ଜଳୁଛି ବାଘଙ୍କ ଘର ‘ଶିମିଳିପାଳ’, ନାସା ସେୟାର କଲା ଭୟଙ୍କର ଚିତ୍ର
ଶିମିଳିପାଳ ଅଭୟାରଣ୍ୟ, ସୁନ୍ଦର୍ ଯେମିତି ଭୟଙ୍କର ବି ସେମିତି। କାରଣ ଏଠାରେ ଅଛି ବ୍ୟାଘ୍ର ଅଭୟାରଣ୍ୟ। ଶିମିଳିପାଳରେ ୨୬୭ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳେ। ହାତୀ, ଚିତା, ବାଘ, ସମ୍ବର, ବାରହା, ଜଙ୍ଗଲୀ ବିଲେଇ, ହରିଣ ଏଭଳି ଅନେକ ପଶୁଙ୍କ ଘର ଏହି ଜଙ୍ଗଲ। ଏଠାରେ ୯୫ ପ୍ରଜାତିର ଅର୍କିଡ ଫୁଲ୍, ୪୦୦ପ୍ରଜାତିର ଔଷଧୀୟ ଫୁଲ ରହିଛି। ବିଶ୍ବର ଅନ୍ୟ କେଉଁଠି ମିଳୁନଥିବା ୫୫ପ୍ରକାରର ଗଛ ବି ଏଠାରେ ଅଛି। ହେଲେ ୧୦ ଦିନ ଧରି ସବୁ ପଶୁ ପକ୍ଷୀ ବିପଦରେ। କାରଣ ହୁତହୁତ ହୋଇ ଜଳୁଛି ଅଭୟାରଣ୍ୟ । ନିଆଁକୁ ଆୟତ କରିବାକୁ ଯେତିକି ଚେଷ୍ଟା ଚାଲିଛି ନିଆଁ ବି ସେତିକି ବଢୁଛି। ଜଙ୍ଗଲରେ ନିଆଁ କାହିଁକି ଲାଗିଲା ତାର କାରଣ ଜାଣିବା ପାଇଁ PCCF ବି ଜୋରସୋରରେ ଲାଗିଛନ୍ତି। ମାତ୍ର ଏଠାରେ ଥିବା ବିଭିନ୍ନ ପ୍ରଜାତିର ବିରଳ ଜୀବଜନ୍ତୁ କେମିତି ଅଛନ୍ତି ଏବେ ଯାଏଁ ସେ ଖବର କାହା ପାଖେ ନାହିଁ। ଇତିମଧ୍ୟରେ ନାସା ଶିମିଳିପାଳର କିଛି ଫଟୋ ସେୟାର କରିଛି, ଯାହା ଏବେ ଚିନ୍ତା ବଢ଼ାଇଛି।
ନାସା ତରଫରୁ ଆସିଥିବା ଏହି ଫଟୋ ଅଭୟାରଣ୍ୟକୁ ନେଇ ସମ୍ପୂର୍ଣ୍ଣ ଅଲଗା କଥା କହୁଛି। ନାସା କହିଛି ତିନି ଘଣ୍ଟା ଧରି ଏହି ଫଟୋ ଉଠାଯାଇଛି। ତେବେ ଦ୍ୱନ୍ଦ୍ୱ ହେଉଛି ସାଟେଲାଇଟ୍ ରେ ଉଠି ଥିବା ଏହି ଚିତ୍ର ସତ କହୁଛି ନା ଜଙ୍ଗଲ ବିଭାଗ। ନାସା ସୂଚନା ଦେଇଛି ଯେ ୫ହଜାର ୫୬୯ ବର୍ଗ କିଲୋମିଟରରେ ନିଆଁ ଲାଗିଛି। ହେଲେ ଏହି ସୂଚନା ଜଙ୍ଗଲ ବିଭାଗ ଦେଇନାହିଁ।
ଗତ ଫେବ୍ରୁୟାରୀ ମାସରୁ ଶିମିଳିପାଳ ଅଭୟାରଣ୍ଯର କପ୍ତିପଦାରୁ ନିଆଁ ଲାଗିବା ଆରମ୍ଭ ହୋଇ ପିଠାବଟା, ବାଙ୍ଗିରିପୋଷି, ନଅଣା, ଢୁଡୁରୁଚମ୍ପା ଏବଂ ନିଗିର୍ଦ୍ଦାର ଏକର ଏକର ଜଙ୍ଗଲକୁ ଗ୍ରାସ କରିଥିଲା। ଏପରିକି ଶିମିଳିପାଳର ଏକ ଲକ୍ଷ ୧୯ ହଜାର ୫୦୦ ହେକ୍ଟର କୋର ଅଞ୍ଚଳରୁ ୨୪ ହେକ୍ଟର ଜଙ୍ଗଲକୁ ନଷ୍ଟ କରିସାରିଲାଣି ନିଆଁ। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିଥିବା କହିଛନ୍ତି। ଏଥିପାଇଁ ୨୧ ଗୋଟି ବନାଞ୍ଚଳରେ ୮୦୦ ଜଣ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୨୫୦ ଫାୟାର ୱାଚର ନିୟୋଜିତ କରାଯାଇଛି। ଏଥି ସହିତ ଶିମିଳିପାଳ କୋର ଅଞ୍ଚଳର ୭ ଟି ରେଞ୍ଜରେ ୨୧୦ ଜଣ ଫାୟାର ମ୍ୟାନେଜମେଣ୍ଟ ଷ୍ଟାଫ୍ ନିୟୋଜିତ ହୋଇଥିବା କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଉପ ନିର୍ଦ୍ଦେଶକ। ନିଆଁ ଲାଗିଥିବା ଅଞ୍ଚଳର ସମସ୍ତ ଅଧିକାରୀମାନଙ୍କୁ ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ତାଗିଦ୍ କରାଯାଇଛି। ନୂତନ ଭାବେ ନିଆଁକୁ ଆୟତ୍ତ କରିବାକୁ ଶିମିଳିପାଳ ଅଭୟାରଣ୍ଯରେ ୨୪୦ ଟି ଫାୟାର ବ୍ଲୋୟାର ବ୍ଯବହାର କରାଯାଇଛି।
ହେଲେ ଏବେବି ଜଳୁଛି ଶିମିଳିପାଳ ଅଭୟାରଣ୍ଯ। କାହିଁକି ପୂର୍ବରୁ ଏଥିପ୍ରତି ଧ୍ୟାନ ଦିଆଗଲା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ଅନୁମାନ କରାଯାଉଛି ଶିମିଳିପାଳ ଅଭୟାରଣ୍ଯରେ ନିଆଁ ଲାଗିବା ସମ୍ପୂର୍ଣ୍ଣ ମନୁଷ୍ଯକୃତ। ମହୁଲ ଫୁଲ ଗୋଟାଇବା ହେଉ ଅବା ଅଭୟାରଣ୍ଯରେ ଶିକାର ଏହି ନିଆଁ ଲାଗିବାର ମୁଖ୍ଯ କାରଣ ହୋଇପାରେ। ଅଭୟାରଣ୍ଯରେ ଏଭଳି ନିଆଁ ଯୋଗୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଥିବା ବେଳେ ହଜାର ହଜାର ସଂଖ୍ଯାର ଔଷଧୀୟ ବୃକ୍ଷ ମଧ୍ୟ ଲୋପ ପାଇଥାଏ। ପ୍ରତିବର୍ଷ ଏଭଳି ନିଆଁର ଗ୍ରାସରେ ଶ୍ରୀହୀନ ହେବାକୁ ଲାଗିଛି ଶିମିଳିପାଳ ଅଭୟାରଣ୍ଯ। ପ୍ରତିବର୍ଷ ଏଭଳି ବହୁ ବନ୍ଯଜନ୍ତୁ ମଧ୍ୟ ନିଆଁ ପାଇଁ ପ୍ରଭାବିତ ହୋଇଥାନ୍ତି। ତେବେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଶିମିଳିପାଳ କର୍ତ୍ତୃପକ୍ଷ ଶିମିଳିପାଳ ଜୈବମଣ୍ଡଳର ପୂର୍ବ ଗାରିମା ଫେରାଇବାକୁ ଚେଷ୍ଟା ଚାଲିଛି।