କଲରାପତରିଆ ବାଘ ଆତଙ୍କ : ୧୧ ଘଣ୍ଟାର ଉଦ୍ୟମ ପରେ କାବୁ କଲା ବନବିଭାଗ
ବାଲେଶ୍ବର (କେନ୍ୟୁଜ): ଦୀର୍ଘ ୧୧ ଘଣ୍ଟାର ଉଦ୍ୟମ ପରେ ବାଘକୁ କାବୁ କଲା ବନବିଭାଗ । କାଲି ଦିନ ସାରା ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ଲାଗି ରହିଥିଲା କଲରାପତରିଆ ବାଘ ଆତଙ୍କ । ଗଡ଼ ଗାଁରେ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ । ଆହତ ମହିଳା ଜଣଙ୍କ ନିଜ ପୁଅ ଓ ସ୍ୱାମୀଙ୍କ ସହ ବାଡ଼ିରେ କାମ କରୁଥିବା ବେଳେ ବାଘ ଆକ୍ରମଣ କରିଥିଲା । ସେ ଚିତ୍କାର କରିବାରୁ ଗ୍ରାମବାସୀ ଏକାଠି ହୋଇ ବାଘଟିକୁ ଘଉଡାଇଥିଲେ । କିନ୍ତୁ ପରେ ପୁଣି ବାଘଟି ଆହତ ମହିଳାଙ୍କ ପୁଅ ଓ କିଛି ଲୋକଙ୍କୁ ଆକ୍ରମଣ କରିଥିଲା ।
ବାଘକୁ ଧରିବା ଲାଗି ଉଭୟ ଗ୍ରାମବାସୀ ଓ ବନ କର୍ମଚାରୀ ଜୋରଦାର ପ୍ରୟାସ ଚଳାଇଥିଲେ । ତେବେ ଏହି ସମୟରେ ଜଣେ ଫରେଷ୍ଟ ଗାର୍ଡ଼ ମଧ୍ୟ ବାଘ ଆକ୍ରମଣରେ ଆହତ ହୋଇଥିଲେ । ଦୀର୍ଘ ସମୟର ଉଦ୍ୟମ ପରେ ସିମିଳିପାଳରୁ ଏକ ଟିମ ପହଞ୍ଚି ଵାଘକୁ ଟ୍ରାଙ୍କୁଲାଇଜର ଦେଇ ଉଦ୍ଧାର କରିଥିଲେ । ବାଘକୁ ଦେଖିବା ପାଇଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭିଡ ଦେଖିବାକୁ ମିଳିଥିଲା । ବାଘ ଆକ୍ରମଣରେ ୫ ଜଣ ବନ କର୍ମଚାରୀ ଗୁରୁତର ଆହତ ଅବସ୍ଥାରେ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଖଇରା,ପରେ ଭଦ୍ରକରୁ କଟକ ସ୍ଥାନାନ୍ତରିତ କରାଯାଇଛି ।