ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ଶ୍ରମିକମାନଙ୍କ ସହ ମିଶି କରୁଛନ୍ତି ସେହି କାମ

ନୂଆପଡା(କେନ୍ୟୁଜ): ସାଧାରଣତଃ ନିର୍ବାଚନରେ ବିଜୟୀ ହେବା ପରେ ପ୍ରାୟତଃ ଜନପ୍ରତିନିଧିମାନେ ପ୍ରଚୁର ଅର୍ଥ ଉପାର୍ଜନ କରି ଗାଡି ଓ ବଙ୍ଗଳା କିଣି ଅୟସ କରିବା ପାଇଁ ସ୍ଵପ୍ନ ଦେଖିଥାନ୍ତି । ହେଲେ ନୂଆପଡା ଜିଲା କୋମନା ବ୍ଲକ ଧୁର୍ଲାମୁଣ୍ଡା ଗ୍ରାମ ପଂଚାୟତର ମହିଳା ସରପଞ୍ଚ ପଦ୍ମିନୀ ମାଝି କିନ୍ତୁ ସମସ୍ତଙ୍କଠାରୁ ଭିନ୍ନ । ସେ ସରପଞ୍ଚ ହେଲେବି ନିଜର ପଦବୀକୁ ନେଇ ଗର୍ବ କିମ୍ୱା ମନରେ ଅହଂ ଭାବ ଆଣିନାହାନ୍ତି ନାହିଁ । ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ନିର୍ବିକାର ଭାବେ ମନରେଗା ଯୋଜନାରେ ପୋଖରୀ ଖନନ କାମରେ ନିୟୋଜିତ ହୋଇ ମାଟି ବୋହିବା କାମ କରି ଚର୍ଚ୍ଚାକୁ ଆସିଛନ୍ତି ।
କାହିଁକିନା ପଦ୍ମିନୀ ଠିକ୍ ଭାବେ ବୁଝି ପାରିଛନ୍ତି ପଦ ପଦବୀ ଅସ୍ଥାୟୀକୁ । ୫ବର୍ଷ ପରେ ଏହି କ୍ଷମତା ଆଉ ନଥାଇପାରେ । ତାପରେ ଜୀବନ ଜୀବିକା ପାଇଁ କିଛି ନା କିଛି କରିବାକୁ ତ ପଡିବ । ତେଣୁ କରି ଧୋର୍ଲାମୁଣ୍ଡା ସରପଂଚ ପଦ୍ମିନୀ ମାଝି ନିଜ ସ୍ଵାମୀଙ୍କ ସହ ନିଜର ଗ୍ରାମ ପଂଚାୟତର ଛତାଗାଁର ଖଜୁରୀ ବନ୍ଧରେ ମାଟି ଖନନ ଓ ମାଟି ବୋହିବା କାମ କରୁଛନ୍ତି । ସରପଞ୍ଚ ପଦ୍ମିନୀ ମାଝି ଓ ତାଙ୍କ ସ୍ଵାମୀ ନାଥ ମାଝି ମନରେଗା କାମରେ ନିୟୋଜିତ ହୋଇ ଅନ୍ୟ ଶ୍ରମିକମାନଙ୍କ ସହ ମିଶି କାମ କରୁଛନ୍ତି ।
ପଦ୍ମିନୀ ୪ ମାସର ଗର୍ଭବତୀ ଥିଲେ ସୁଦ୍ଧା ତାଙ୍କ ସ୍ଵାମୀ ମାଟି ଖୋଳି ପଦ୍ମିନୀଙ୍କ ମୁଣ୍ଡରେ ବୁହାଇଦେଲେ ହିଡରେ ମାଟି ନେଇ ଫିଙ୍ଗୁ ଥିବାର ଦେଖିବାକୁ ମିଳିଛି । ସରପଞ୍ଚ ହେବା ପୂର୍ବରୁ ପଦ୍ମିନୀ ଓ ତାଙ୍କ ସ୍ଵାମୀ ଚାଷ ବାସ କରିବା ସହ ମନରେଗାରେ ମାଟି ବୋହିବା କାମ କରୁଥିଲେ । ସରପଞ୍ଚ ହେବା ପରେ ମଧ୍ୟ ମଜୁରୀ କାମ କରୁଛନ୍ତି । ଆଉ ଆଗକୁ ବି ସେ ଏହି ମଜୁରୀ କାମ କରିବେ । ମଜୁରୀ କାମ କରିବାରେ କୈାଣସି ଲାଜ କରିବାର ନାହିଁ ବୋଲି ପଦ୍ମିନୀ ଓ ତାଙ୍କ ସ୍ଵାମୀ କହିଛନ୍ତି ।
ଖାଲି ସେତିକି ନୁହେଁ କୋମନା ବ୍ଲକ ଧୋର୍ଲାମୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ପଦ୍ମିନୀ ମାଝି ମନରେଗା କାମ କରିବା ସହ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାମ ମଧ୍ୟ କରି ଆସୁଛନ୍ତି । ଶ୍ରମିକମାନଙ୍କୁ ଉତ୍ସାହିତ କରିବା ପାଇଁ ପଦ୍ମିନୀ ଓ ତାଙ୍କ ସ୍ଵାମୀ ମନରେଗା ଯୋଜନାରେ ମାଟି ବୋହିବା କାମ କରିଆସୁଛନ୍ତି । ପ୍ରତିଦିନ ଛତାଗାଁର ଖଜୁରୀବନ୍ଧରେ ସକାଳ ୬ଟାରୁ ୯ଟା ଯାଏଁ ମାଟି ବୋହିବା କାମ କରି ଘରକୁ ଫେରୁଛନ୍ତି । ପରେ ସକାଳ ୧୦ଟାରେ ପଞ୍ଚାୟତ ଅଫିସକୁ ଯାଇ ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମ ବୁଝୁଛନ୍ତି । ଧୋର୍ଲାମୁଣ୍ଡା ଗ୍ରାମପଂଚାୟତରେ ପାଣିର ଅଭାବ ରହିଛି । ତେଣୁ ପୋଖରୀ ଖନନ କରିବା ସହ ଶ୍ରମିକଙ୍କୁ ରୋଜଗାର ଯୋଗେଇ ଦେବା ସହ ପାଣିର ସୁବିଧା କରିବାକୁ ଚେଷ୍ଟା ଜାରି ରଖିଥିବା ପଦ୍ମିନୀ କହିଛନ୍ତି ।
ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଯେତିକି ବି ଟଙ୍କା ଦେଉଛନ୍ତି ସେଥିରେ ପିଲାଛୁଆଙ୍କୁ ପାଠ ପଢେଇବା ସହ ଘର ଚଳେଇବା ବହୁ କଷ୍ଟକର ହେଉଛି । ପଦ୍ମିନୀ ପଞ୍ଚମ ଶ୍ରେଣୀ ପାସ୍ କରିଛନ୍ତି । ହେଲେ ସେ ପାଠପଢାର ମହତ୍ଵ କଣ ବୁଝି ପାରିଛନ୍ତି ।ଏଣୁକରି ମନରେଗା ଯୋଜନାରେ ଯାହା ରୋଜଗାର କରନ୍ତି ସେଥିରେ ଘର ଚଳେଇବା ସହ ପିଲାଛୁଆଙ୍କ ପାଠପଢା ଖର୍ଚ୍ଚ ଉଠାଉଛନ୍ତି । କାମ ନକଲେ ନିଜର ଜବ କାର୍ଡ କଟିଯିବାର ଆଶଙ୍କା ମଧ୍ୟ ରହିଛି । ୫ବର୍ଷ ପରେ ପଦବୀ ଚାଳିଗଲେ ପୁଣି କୁଲି ମଜୁରୀ କାମ କରିବାକୁ ପଡିବ । ତେଣୁ ପଦବୀରେ ଥାଇ ମନରେଗା ଯୋଜନାରେ କାମ କରିବାରେ କୈାଣସି ଲାଜ ନାହିଁ ବୋଲି କହିଛନ୍ତି ସରପଂଚ ପଦ୍ମିନୀ ମାଝି। ପଦ୍ମିନୀ ସରପଞ୍ଚ ହୋଇଥିଲେ ସୁଦ୍ଧା ମନରେଗାରେ କାମ କରି ଅନ୍ୟ ଶ୍ରମିକମାନଙ୍କ ପାଇଁ ଏବେ ପ୍ରେରଣାର ଉତ୍ସ ସାଜିଛନ୍ତି କହିଲେ ଭୁଲ୍ ହେବ ନାହିଁ ।