ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍ କଲ୍

ଏଥର ଏନ୍ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ ମୋଦି କ୍ୟାବିନେଟରେ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି । ଏଥିରେ ଜେଡିୟୁର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁଙ୍ଗେରର ସାଂସଦ ରାଜୀବ ରଞ୍ଜନ ସିଂ ଓରଫ୍ ଲଲନ ସିଂ ଏବଂ ଜେଡିୟୁର ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ସିଏମ୍ କର୍ପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁରଙ୍କ ନାମ ରହିଛି ।
ବିହାରରୁ ମୋଟ ୮ ଜଣ ମନ୍ତ୍ରୀ ହୋଇପାରନ୍ତି । ଏହି ସମ୍ଭାବ୍ୟ ତାଲିକାରେ ବିଜେପିରୁ ଗିରିରାଜ ସିଂ, ନିତ୍ୟାନନ୍ଦ ରାୟ, ସତୀଶ ଚନ୍ଦ୍ର ଦୁବେ, ରାଜ ଭୂଷଣ ଚୌଧୁରୀ ନିଶାଦ, ଜେଡିୟୁରୁ ଲଲନ ସିଂ, ରାମନାଥ ଠାକୁର, ଏଲ୍ଜେପିଆର୍ରୁ ଚିରାଗ ପାସୱାନ ଓ ହମ୍ରୁ ଜିତନ ରାମ ମାଞ୍ଝି ଅଛନ୍ତି ।
ଏଥର ନିର୍ବାଚନରେ ବିହାରରେ ସ୍ୱର୍ଗତ ରାମବିଳାସ ପାସୱାନଙ୍କ ପୁଅ ଚିରାଗ ପାସୱାନଙ୍କ ଦଳ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି । ତାଙ୍କ ଦଳ ଏଲ୍ଜେପିଆର୍ ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ସମସ୍ତ ସ୍ଥାନରେ ବିଜୟ ହାସଲ କରିଛି । ଏମିତିରେ ଚିରାଗ ପାସୱାନଙ୍କୁ ମଧ୍ୟ ମନ୍ତ୍ରୀ ହେବା ପାଇଁ ଫୋନ୍ କଲ୍ ଆସିଛି । ତାଙ୍କର ପାଞ୍ଚ ଜଣ ସାଂସଦ ଏନ୍ଡିଏ ସରକାରରେ ଅଛନ୍ତି ଏବଂ ପୂର୍ବରୁ ସେମାନେ ବିନା ସର୍ତ୍ତରେ ସମର୍ଥନ ଘୋଷଣା କରି ସାରିଛନ୍ତି ।
ଜିତନ ରାମ ମାଞ୍ଝିଙ୍କ ପାର୍ଟି ବି ଏନ୍ଡିଏରେ ଅନ୍ତର୍ଭୁକ୍ତ ହୋଇଛି । ତାଙ୍କ ଦଳରୁ କେବଳ ଜଣେ ସାଂସଦ ଅଛନ୍ତି, ତଥାପି ତାଙ୍କୁ କ୍ୟାବିନେଟରେ ଜାଗା ମିଳିପାରେ । ବିହାରରୁ ବିଜେପିର ଦୁଇ ନେତାଙ୍କୁ ଦିଲ୍ଲୀରୁ କଲ୍ ଆସିଛି । ଏଥିରେ ପୂର୍ବତନ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଗିରିରାଜ ସିଂଙ୍କ ନାମ ରହିଛି । ଉଭୟ ପୂର୍ବ ସରକାରରେ ମଧ୍ୟ ରାଜ୍ୟ ମନ୍ତ୍ରୀ ଥିଲେ । ଏଥର ବି ଦୁହିଁଙ୍କୁ ଦିଲ୍ଲୀରୁ ଫୋନ୍ କଲ୍ ଆସିଛି ।