ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ, ବିପଦରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ସ୍ଵାଧୀନତାର ୭୬ ବର୍ଷ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ । ଆଲୁଅ ବିନା ଘର ଠୁ ଆରମ୍ଭ କରି ପୁରା ଗାଁ ପାଲଟିଛି ଘନ ଅନ୍ଧକାର । ଡିବିରି ଆଲୁଅ ଲିଭିଗଲା ପରେ ସବୁ ଯେମିତି ଖାଁ ଖାଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପାରାଡୁଲ ଗାଁର କଣ୍ଟାବଣ ସାହି । ସାହିରେ ରୁହନ୍ତି ପ୍ରାୟ ୨୦ରୁ ଉର୍ଦ୍ଧ ପରିବାର ।

ସୂଚନା ଅନୁଯାୟୀ ୨୦୧୯ରେ ପ୍ରଶାସନ ଦ୍ଵାରା ଗାଁ କୁ ବିଦ୍ୟୁତ୍ ସଂଯୋଗୀକରଣ ନିମନ୍ତେ ଗାଁରେ ଘରେ ଘରେ ମିଟର ବକ୍ସ ବସାଯାଇଥିଲା କିନ୍ତୁ ବିଦ୍ୟୁତ୍ ସଂଯୋଗ ନକରି ଛାଡିଦିଆଯାଇଛି । ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଜମିରେ ଜଳ ସେଚନଠୁ ଆରମ୍ଭ କରି ପିଲାଙ୍କ ଭବିଷ୍ୟତ ଗଠନରେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗାଁ ଲୋକେ ।

ପାହାଡ଼ ଜଙ୍ଗଲ ଘେର ଭିତରେ ରହିଥିବା ଏହି ଗାଁ ଲୋକେ ରାତି ହେଲେ ଭୟଭିତ ଅବସ୍ଥାରେ ରହିବା ସହ ଚାହିଁ ବସିଛନ୍ତି ବିଜୁଳି ଆଲୁଅକୁ । ସବୁଠାରୁ ବଡ଼କଥା ହେଲା ଖରା ଦିନରେ ଅତିଶୟ ଗରମରେ ପଙ୍ଖା ଟିଏ ବି ଲଗେଇ ପାରୁନାହାନ୍ତି । ଛାତ୍ର ଛାତ୍ରୀମାନେ ଅନଲାଇନ୍ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ।

ଏ ନେଇ ଅନେକ ଥର ପ୍ରଶାସନକୁ ଅଭିଯୋଗ କରିଥିଲେ ବି କେବଳ ପ୍ରତିଶ୍ରୁତି ଛଡା ଆଉ କିଛି ମିଳୁନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଗାଁକୁ ଯେମିତି ଶୀଘ୍ର ବିଜୁଳି ସଂଯୋଗ କରାଯାଇପାରିବ ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଆର୍ ଉଦୟଗିରି ବିଦ୍ୟୁତ ବିଭାଗ ଅଧିକାରୀ ଦିଲୀପ କୁମାର ଲେଙ୍କା ।

ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ମାଧ୍ୟମରେ ସରକାର ଗାଁ ଗାଁକୁ ବିଜୁଳି ଆଲୁଅ ଯୋଗାଉଛନ୍ତି କିନ୍ତୁ ବିଦ୍ୟୁତ୍ ବିଭାଗର ଖାମ ଖିଆଲ ମନୋଭାବ ଯୋଗୁଁ ଆଜି ମଧ୍ୟ ବିଜୁଳି ଆଲୁଅ ସ୍ୱପ୍ନ ହୋଇ ରହିଛି ଏହି ଗ୍ରାମବାସୀଙ୍କ ପାଇଁ । ତେବେ ଏହା ଦେଖିବା ବାକି ରହିଲା କେବେ ଏହି ଗ୍ରାମବାସୀ ଅନ୍ଧାରୀ ମୂଲକରୁ ବାହାରି ବିଜୁଳି ଆଲୁଅ ଦେଖିପାରୁଛନ୍ତି ।

Leave A Reply

Your email address will not be published.