ନୀତା ଅମ୍ବାନୀଙ୍କ ଘରର ସୌନ୍ଦର୍ଯ୍ୟ ବଢ଼ାଇବ ଓଡ଼ିଶାର ତାଳଗଛ

ପୁରୀ : ଓଡ଼ିଶାରୁ ଅମ୍ବାନୀଙ୍କ ଘରକୁ ଯିବ ତାଳଗଛ । ନିତା ଅମ୍ବାନୀଙ୍କ ବାସ ଭବନରେ ହୁଏତ ଏହି ଗଛ ସୌନ୍ଦର୍ଯ୍ୟ ବଢାଇବ । ଆଉ ଏଥିପାଇଁ ଅର୍ଡ଼ର ବି ଆସି ସାରିଛି । ପ୍ରାୟ ଛଅ ମାସ ଅକ୍ଳାନ୍ତ ପରିଶ୍ରମ ଏବଂ ୬୦ ହଜାର ଟଙ୍କା ବ୍ୟୟରେ ଏହାକୁ ତିଆରି କରାଯାଇଛି । ଆପଣ ଭାବୁଥିବେ ଏତେ ବଡ଼ ବଡ଼ ତାଳଗଛ ଅମ୍ବାନୀଙ୍କ ବେଡ଼ ରୁମ୍‌ରେ ଆଡ଼ଜେଷ୍ଟ ହେବ କେମିତି ।

ବାସ୍ତବରେ ଆପଣ ଯାହା ଭାବୁଛନ୍ତି ଇଏ ସେମିତି ନୁହେଁ । ଏ ତାଳଗଛ ସେ ତାଳ ଗଛ ନୁହେଁ ଯାହାକୁ ଆପାଣମାନେ ଆପଣଙ୍କ ଗାଁ ଗଣ୍ଡା ଦଶ ବିଲ ବଣ ବୁଦାରେ ଆକାଶକୁ ଚାହିଁ ଠିଆ ହୋଇଥିବାର ଆପଣମାନେ ଦେଖିଥିବେ । ଏ ହେଉଛି ସେହି ତାଳଗଛ ଯାହାକୁ ଆମେ ଘରେ ସଜେଇ ରଖୁ । ଏହା ନଡ଼ିଆ କତାରେ ତିଆରି ଏକ ଘର ସଜ୍ଜା ଉପକରଣ । ଯାହା ଖୁବ ଶୀଘ୍ର ନିତା ଅମ୍ବାନୀଙ୍କ ଘରର ଶୋଭା ବଢାଇବାକୁ ଯାଉଛି । ଏହାକୁ ତିଆରି କରିଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିଶ୍ୱନାଥପୁର ଗ୍ରାମର କତା କାରୀଗର ଡ଼ଲି ଦାଶ । ଏଥିରେ ତାଙ୍କୁ ସାହାଯ୍ୟ କରିଛନ୍ତି ସ୍ଥାନୀୟ ଅଂଚଳର କାରୀଗର ମାନେ । କତା କାରିଗରୀ ପାଇଁ ପୁରୀ ଜ଼ିଲ୍ଲା ସତ୍ୟବାଦୀ ଅଂଚଳ ବେଶ ପରିଚିତ । ଏନେଇ କତା ତିଆରି ସାମଗ୍ରୀରେ ତାଳଗଛ ତିଆରି କରିଥିବା ଡଲି ଦାଶଙ୍କ କତାରେ ତିଆରି ତାଳ ଗଛକୁ ନିତା ଅମ୍ବାନୀ ନେବା ପାଇଁ ଅର୍ଡର ମିଳିବା ପରେ ବେଶ ଖୁସି ଦେଖା ଯାଇଛି l

ସତ୍ୟବାଦୀ ବ୍ଲକ ବିଶ୍ୱନାଥପୁର ଗାଁରେ କତା ଶିଳ୍ପକୁ ବଞ୍ଚାଇ ରଖିଛନ୍ତି ଡ଼ଲି । ନିତା ଅମ୍ବାନୀଙ୍କ ପାଖରୁ ଅର୍ଡ଼ର ମିଳିବା ପରେ ସେ କତାରେ ତିଆରି ତାଳ ଗଛ ନିର୍ମାଣରେ ଲାଗି ପଡ଼ିଥିଲେ । କତାରେ ଅତି ସୁନ୍ଦର ଭାବରେ ତିଆରି ହେଉଛି ଫଳନ୍ତି ତାଳ ଗଛ । ଯାହାକୁ ତିଆରି କରିବାରେ ମଗ୍ନ ଅଛନ୍ତି କାରିଗର । ଏହା ସହିତ ପୁରାଣରେ ବର୍ଣ୍ଣିତ ମହା ଭାରତ ଯୁଦ୍ଧର ଦୃଶ୍ୟକୁ ମଧ୍ୟ କତା ରେ ଅତି ନିଖୁଣ ଭାବରେ ତିଆରି କରିଛନ୍ତି ।

ଏତଦ୍ ବ୍ୟତୀତ ବିଭିନ୍ନ ଜୀବଜନ୍ତୁ ମଧ୍ୟ ସେ ନିଜ ହାତର କାଉଁରୀ ସ୍ପର୍ଶରେ ଜୀବନ୍ୟାସ ଦେଇଛନ୍ତି । ଏହାର ଚାହିଦା ମଧ୍ୟ ରହିଛି । ଡ଼ଲି ନିଜେ ସ୍ୱାବଲମ୍ବୀ ହେବା ସହିତ ତାଙ୍କ ସହିତ କାର୍ଯ୍ୟ କରିଥିବା କାରୀଗରମାନଙ୍କୁ ସ୍ୱାବଲମ୍ବୀ କରାଇବା ସହିତ ଆତ୍ମ ନିର୍ଭରଶୀଳ କରାଇ ପାରିଛନ୍ତି । ତେବେ ଡ଼ଲିଙ୍କ ଏହି ସଫଳତା ପାଇଁ ବିଶ୍ୱନାଥପୁର ଗ୍ରାମବାସୀ ମଧ୍ୟ ବେଶ ଖୁସି ଅଛନ୍ତି ।

Leave A Reply

Your email address will not be published.