ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ : ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି, ନୋ ଫ୍ଲାଇଂ ଜୋନରେ ଦିଲ୍ଲୀ

ନରେନ୍ଦ୍ର ମୋଦି ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ସନ୍ଧ୍ୟା ୭.୧୫ ମିନିଟରେ ମୋଦି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ । ଏଥିପାଇଁ ନରେନ୍ଦ୍ର ମୋଦି ଆଜି ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଅଟକ ବିହାରୀ ବାଜପେୟୀଙ୍କୁ ପ୍ରଣାମ କରିଛନ୍ତି । ଏହାଛଡା ଓ୍ଵାର ମେମୋରିଆଲ ଯାଇ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରାୟ ୭୦୦୦ ହଜାର ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି ।

– ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ଭୁଟାନ, ନେପାଳ, ମରିସସର ନେତା ସାମିଲ ହେବେ । ତେଣୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି ।

– ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଅନେକ ଦେଶର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେବେ । ଏହାକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦିଲ୍ଲୀକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ପ୍ରତି ଛକରେ ପୋଲିସ ପ୍ରହରା ଦେଉଛି । ନୂଆଦିଲ୍ଲୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡ୍ରୋନ ରହିବ । ୨୦୧୪ ଏବଂ ୨୦୧୯ରେ ହୋଇଥିବା ଶିଖର ସମ୍ମିଳନୀ ଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

– ମୋଦି ଜବାହାରଲାଲ ନେହେରୁଙ୍କ ଭଳି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି ।

– ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତି ଭବନ ସୁରକ୍ଷା ପାଇଁ ଅର୍ଦ୍ଧସୈନିକ ବଳର ୫ଟି ଫୋର୍ସ, ଏନଏସଜି କମାଣ୍ଡୋ, ଡ୍ରୋନ, ସ୍ନାଇପର ନିୟୋଜିତ କରାଯାଇଛି । ବିଦେଶୀ ଅତିଥିଙ୍କ ପାଇଁ ଲୀଲା, ତାଜ, ଆଇଟିସି ମୌର୍ଯ୍ୟ, କ୍ଲେରିଜସ ଏବଂ ଓବରୟ ହୋଟେଲରେ ରୁମ୍ ବୁକ୍ ହୋଇଛି । ଏସବୁରେ କଡା ସୁରକ୍ଷା ରହିଛି ।

– ବିଜେପି ନେତାଙ୍କ ମଧ୍ୟରେ ଅମିତ ଶାହ, ରାଜନାଥ ସିଂ, ଜେପି ନଡ୍ଡା, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ନେତା ନୀତିଶ କୁମାର, ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ସାମିଲ ହେବେ ।

– ଆପନା ଦଳର ଅନୁପ୍ରିୟା ପଟେଲ, HAMର ଜିତନ ରାମ ମାଝୀ, ଜେଡିଏସର ଏଚ୍ .ଡି କୁମାରସ୍ବାମୀ ଏବଂ RLD ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ ଫୋନ କଲ୍ ଯାଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ରହିଛି ।

– ସମାରୋହ ଦିନ ଦିଲ୍ଲୀ ପୋଲିସର ସ୍ୱାଟ ଏବଂ ଏନଏସଜି କମାଣ୍ଡୋ ରାଷ୍ଟ୍ରପତି ଭବନ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଛନ୍ତି । ଦିଲ୍ଲୀ ପୋଲିସ ଅଧିକାରୀ ସମାରୋହକୁ ଦୃଷ୍ଟିରେ ରଖି ସୁରକ୍ଷା ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମୁଖ୍ୟାଳୟ ଏବଂ ନୂଆ ଦିଲ୍ଲୀର ବିଭିନ୍ନ ବୈଠକ ସରିଛି । ଶପଥ ଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ଭିତରେ ହେବ । ତେଣୁ ଏଠାରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

– ଜଣେ ଅଧିକାରୀଙ୍କ କହିବାମୁତାବକ, ଅର୍ଦ୍ଧସୈନିକ ବଳ ଏବଂ ଦିଲ୍ଲୀ ସଶସ୍ତ୍ର ପୋଲିସର ଯବାନ ୫ଟି କମ୍ପାନୀ ସହିତ ପାଖାପାଖି ୨୫୦୦ ପୋଲିସ କର୍ମୀ ମଧ୍ୟ ନିୟୋଜିତ ରହିଛନ୍ତି । ଯେଉଁ ରାସ୍ତା ଦେଇ ଭିଭିଆଇପି ଯିବେ, ସେହି ରାସ୍ତାରେ ସ୍ନାଇପର ଏବଂ ସଶସ୍ତ୍ର ପୋଲିସ ରହିଛନ୍ତି ।

Leave A Reply

Your email address will not be published.