରଙ୍କୁ ନେଇ ଆଟାକିଂ ମୋଡ୍‌କୁ ମୋଦି ଆସିବେ ନା, ଭବିଷ୍ୟତକୁ ଦୃଷ୍ଟିରେ ରଖି ନରମ ମନୋଭାବ ରଖିବେ? ଏ ଚର୍ଚ୍ଚା ଲାଗି ରହିଛି। ସେପଟେ ଉଭୟ ବିଜେଡି ଓ ବିଜେପି କହୁଛନ୍ତି ମୋଦିଙ୍କ ଗସ୍ତର କୌଣସି ପ୍ରଭାବ ପଡିବନି।

୧୯ ନିର୍ବାଚନ ପାଇଁ ୫ମାସରୁ କମ୍‌ ସମୟ। ଫେବ୍ରୁଆରୀ, ମାର୍ଚ୍ଚରୁ ଆରମ୍ଭ ହୋଇଯିବ ଘମାସନ। ଏ ସମୟ ଭିତରେ ଓଡ଼ିଶା ପ୍ରତି ମୋଦିଙ୍କ ଆପ୍ରୋଚ୍‌ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.