ମଝି ଆକାଶରେ Air Canada ବିମାନରେ ଲାଗିଲା ନିଆଁ, ଥିଲେ ୪୦୨ ଯାତ୍ରୀ

ଏୟାର କାନାଡା ବିମାନରେ ଲାଗିଲା ନିଆଁ । ଟରୋଣ୍ଟୋ ବିମାନବନ୍ଦରରୁ ପ୍ୟାରିସ୍‌ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍‌ ପରେ ଏୟାର କାନାଡାର ଏକ ବିମାନରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ବିମାନରେ ୩୮୯ ଯାତ୍ରୀଙ୍କ ବ୍ୟତୀତ ଚାଳକ ଦଳର ୧୩ ଜଣ ସଦସ୍ୟ ଥିଲେ । ବିମାନରେ ନିଆଁ ଲାଗିବାର ଏହି ଘଟଣା କ୍ୟାମେରାରେ କଏଦ ହୋଇଛି ।

ରିପୋର୍ଟ ମୁତାବକ, ଜୁନ୍ ୫ରେ ଟରୋଣ୍ଟୋରୁ ବୋଇଙ୍ଗ ୭୭୭ ବିମାନ ଉଡ଼ାଣ ଭରିଥିଲା ଏବଂ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍ ଭିତରେ ହିଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ଡାହାଣ ଇଞ୍ଜିନରୁ ସ୍ପାର୍କ ବାହାରୁଥିବା ଦେଖିବାକୁ ପାଇଥିଲା । ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ବିମାନରୁ ସ୍ପାର୍କ ବାହାରୁଥିବାର ଦେଖାଯାଉଛି ।

ଏ ନେଇ ଏୟାର କାନାଡା ଏକ ବିବୃତ୍ତିରେ କହିଛି କି, ଇଣ୍ଟରନେଟରେ ଘଟଣାର ଭିଡିଓ ପୋଷ୍ଟ କରାଯାଇଛି । ଏଥିରେ ଦେଖାଯାଉଛି, କମ୍ପ୍ରେସର ଷ୍ଟଲ ପଏଣ୍ଟରେ ଇଞ୍ଜିନ୍‌ ରହିଛି । ଏମିତି ଘଟଣା ସେତେବେଳେ ଘଟିପାରେ, ଯେତେବେଳେ ଟର୍ବାଇନ୍‌ ଇଞ୍ଜିନ ସହିତ ଏହାର ଏରୋଡାଇନାମିକ୍ସ ପ୍ରଭାବିତ ହୋଇଥାଏ । ଏହା ବିଭିନ୍ନ କାରଣରୁ ହୋଇପାରେ । କିନ୍ତୁ ପରିଣାମ ଏହା ହୁଏ ଯେ ଇଞ୍ଜିନ୍ ମାଧ୍ୟମରେ ବାୟୁର ପ୍ରବାହ ବ୍ୟାହତ ହୋଇଥାଏ, ଯଦ୍ଦ୍ଵାରା ଇଞ୍ଜିନ୍ ତଳେ ଇନ୍ଧନ ପ୍ରଜ୍ୱଳିତ ହୁଏ । ଏହି କାରଣରୁ ଭିଡିଓରେ ଫ୍ଲେମ୍ସ ଦେଖାଦେଉଛି, ଯାହାକି ଇଞ୍ଜିନ୍‌ରେ ଲାଗିଥିବା ନିଆଁ ନୁହେଁ ।

ବିମାନରେ ତ୍ରୁଟି ଥିବା ନେଇ ତତକ୍ଷଣାତ୍ ବିମାନ କର୍ମଚାରୀଙ୍କୁ ଅବଗତ କରାଯାଇଥିଲା । ସେମାନେ ସ୍ଥିତିକୁ ସମ୍ଭାଳି ବିମାନଟିକୁ ବିମାନବନ୍ଦରରେ ଅବତରଣ କରାଇଥିଲେ । ପରେ ସେହି ରାତିରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ପଠାଯାଇଥିଲା । ରିପୋର୍ଟ ଅନୁସାରେ, ତ୍ରୁଟି ଥିବା ବୋଇଙ୍ଗ ବିମାନକୁ ସେବାରୁ ବାହାର କରାଯାଇଛି । ରକ୍ଷଣାବେକ୍ଷଣ କର୍ମଚାରୀ ଏବଂ ଇଞ୍ଜିନିୟରମାନେ ଏହାକୁ ଯାଞ୍ଚ କରୁଛନ୍ତି ।

Leave A Reply

Your email address will not be published.