ଯାଆଁଳା ଭାଇ ଶୁଭମ୍ ଓ ସତ୍ୟମ୍: ସମାନ ନମ୍ବର ରଖି ହୋଇଛନ୍ତି ଟପ୍ପର

ପୁରୀ(କେନ୍ୟୁଜ): ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଯେତେ ପ୍ରତିବନ୍ଧକ ଆସିଲେ ବି ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ । ଯାହାର ଏକ ବଡ ଉଦାହରଣ ଆଜିର ଏହି ଘଟଣା । ବାପା ଅଟୋ ଚାଳକ । ମା ଗୃହିଣୀ । ନିଜ ଦୁଇ ପୁଅଙ୍କ ପାଇଁ ଏମାନେ ଦିନ ରାତି ଏକ କରି କଠିନ ପରିଶ୍ରମ କରିବା ସହ ଅନେକ ସ୍ୱପ୍ନ ଦେଖିଛନ୍ତି । ଆଉ ଏହି ସ୍ୱପ୍ନକୁ ପୂରଣ କରିଛନ୍ତି ଦୁଇ ଯାଆଁଳା ପୁଅ ଶୁଭମ୍ ପ୍ରଧାନ ଓ ସତ୍ୟମ୍ ପ୍ରଧାନ । ଚଳିତ ଯୁକ୍ତ ଦୁଇ ବାଣିଜ୍ୟରେ ଟପ୍ପର ହୋଇଛନ୍ତି ଏହି ଦୁଇ ଯାଆଁଳା ଭାଇ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଉଭୟ ସମାନ ସଂଖ୍ୟକ ନମ୍ବର ରଖିଛନ୍ତି । ୬୦୦ ରୁ ୫୫୯ ନମ୍ବର ରଖି ଉଭୟ ଟପ୍ପର ହୋଇଛନ୍ତି ।

ପୁରୀ ସଦର ବ୍ଲକ ଚମାରକେରା ଗାଁର ଅଟୋ ଡ୍ରାଇଭର ନୃସିଂହ ପ୍ରଧାନଙ୍କ ଦୁଇ ଯାଆଁଳା ପୁଅ ଶୁଭମ୍ ଓ ସତ୍ୟମ୍ । ବାପା,ମାଙ୍କ କଠିନ ପରିଶ୍ରମ ଦେଖି ସେମାନେ ଅକ୍ଲାନ୍ତ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି । ଉଭୟ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ର । କେବଳ ଏହି ଦୁଇ ଭାଇ ନୁହଁନ୍ତି ସୁରଜମଲ ଶାହା ମହାବିଦ୍ୟାଳୟ ଛାତ୍ର ଦୂର୍ଗା ପ୍ରଧାନ ୫୧୬ ନମ୍ବର ରଖି ବାଣିଜ୍ୟରେ ଟପ୍ପର ହୋଇଛନ୍ତି ।

ସେହି କଲେଜର ସିତାଂଶୁ ପ୍ରଧାନ ୪୪୭ ନମ୍ବର ରଖି ତୃତୀୟରେ ଅଛନ୍ତି । ଆଉ ଏମାନେ ସମସ୍ତେ ହେଉଛନ୍ତି ଗୋଟିଏ ଏକାଡେମୀର ଛାତ୍ର, ଛାତ୍ରୀ । ଏହି ଏକାଡେମୀର ସମସ୍ତ ୩୫ ଜଣ ବେଶ ସଫକତା ପାଇଛନ୍ତି । ଅର୍ଥ ଉପାର୍ଜନ ପାଇଁ ନୁହେଁ ବରଂ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଭଲ ଶିକ୍ଷା ଦେଇ ସେମାନଙ୍କ ଭବିଷ୍ୟତ ଗଢିବା ଏହି ଏକାଡେମୀର ଲକ୍ଷ୍ୟ ।

ପରିଶ୍ରମର ଫଳ ସବୁବେଳେ ମିଠା । ଜଣେ ଯେକୌଣସୀ କାମକୁ ମନ ପ୍ରାଣ ଦେଇ କରିଥାଏ ସେହି କାର୍ଯ୍ୟରେ ସେ ସଫଳତା ପାଇବାଟା ନିଶ୍ଚିତ। ଯାହା କରିଦେଖାଇଛନ୍ତି ଦୁଇ ଯାଆଁଳା ଭାଇ ଶୁଭମ୍ ଓ ସତ୍ୟମ୍ । ବାପା ମାଙ୍କ ପରିଶ୍ରମର ମୂଲ୍ୟ ରଖିଛନ୍ତି ।

 

Leave A Reply

Your email address will not be published.