ବିମାନ ପୁନେ ଛାଡିବା ଠିକ୍‌ ପୂର୍ବରୁ ବିମାନ ଯାତ୍ରୀ କରୋନା ହୋଇଥିବା କହିଲେ, ରନେଓ୍ଵରୁ ଫେରିଆସିଲା ବିମାନ

ନୂଆଦିଲ୍ଲୀ :  ଜଣେ ବିମାନ ଯାତ୍ରୀ ବିମାନ ଛାଡିବା ଠିକ୍‌ ପୂର୍ବରୁ ତାଙ୍କୁ କରୋନ ହେବା ନେଇ କହିବାରୁ ପାଇଲଟ୍‌ ରନେଓ୍ଵରୁ ପୁନେ ଯାଉଥିବା ବିମାନକୁ ପାର୍କିଂ ସ୍ଥାନକୁ ଫେରାଇ ଆଣିଲେ । ପରେ ଯାତ୍ରୀଙ୍କୁ ପିପିିଇ କିଟ୍ସ ପିନ୍ଧାଇବା ସହ ବିମାନଟିକୁ ସାନିଟାଇଜ କରି ପ୍ରାୟ ଦେଢ଼ ଘଣ୍ଟା ପରେ ବିମାନ ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି ।

ସୂଚନାନୁଯାୟୀ, ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୁରୁବାର 6E 286 ନମ୍ବର ଇଣ୍ଡିଗୋର ଏକ ବିମାନ ପୁନେ ଅଭିମୁଖେ ଉଡାଣ ଭରିଥିଲା । ବିମାନଟି ଅପରାହ୍ଣ ୫ଟା ୩୦ରେ ଟେକ୍‌ ଅଫ୍‌ କରିବା ପାଇଁ ରନେଓ୍ଵରେ ଯାଉଥିବା ବେଳେ ଜଣେ ଯାତ୍ରୀ ତାଙ୍କୁ କରୋନା ପଜେଟିଭ୍‌ ରିପୋର୍ଟ ମିଳିଥିବା ପାଇଲଟ୍‌ଙ୍କୁ ଜଣାଇଥିଲେ । ଫଳରେ ପାଇଲଟ୍‌ ବିମାନଟିକୁ ଟେକ୍‌ ଅଫ୍‌ ନକରି ରନେଓ୍ଵରୁ ଫେରାଇ ନେବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ିଥିଲେ ।

ଅନୁମତି ପାଇ ରନେଓ୍ଵରୁ ପାଇଲଟ ବିମାନଟିକୁ ପାର୍କିଂ ଏରିଆକୁ ଫେରାଇ ନେଇଥିଲେ । ପରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିବା ସହ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ବିମାନଟିକୁ ସାନିଟାଇଜ୍‌ କରିବା ସହ ସମସ୍ତ ଯାତ୍ରୀଙ୍କୁ ପିପିଇ କିଟ୍‌ ସହ ପୁନର୍ବାର ଉକ୍ତ ବିମାନରେ ଦେଢ଼ ଘଣ୍ଟା ବିଳମ୍ବରେ ପୁନେ ପଠାଯାଇଥିଲା । ତେବେ ଉକ୍ତ କରୋନା ସଂକ୍ରମିତଙ୍କ ସମ୍ପର୍କରେ କିମ୍ବା କେଉଁମାନେ ତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ସେ ସମ୍ପର୍କରେ ଇଣ୍ଡିଗୋ କର୍ତ୍ତୃପକ୍ଷ କିଛି କହିନାହାଁନ୍ତି ।

ଏବେ ସରକାରଙ୍କ ନିୟମ ଅନୁଯାୟୀ ଦିଲ୍ଲୀ,ରାଜସ୍ଥାନ,କେରଳ, ଗୋଆ ଏବଂ ଗୁଜୁରାଟରୁ ଆସୁଥିବା ସମସ୍ତ ବିମାନ ଯାତ୍ରୀ ତାଙ୍କର କରୋନା ନେଗେଟିଭ୍‌ ରିପୋର୍ଟ ଦେଖାଇ ମହାରାଷ୍ଟ୍ରରେ ପ୍ରବେଶ କରିବେ ।

Leave A Reply

Your email address will not be published.