ଆଜିଠୁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାର୍ଷିକ ଜି-୭ ଶିଖର ସମ୍ମିଳନୀରେ ନେବେ ଭାଗ

ଆଜିଠୁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାର୍ଷିକ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତ କରିଛନ୍ତି । ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତକୁ ଏକ ଆଉଟ୍‌ରିଚ୍‌ ଦେଶ ରୂପେ ଆମନ୍ତ୍ରଣ କରାଯାଇଛି ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ସମ୍ମିଳନୀ ଭାରତ ଏବଂ ଗ୍ଲୋବାଲ ସାଉଥ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ୱ ନେତାମାନଙ୍କ ସହ ଯୋଡ଼ି ହେବାର ଏକ ଉତ୍ତମ ଅବସର ହେବ । ଏହି ଶିଖର ସମ୍ମିଳନୀରେ ଭାରତର ଏହା ଏକାଦଶତମ ଅଂଶଗ୍ରହଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କ୍ରମାଗତ ପଞ୍ଚମ ଭାଗିଦାରୀ ହେବ ।

ପିଏମ୍‌ ମୋଦି ଆଉଟ୍‌ରିଚ୍‌ ଅଧିବେଶନରେ ସାମିଲ ହେବେ । ଏହି ସମ୍ମିଳନୀରେ ସେ ଜି-୭ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ମଧ୍ୟ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ । ଏହି ସମିଟ୍‌ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ସାମିଲ ହେବେ । ପ୍ରଧାନମନ୍ତ୍ରୀ ମୋଦି ଆଜି ଇଟାଲୀ ଗସ୍ତ କରିଥିବା ବେଳେ ଜୁନ୍‌ ୧୪ ବିଳମ୍ବିତ ରାତିରେ ପ୍ରତ୍ୟାବର୍ତ୍ତନ କରିବେ ।

କହି ରଖୁଛୁ ଯେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ମୋଦିଙ୍କର ପ୍ରଥମ ବିଦେଶ ଯାତ୍ରା । ତାଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ଯୋଗଦେବ, ଯେଉଁଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ବୈଦେଶିକ ସଚିବ ବିନୟ କ୍ୱାତ୍ରା ଏବଂ ଏନ୍‌ଏସ୍‌ଏ ଅଜିତ ଡୋଭାଲ ସାମିଲ ହେବେ । ୫୦ତମ ଜି-୭ ଶିଖର ସମ୍ମିଳନୀ ଜୁନ୍ ୧୩ରୁ ୧୫ ପର୍ଯ୍ୟନ୍ତ ଇଟାଲୀର ଅପୁଲିଆ ଅଞ୍ଚଳର ବୋର୍ଗୋ ଇଗ୍ନାଜିଆ ରିସୋର୍ଟରେ ଆୟୋଜିତ ହେବାକୁ ଯାଉଛି ।

Leave A Reply

Your email address will not be published.