ହସ୍ପିଟାଲ ବେଡରୁ ପୁଅ ଚୋରି, ମୁଣ୍ଡ ବାଡ଼େଇ କାନ୍ଦୁଛି ମା’

ବାଲେଶ୍ୱର : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ହସ୍ପିଟାଲ ବେଡ୍‌ରୁ ଶିଶୁ ପୁତ୍ରକୁ ଚୋରି କରି ନେଇଗଲେ । ପାଖରେ ନଥିଲେ ଆଶାକର୍ମୀ ମା ପାଖରୁ ପିଲାଟିକୁ ଡାକ୍ତରଙ୍କ ପାଖକୁ ନେବା ପାଇଁ ନେଇଥିଲେ ଜଣେ ମହିଳା ହେଲେ ସେତିକି ବେଳୁ ପିଲାଟିର ମିଳୁନି ପତ୍ତା । ଏପେଟେ ପୁଅ ପୁଅ କହି ଛାତି ଫଟାଇ କାନ୍ଦୁଛି ମା । ଖାଲି କହୁଛି ମୋ ପୁଅକୁ କିଏ ନେଇଗଲା ଆଣିଦିଅ ମୋତେ ମୋ ପୁଅ । ରାତି ୧୨ ଟାରେ ଜନ୍ମ ହୋଇଥିବା ଶିଶୁପୁତ୍ର କୁଆଡ଼େ ଗଲା ବୋଲି ଖୋଜା ପଡ଼ିଛି । ପୁରା ଚହଳ ଦେଖାଦେଇଛି ମେଡିକାଲ ପରିସରରେ ।

ତେବେ ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଦେଖିବାକୁ ମିଳିଛି । ମାଆ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ନବଜାତକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବାଲିଆପାଳ ଥାନା କୁଲାଚଡ଼ ଗାଁର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନିତା ଗତକାଲି ବିଳମ୍ବିତ ରାତିରେ ପ୍ରସବ ପାଇଁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସାଙ୍ଗରେ ଅନିତାଙ୍କ ଶାଶୂ ଓ ସ୍ଥାନୀୟ ଆଶାକର୍ମୀ ସନ୍ଧ୍ୟାରାଣୀ ଜେନା ମଧ୍ୟ ଆସିଥିଲେ ।

ରାତି ୧୨ଟା ବେଳେ ତାଙ୍କର ଶିଶୁପୁତ୍ର ଜନ୍ମ ହୋଇଥିଲା। ହେଲେ ଆଜି ସକାଳେ ସେଠାରେ ଜଣେ ଅଜଣା ମହିଳା ଆସି ତାଙ୍କ ପିଲାକୁ ଧରିବା ସହ ପରେ ଆଶାକର୍ମୀ ସନ୍ଧ୍ୟାରାଣୀଙ୍କ ସହ କଥାବାର୍ତ୍ତା କରିଥିଲେ। ଆଶାକର୍ମୀ ଓ ଅନିତାଙ୍କ ଶାଶୂ ୱାର୍ଡରେ ନଥିବାର ସୁଯୋଗ ନେଇ ସେହି ଅଜଣା ମହିଳା ଜଣକ ପିଲାଟିକୁ ଡାକ୍ତରଙ୍କ ପାଖକୁ ନେବାକୁ କହି ବେଡରୁ ନେଇଯାଇଥିଲା ।

ଏହା ପରେ ଆଉ ପିଲାର ପତ୍ତା ମିଳିନଥିବା ଅଭିଯୋଗ ହୋଇଛି । ଏ ନେଇ ହସ୍ପିଟାଲ ଫାଣ୍ଡିରେ ଅନିତାଙ୍କ ଶଶୁର ଘର ଲୋକେ ପିଲା ଚୋରି ନେଇ ଅଭିଯୋଗ କରିଛନ୍ତି। ଏହାପରେ ପୋଲିସ ହସ୍ପିଟାଲ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିଛି । ଏନେଇ ଆଶାକର୍ମୀ ଓ ହସ୍ପିଟାଲର ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

Leave A Reply

Your email address will not be published.