ମୂଲ୍ୟବାନ କାଠ ଗଣ୍ଡିକୁ ବେଆଇନ ଭାବରେ ବିକ୍ରି କରିବା ପାଇଁ ଚାଲିଛି କି ଷଡଯନ୍ତ୍ର?

ପାଟଣାଗଡ଼ (କେନ୍ୟୁଜ): ବର୍ତମାନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ବର୍ଷକୁ ବର୍ଷ ତାପମାତ୍ରା ବଢ଼ି ବଢ଼ି ଚାଲିଛି । ସମସ୍ତଙ୍କ ମତ ଏହି ତାପମାତ୍ରା କୁ ସନ୍ତୁଳନ କରିପାରିବ ଏକମାତ୍ର ଗଛ । ଗଛ ଲଗାଇ ସବୁଜବନାନୀ ସୃଷ୍ଟି କରିବା ପାଇଁ ସରକାର ସବୁବେଳେ ଚେଷ୍ଟିତ ଥିବାବେଳେ, ଏପଟେ ବିକାଶ ନାମରେ ରାସ୍ତା କଡର ହଜାର ହଜାର ଗଛ କଟାଯାଉଛି ଓ ପୋଡି ଦିଆଯାଉଛି । ଯାହାଫଳରେ ତାପମାତ୍ରା ବଢିବା ସହିତ ବଢୁଛି ପ୍ରଦୂଷଣ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଠାରୁ ଖପ୍ରାଖୋଲ ରାସ୍ତା ପ୍ରଶସ୍ତିକରଣ ଓ ଦୃଢ଼ୀକରଣ ପାଇଁ ସରକାର ୬୧ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁରୀ କରିବା ପରେ ଆରମ୍ଭ ହୋଇଥିଲା ରାସ୍ତାକାମ । ରାସ୍ତା ପ୍ରଶସ୍ତିକରଣ ନାମରେ କଟାଗଲା ଶହ ଶହ ବର୍ଷ ର ପୁରୁଣା ହଜାର ହଜାର ରାସ୍ତା କଡରେ ଥିବା ଗଛ । ଗଛ କଟାଯିବା ପରେ କାଠ ଗୁଡିକୁ ନେଇ ନିଲାମ କରିବା ଦାୟିତ୍ୱ ନେଲା ଫରେଷ୍ଟ କର୍ପୋରେସନ । ଗଛ କାଟିବା ପରେ କିଛି କାଠ ଫରେଷ୍ଟ କର୍ପୋରେସନ ନେଇ ବିଭିନ୍ନ ଯାଗାରେ ଗଦାଇଥିବା ବେଳେ ଏବେବି ରାସ୍ତାକଡରେ ପଡିରହିଛି ଅନେକ କାଠଗଣ୍ଡି ଓ ଅନେକ ଯାଗାରେ କାଠଗଣ୍ଡିରେ ଲଗାଇ ଦିଆ ଯାଉଛି ନିଆଁ । ଯାହାଫଳରେ ତାତି ଅଧିକ ବଢିବା ସହିତ ନିଆଁହୁଳା ଉଡି ବାଟୋଇ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ରାସ୍ତା ପ୍ରଶସ୍ତିକରଣ କାମ ଆରମ୍ଭ ହେଲାବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଉପଜିଲ୍ଲାପାଳଙ୍କ କାର୍ଯାଳୟରେ ଗଛ ନକାଟିବା ପାଇଁ ଧାରଣା ଦେଇଥିଲେ ଓ ଯେତେ କମ୍ ଗଛ କାଟି ରାସ୍ତା ହୋଇ ପାରିବ ସେତିକି ଗଛ କାଟି ରାସ୍ତା କାମ କରିବା ପାଇଁ ଅନୁରୋଧ କରିଥିଲେ । ତତ୍କାଳୀନ ଉପଜିଲ୍ଲାପାଳ ନିର୍ଭର ପ୍ରତିଶ୍ରୁତି ଦେବା ପରେ କମ୍ ଗଛ କଟାଯାଇ ରାସ୍ତା କାମ ଜାରି ରହିଥିବା ବେଳେ, କଟା କାଠଗଣ୍ଡି ଗୁଡିକୁ ନେବା ଦାୟିତ୍ୱ ନେଇଥିଲା ଫରେଷ୍ଟ କର୍ପୋରେସନ । ଅନେକ ଦିନ ହେବ କାଠଗଣ୍ଡି ଗୁଡିକ କଟାଯାଇଥିବା ବେଳେ କିଛି କାଠଗଣ୍ଡି ଫରେଷ୍ଟ କର୍ପୋରେସନ ନେଇଥିବା ବେଳେ ଅନେକ କାଠ ଗଣ୍ଡି ରାସ୍ତା କଡରେ ପଡି ରହିଥିଲା । ଏବେ ଖପ୍ରାଖୋଲ ରୁ ପାଟଣାଗଡ଼ ଭିତରେ ଅନେକ ଯାଗାରେ କାଠଗଣ୍ଡି ଗୁଡିକ ପୋଡାଯାଉଥିବା ବେଳେ ଯିବା ଆସିବା ଲୋକ ମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜଙ୍ଗଲ ବିଭାଗକୁ ପଚାରିଲେ କେହି ଦୁର୍ବୁତ୍ତ ଏପରି କରୁଥିବା କହୁଥିବା ବେଳେ, ଏଠାରେ ପ୍ରଶ୍ନ ଉଠୁଛି ରାସ୍ତା କଡରେ ଏତେ ଯାଗାରେ କଣ ଦୁର୍ବୁତ୍ତ ନିଆଁ ଲଗାଇ ଦେଉଛନ୍ତି? ଯଦି ଦୁର୍ବୁତ୍ତ ନିଆଁ ଲଗାଇ ଦେଉଛନ୍ତି ତାହେଲେ ଫରେଷ୍ଟ କର୍ପୋରେସନ କେତେ ଥର ଥାନାରେ ଏତେଲା ଦେଇଛି? ଜଙ୍ଗଲ ରେ ନିଆଁ ଲାଗିଲେ ଦମକଳ ବାହିନୀକୁ ଡାକି ନିଆଁ ଲିଭା ଯାଉଥିବା ବେଳେ ରାସ୍ତାକଡରେ ଜଳୁଥିବା କାଠଗଣ୍ଡିକୁ ଲିଭାଇବା ପାଇଁ ଦାୟିତ୍ୱରେ ଥିବା ଫରେଷ୍ଟ କର୍ପୋରେସନ କର୍ମଚାରୀ କଣ ପଦକ୍ଷେପ ନେଇଛନ୍ତି? ନାଁ ମୂଲ୍ୟବାନ କାଠ ଗଣ୍ଡିକୁ ବେଆଇନ ଭାବରେ ବିକ୍ରି କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ଜନସାଧାରଣରେ ଚର୍ଚ୍ଚା ଚାଲିଛି ।

ଫରେଷ୍ଟ କର୍ପୋରେସନର ଜାଣତରେ ହେଉ ବା ଅଜାଣତରେ ହେଉ ରାସ୍ତା କଡରେ କାଠଗଣ୍ଡି ଗୁଡିକ ପୋଡାଯାଉଥିବାରୁ ଉତ୍ତାପ ବୃଦ୍ଧି, ପରିବେଶ ପ୍ରଦୂଷଣ ସହିତ ପବନରେ ନିଆଁ ହୁଳା ଉଡି ଯିବାଆସିବା ଲୋକ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଉଚ୍ଚପଦସ୍ଥ ଅଧିକାରୀ ମାନେ ଏ ବିଷୟରେ ଟିକିଏ ଧ୍ୟାନ ଦିଅନ୍ତୁ ବୋଲି ଜନସାଧାରଣ ରେ ଦାବି ହେଉଛି ।

 

Leave A Reply

Your email address will not be published.