ଝରାଫୁଲ ଓ ପୁଷ୍ପଲତା ପରେ ଏବେ ଟୁକୁନା ହତ୍ୟା
ପ୍ରଥମେ ଝରାଫୁଲ । ତା ପରେ ପୁଷ୍ପଲତା । ଆଉ ଏବେ ଟୁକୁନା ହତ୍ୟାକାଣ୍ଡ । ଏସବୁ ପଛରେ ରହିଛି ସେହି ଗୋଟିଏ କାରଣ । ପ୍ରେମ । ପ୍ରେମରୁ ଘଟୁଛି ହତ୍ୟାକାଣ୍ଡ । ହେଲେ ଏସବୁ କଣ ସତରେ ପ୍ରେମ ? ଯଦି ପ୍ରେମ ତେବେ ତାକୁ ନେଇ ହତ୍ୟା ଭଳି ଜଘନ୍ୟ ଘଟଣା ଘଟୁଛି କାହିଁକି?
ଝରାଫୁଲକୁ ଭଲ ପାଉଥିଲା ଯଦି ରାକେଶ ତାଙ୍କୁ ହତ୍ୟା କଲା କାହିଁକି ? ପୁଣି ତାର ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର ଅଞ୍ଚଳରେ ଫିଙ୍ଗିଲା କେମିତି ? ଯଦିଓ ଝରାଫୁଲର ହତ୍ୟା କଥାକୁ ଏଯାଏ ରାକେଶ ସ୍ୱୀକାର କରି ନାହିଁ ତେବେ ମୃତ୍ୟୁ ପଛରେ ତାର ହାତ ରହିଥିବା କଥାକୁ କେହି ବି ଅସ୍ୱୀକାର କରିବେ ନାହିଁ ।
ସେହିପରି ପୁଷ୍ପଲତାକୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦିଆଗଲା । ଏହାର ମୂଳରେ ଥିଲା ସେହି ପ୍ରେମ ଓ ପ୍ରତାରଣା । ଆଉ ଏବେ ଟୁକୁନା ହତ୍ୟା ପଛରେ ବି ଧୀରେ ଧୀରେ ସ୍ପଷ୍ଟ ହେଉଛି ପ୍ରେମ କାହାଣୀ । ତେବେ ପ୍ରାୟ ଗୋଟିଏ ମାସ ଭିତରେ ତିନି ତିନିଟି ବଡ଼ ଘଟଣା ପୋଲିସ୍କୁ ଚ୍ୟାଲେଞ୍ଜ ଦେଇଛି ।
ତେବେ ସବୁ ପଛରେ ସେହି କାରଣ ଦେଖିବାକୁ ମିଳିଛି, ପ୍ରେମ ଆଉ ପ୍ରତାରଣା । ଏହା ସହିତ ଲୋକଙ୍କ ମାନସିକତା କେତେ ତଳକୁ ଖସିଛି ଏବଂ ଆଇନ୍ ପ୍ରତି ଭୟ ନାହିଁ ସେ କଥା ମଧ୍ୟ ସ୍ପଷ୍ଟ ହେଉଛି । ଆଜି ଦିନ ଦ୍ୱିପହରରେ ଲୋକ ଗହଳିରେ ଗାଡ଼ି ଭିତରେ ଜଣକୁ ହତ୍ୟା କରାଗଲା । ପୋଲିସ୍ ଉପସ୍ଥିତିରେ ଲୋକେ ଅପରାଧୀଙ୍କୁ ଭୟଙ୍କର ଭାବେ ମାଡ଼ ମାରିଲେ । ଏସବୁ ଘଟଣା ଜୋର୍ ଦେଇ କହୁଛି ଯେ ଆଇନ୍ ପ୍ରତି ଆଉ ଲୋକଙ୍କର ଯେମିତି ଭୟ ନାହିଁ । କିମ୍ବା ସେମାନେ ଆଇନ୍ର କଠୋର ଦଣ୍ଡ ବିଷୟରେ ସଚେତନ ନୁହନ୍ତି ।
ତେଣୁ ଏସବୁକୁ ନେଇ ପୋଲିସ୍ ପ୍ରଶାସନ ଲୋକଙ୍କୁ ଭଲ ଭାବେ ସଚେତନ କରିବା ଜରୁରୀ । ନହେଲେ ସ୍ଥିତି ଆହୁରି ବିଗିଡ଼ି ଯିବ ।